Israel: ଇସ୍ରାଏଲ ହେଜବୁଲ୍ଲାର ୨ କିମି ସୁଡ଼ଙ୍ଗକୁ ବିସ୍ଫୋରଣରେ ଉଡ଼ାଇଦେଲା ବିସ୍ଫୋରଣ ପରେ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ
ଦକ୍ଷିଣ ଲେବାନନର ଅଲି ଅଲ୍-ତାହେର ପାହାଡ଼ ଅଞ୍ଚଳରେ ହେଜବୁଲ୍ଲାର ୨ କିଲୋମିଟରରୁ ଅଧିକ ଲମ୍ବା ଭୂତଳ ସୁଡ଼ଙ୍ଗ ବ୍ୟବସ୍ଥାକୁ ଇସ୍ରାଏଲୀ ସେନା ବଡ଼ ବିସ୍ଫୋରଣ ଦ୍ବାରା ଧ୍ୱଂସ କରିଦେଇଛି। ଗୁରୁବାର ରାତିରେ ହୋଇଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର କମ୍ପନ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା।

ବେରୁତ: ଦକ୍ଷିଣ ଲେବାନନର ଅଲି ଅଲ୍-ତାହେର ପାହାଡ଼ ଅଞ୍ଚଳରେ ହେଜବୁଲ୍ଲାର ୨ କିଲୋମିଟରରୁ ଅଧିକ ଲମ୍ବା ଭୂତଳ ସୁଡ଼ଙ୍ଗ ବ୍ୟବସ୍ଥାକୁ ଇସ୍ରାଏଲୀ ସେନା ବଡ଼ ବିସ୍ଫୋରଣ ଦ୍ବାରା ଧ୍ୱଂସ କରିଦେଇଛି। ଗୁରୁବାର ରାତିରେ ହୋଇଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର କମ୍ପନ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ କରିଥିବା ରିପୋର୍ଟରେ କୁହାଯାଇଛି।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅଲି ଅଲ୍-ତାହେର ଅଞ୍ଚଳରେ ଭୂପୃଷ୍ଠ ଓ ଭୂତଳ ଉଭୟ ସ୍ଥାନରେ ଇସ୍ରାଏଲର ସାମରିକ ନିୟନ୍ତ୍ରଣ ସ୍ଥାପିତ ହୋଇଛି। ଏହି ଅଞ୍ଚଳ ଇସ୍ରାଏଲ ସୀମାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି। ଇସ୍ରାଏଲୀ ସେନା ଅନୁସାରେ, ଭୂତଳ ନେଟୱର୍କରେ ହେଜବୁଲ୍ଲାର ବଦର ୟୁନିଟ୍ର ଏକ କମାଣ୍ଡ ସେଣ୍ଟର ଥିଲା। ସେଠାରେ କମାଣ୍ଡ ସେଣ୍ଟର ସହ ଅସ୍ତ୍ରଶସ୍ତ୍ର ରଖିବା ସ୍ଥାନ ଓ ଦୀର୍ଘ ସମୟ ଭୂତଳରେ ରହିବା ପାଇଁ ବ୍ୟବସ୍ଥା ଥିଲା। ଏହି ନେଟୱର୍କରେ ରକେଟ୍, ମିସାଇଲ୍, ଡ୍ରୋନ୍, ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର, ମାଇନ୍ ଓ ବିସ୍ଫୋରକ ଥିବା ମଧ୍ୟ ସେନା ଦାବି କରିଛି। ନେତାନ୍ୟାହୁ କହିଛନ୍ତି ଯେ ସୁଡ଼ଙ୍ଗ ଧ୍ୱଂସ ସହ ଅଞ୍ଚଳରେ ସୁରକ୍ଷା ବଳୟ ସୁଦୃଢ଼ କରିବାର କାର୍ଯ୍ୟ ସମ୍ପନ୍ନ ହୋଇଛି। ଇସ୍ରାଏଲୀ ସେନା ହେଜବୁଲ୍ଲାକୁ ପୁଣି ଏହି ଅଞ୍ଚଳରେ ନିଜର ଭିତ୍ତିଭୂମି ଗଢ଼ିବାକୁ ଦେବ ନାହିଁ ବୋଲି ଉଭୟ ନେତା କହିଛନ୍ତି।
ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ଜୁନ୍ରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ବୁଝାମଣାର କାର୍ଯ୍ୟକାରିତା ନେଇ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ମତଭେଦ ଜାରି ରହିଛି। ହେଜବୁଲ୍ଲା ନିଜର ଅସ୍ତ୍ର ଛାଡ଼ିବାକୁ ରାଜି ନ ହେବାରୁ ଏବଂ ଇସ୍ରାଏଲ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପୂର୍ବରୁ ଦକ୍ଷିଣ ଲେବାନନରୁ ହଟିବାକୁ ଅମଙ୍ଗ ଥିବାରୁ ସମାଧାନ ପ୍ରକ୍ରିୟା ଅଟକି ରହିଛି।
ସୌଜନ୍ୟ ସମ୍ବାଦ




