ବିଶେଷ

Basic amenities: ନୂଆଖୁଲାରେଗଡ଼ାରେ ମୌଳିକ ସୁବିଧା ସାତସପନ, ଯୋଜନ ଦୂରରେ ଯୋଜନା

ଗ୍ରାମାଞ୍ଚଳରେବିକାଶବାଟବଣା। ମୌଳିକ ସୁବିଧା ସାତସପନ। ଯୋଜନ ଦୂରରେ ଯୋଜନା। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ନାହିଁ କି ପିଇବା ପାଇଁ ଭଲ ପାଣି ମୁନ୍ଦେ ମିଳୁନି। ପିଲାଙ୍କ ପାଠପଢ଼ା କଥା....

ଅନୁଗୁଳ: ଗ୍ରାମାଞ୍ଚଳରେବିକାଶବାଟବଣା। ମୌଳିକ ସୁବିଧା ସାତସପନ। ଯୋଜନ ଦୂରରେ ଯୋଜନା। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ନାହିଁ କି ପିଇବା ପାଇଁ ଭଲ ପାଣି ମୁନ୍ଦେ ମିଳୁନି। ପିଲାଙ୍କ ପାଠପଢ଼ା କଥା ନ କହିଲେ ଭଲ। ଜିଇଁବାକୁ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ସରକାରୀ ଯୋଜନାରୁ କାଣିଚାଏ ଲାଭ ପାଇବାକୁ ଚାତକ ଭଳି ଚାହିଁ ରହିଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନୂଆଖୁଲାରେଗଡ଼ା ଗାଁକୁ ‌ଦେଖିଲେ ଅବହେଳାର ଚିତ୍ର ବାରି ହୋଇପଡୁଛି। ଏ ଗାଁର ବିକଳ ଚିତ୍ର ବଖାଣୁଛି, ରାଜ୍ୟରେ ସରକାରୀ ଯୋଜନା କାର୍ଯ୍ୟକାରିତାର ଅସଲ ସତ।

କିଶୋରନଗର ବ୍ଲକ୍‌ କାର୍ଯ୍ୟାଳୟରୁ ମାତ୍ର ୧୬ କିଲୋମିଟର ଓ ଏନ୍‌ଏଚ୍‌-୫୫ରୁ ମାତ୍ର ୪ କିଲୋମିଟର ଦୂରରେ ଅଛି ନୂଆଖୁଲାରେଗଡ଼ା ଗାଁ। ପ୍ରାୟ ୩୫ ପରିବାର ବସବାସ କରୁଥିବା ଏ ଗାଁର ଦୁଇ ତିନୋଟି ଟାଇଲ୍‌ ତଥା ପକ୍କାଘରକୁ ଛାଡ଼ିଦେଲେ ଆଉ ସବୁ ଚାଳଛପର ଘର। ସତେ ଯେମିତି ଏହି ଗାଁ ଲୋକଙ୍କୁ ଆବାସ ଯୋଜନାରେ ପକ୍କାଘର ଯୋଗାଇବାକୁ ଭୁଲି ଯାଇଛି ପ୍ରଶାସନ। ଗାଁର ସୁରେଶ ପଧାନ କହିଛନ୍ତି, ଆବାସ ଯୋଜନାରେ ଘରଖଣ୍ଡେ ପାଇବାକୁ ସେମାନେ ଅନେକ ଥର ସରପଞ୍ଚଙ୍କ ଜରିଆରେ ଆବଶ୍ୟକ କାଗଜପତ୍ର ଦାଖଲ କଲେଣି। ହେଲେ ଘରଖଣ୍ଡିଏ ମିଳୁନି। ଭୋଟ ଆସିଲେ, ନେତାମାନେ ପ୍ରତିଶ୍ରୁତିର ପାହାଡ଼ ଠିଆ କରୁଛନ୍ତି। ହେଲେ ନିର୍ବାଚନ ସରିଯିବା ପରେ ଆଉ କାହାରି ଦେଖା ମିଳୁନି। ସେହିପରି ଗାଁରେ ସ୍କୁଲ କି ଅଙ୍ଗନବାଡ଼ି ନାହିଁ। ଯେଉଁଥି ପାଇଁ ୩ଟି ନାଳ ପାର ହୋଇ ପ୍ରାୟ ୨ରୁ ୩ କିଲୋମିଟର ଦୂର ନୂଆବାଲିଖମଣ ଗାଁକୁ ଗଲେ, ପିଲା ପାଠ ପଢ଼ିବାର ସୁଯୋଗ ପାଆନ୍ତି। ସ୍କୁଲ କି ଅଙ୍ଗନବାଡ଼ି ନ ଥିବାରୁ ଅନେକ ପିଲା ଗାଁରେ ବୁଲୁଛନ୍ତି। ଆଉ ‌ଯେଉଁମାନେ ପାଠ ପଢ଼ିବାକୁ ଯାଉଛନ୍ତି, ବର୍ଷାଦିନେ ନାଳ ବଢ଼ିବା ଯୋଗୁଁ ୩ରୁ ୪ ମାସ ପାଠପଢ଼ା ବନ୍ଦ ହୋଇଯାଏ ବୋଲି ଗାଁକୁ ବୋହୂ ହୋଇ ଆସିଥିବା ସରସ୍ବତୀ ପଧାନ କହିଛନ୍ତି।

ହେଲେ ଏତିକିରେ ସରିଯାଇନି ନୂଆଖୁଲାରେଗଡ଼ା ଗାଁର ଦୁଃଖ। ଗାଁରେ ଥିବା ଏକମାତ୍ର ନଳକୂଅରୁ ନାଲି ରଙ୍ଗର ପାଣି ବାହାରୁ ଥିବାରୁ ତାହା ଅନୁପଯୋଗୀ ହୋଇ ପଡ଼ିରହିଛି। ତେଣୁ ବର୍ଷତମାମ ପାନୀୟ ଜଳ ପାଇଁ ପାଖରେ ଥିବା ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ। ସ୍ବଚ୍ଛ ଭାରତ ମିସନ୍‌ରେ ପାଇଖାନା ପାଇଁ ମିଳିଥିବା ନନ୍ଦକୁ ଚୁଆ ଚାରିପାଖେ ବସାଇ ପାଣି ବ୍ୟବହାର କରୁଛନ୍ତି। ହେଲେ ବର୍ଷାଦିନେ ନାଳ ବଢ଼ିଲେ ଚୁଆରେ ପାଣି ପଶି ଗୋଳିଆ ହୋଇଯାଏ। ଫଳରେ ପିଇବା ପାଣି ତ’ ଦୂରର କଥା, ରୋଷେଇ ବନ୍ଦ ଯୋଗୁଁ ଉପବାସ ରହିବାକୁ ପଡ଼େ ବୋଲି କହିଛନ୍ତି ଗାଁର ବୋହୂ ବାସନ୍ତୀ ପଧାନ। ନୂଆଖୁଲାରେଗଡ଼ାବାସୀଙ୍କୁ କାହିଁକି ମୌଳିକ ସୁବିଧା ମିଳୁନି ଏବଂ କେବେ ସେମାନଙ୍କ ପାଖରେ ପହଞ୍ଚିବ ବିଭିନ୍ନ ସରକାରୀ ଯୋଜନା ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button