ଦେଶ ବିଦେଶ

Benjamin Netanyahu: ଆରବ ଦଳ ସହ ମିଶି ସରକାର ଗଢ଼ିଲେ ଇସ୍ରାଏଲ୍‌ର ଇହୁଦୀ ପରିଚୟ ବିପଦରେ ପଡ଼ିବ: ନେତାନ୍ୟାହୁ

ଇସ୍ରାଏଲ୍‌ରେ ନିର୍ବାଚନ ପରେ ସରକାର ଗଠନକୁ ନେଇ ରାଜନୈତିକ ଅନିଶ୍ଚିତତା ଜାରି ରହିଥିବାବେଳେ ଇସ୍‌ଲାମୀୟ ଉଗ୍ରବାଦକୁ ପ୍ରସଙ୍ଗ କରି ବିରୋଧୀ ଦଳଗୁଡ଼ିକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ଆରବ ଦଳଙ୍କ ସମର୍ଥନରେ...

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ନିର୍ବାଚନ ପରେ ସରକାର ଗଠନକୁ ନେଇ ରାଜନୈତିକ ଅନିଶ୍ଚିତତା ଜାରି ରହିଥିବାବେଳେ ଇସ୍‌ଲାମୀୟ ଉଗ୍ରବାଦକୁ ପ୍ରସଙ୍ଗ କରି ବିରୋଧୀ ଦଳଗୁଡ଼ିକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ଆରବ ଦଳଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାରୁ ଦେଶର ଇହୁଦୀ ପରିଚୟ ଓ ସୁରକ୍ଷା ବିପଦରେ ପଡ଼ିବ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ନିଜ ଲିକୁଡ୍‌ ପାର୍ଟି ନେତୃତ୍ବରେ ଏକ ବ୍ୟାପକ ଜାତୀୟ ସରକାର ଗଠନ ପାଇଁ ସେ ଆହ୍ବାନ ଦେଇଛନ୍ତି।

ବୁଧବାର ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜରିଆରେ ନେତାନ୍ୟାହୁ କହିଛନ୍ତି, ଇସ୍‌ଲାମୀୟ ଉଗ୍ରବାଦ ୟୁରୋପର ଅନେକ ଦେଶକୁ ଭିତରୁ ଦୁର୍ବଳ କରୁଛି। ଇସ୍ରାଏଲ୍‌ ମଧ୍ୟ ଏହି ଆହ୍ବାନର ସମ୍ମୁଖୀନ ହେଉଛି। ଇରାନ ଓ ଏହାର ସହଯୋଗୀଙ୍କ ଜରିଆରେ ଦେଶ ବାହାରୁ ବିପଦ ରହିଥିବାବେଳେ ଦେଶ ଭିତରେ ଆତଙ୍କବାଦକୁ ସମର୍ଥନ କରୁଥିବା ଇସ୍‌ଲାମୀୟ ଦଳଗୁଡ଼ିକ ଆହ୍ବାନ ସୃଷ୍ଟି କରୁଛନ୍ତି। ଆରବ ଦଳଗୁଡ଼ିକ ଇସ୍ରାଏଲ୍‌ର ଇହୁଦୀ ପରିଚୟକୁ ଲୋପ କରିବାକୁ ଚାହୁଛନ୍ତି ଏବଂ ଶତ୍ରୁଙ୍କଠାରୁ ଦେଶକୁ ସୁରକ୍ଷା ଦେବାର କ୍ଷମତାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ନେତାନ୍ୟାହୁ ଅଭିଯୋଗ କରିଛନ୍ତି। ଏଭଳି ଦଳଗୁଡ଼ିକ ଉପରେ ନିର୍ଭରଶୀଳ ସରକାର ଦେଶର ସୁରକ୍ଷା ସମସ୍ୟାର ମୁକାବିଲା କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏହି ଦଳଗୁଡ଼ିକର କିଛି ପ୍ରତିନିଧି ହମାସ୍‌ ଏବଂ ଏହାର ନୁଖବା ୟୁନିଟ୍‌ର ଜେଲ୍‌ରେ ବନ୍ଦୀ ସଦସ୍ୟଙ୍କ ସମର୍ଥନରେ ମନ୍ତବ୍ୟ ଦେଇଥିବା ମଧ୍ୟ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଲିକୁଡ୍‌ ପାର୍ଟି ନେତୃତ୍ବରେ ଜାତୀୟ ମେଣ୍ଟ ଗଠନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏଥିରେ ଜାତୀୟ ଶିବିରର ସମସ୍ତ ଦଳ ଏବଂ ସାମିଲ ହେବାକୁ ଇଚ୍ଛୁକ ଜାୟୋନିଷ୍ଟ ଦଳଗୁଡ଼ିକୁ ସ୍ଥାନ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବିରୋଧୀ ବାମପନ୍ଥୀ ଦଳଗୁଡ଼ିକ ଆରବ ଦଳଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଚାହୁଥିବା ଏବଂ ଜାତୀୟ ସ୍ବାର୍ଥ ଅପେକ୍ଷା ରାଜନୈତିକ ସ୍ବାର୍ଥକୁ ଗୁରୁତ୍ବ ଦେଉଥିବା ସେ ଅଭିଯୋଗ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button