ପାଟନା: ନେପାଳରେ ବିଧ୍ବଂସକାରୀ ବନ୍ୟା ଯୋଗୁ ବିହାରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟା ସଙ୍କଟକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ବିହାରରେ ବନ୍ୟା ଜଳ ପହଞ୍ଚିଯାଇଥିବାରୁ ଗଣ୍ଡକ ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଟେଲିଫୋନ ଯୋଗେ ଜରୁରୀ ଆଲୋଚନା କରିଛନ୍ତି। ଏହି ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ଯୁଦ୍ଧକାଳୀନ ସହାୟତା ଯୋଗାଇ ଦିଆଯିବ ବୋଲି ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ନେପାଳ ବନ୍ୟା ଯୋଗୁଁ ବିହାରର ଗଣ୍ଡକ ନଦୀରେ ପ୍ରାୟ ୩ ମିଟର (୩ ମିଟର) ଉଚ୍ଚର
ବନ୍ୟାଜଳ ମାଡ଼ିଆସିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୀମାନ୍ତବର୍ତ୍ତୀ ସମସ୍ତ
ଜିଲ୍ଲା ଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସାରଣ, ମୁଜାଫରପୁର, ବୈଶାଳୀ, ସୀତାମଢ଼ୀ ଏବଂ ଶିବହର ଜିଲ୍ଲା ପ୍ରଶାସନକୁ ସର୍ବାଧିକ ସତର୍କ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ଭାବ୍ୟ
ବିପର୍ଯ୍ୟୟର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ବିଭିନ୍ନ ଟିମ୍କୁ ମୁତୟନ କରାଯାଉଛି। ଗୋପାଳଗଞ୍ଜ ଏବଂ ବେତିଆ ଅଞ୍ଚଳକୁ ଏନ୍ଡିଆରଏଫ ଟିମ୍ ପଠାଯାଇଥିବା ବେଳେ ମୁଜାଫରପୁରରେ ଆଉ ଏକ ଟିମକୁ ସତର୍କ ରଖାଯାଇଛି। ସେହିପରି ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ମଧ୍ୟ ଅତିରିକ୍ତ ଟିମ୍ ପ୍ରସ୍ତୁତ ରଖାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ, ଡଙ୍ଗା ଏବଂ ମାଗଣା ରୋଷେଇ ଶାଳର ବ୍ୟବସ୍ଥା କରାଯାଇଛି। ଜଳସମ୍ପଦ ବିଭାଗକୁ ଗଣ୍ଡକ
ବ୍ୟାରେଜ୍, କେନାଲ୍ ଏବଂ ନଦୀ ବନ୍ଧ ଗୁଡ଼ିକର ୨୪ ଘଣ୍ଟିଆ ମନିଟରିଂ କରିବାକୁ କୁହାଯାଇଛି। ସାଧାରଣ ଜନତାଙ୍କୁ ଭୟଭୀତ ନହୋଇ ସରକାରୀ ସୂଚନା ପାଳନ କରିବାକୁ ଏବଂ କୌଣସି ପ୍ରକାରର ଭିତ୍ତିହୀନ ଗୁଜବ ସୃଷ୍ଟି ନକରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।