
ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଦୁବେଙ୍କ ମନ୍ତବ୍ୟକୁ ବିଜେଡି ରାଜ୍ୟସଭାରେ ଜୋରଦାର ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରିଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ବିରୋଧରେ ନିଶିକାନ୍ତ ଦୁବେଙ୍କ ଅପମାନଜନକ, ମିଥ୍ୟା ଓ ମନଗଢ଼ା ମନ୍ତବ୍ୟକୁ ଆମେ ବିରୋଧ କରୁଛୁ। ଶାସକ ଦଳ ଏତେ ତଳ ସ୍ତରକୁ ଖସି ଆସିବା ଅତ୍ୟନ୍ତ ଲଜ୍ଜାଜନକ। ଆମେ ଏହା ବିରୋଧରେ କକ୍ଷତ୍ୟାଗ କରୁଛୁ ଏବଂ ଦଳର ବିରୋଧକୁ ଗୃହରେ ରେକର୍ଡଭୁକ୍ତ କରାଯିବା ଉଚିତ ବୋଲି ଶ୍ରୀ ପାତ୍ର କହିଥିଲେ।
ରବିବାର ଶ୍ରୀ ପାତ୍ର ଦୁବେଙ୍କ ନେତୃତ୍ବାଧୀନ ସଂସଦୀୟ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସ୍ଥାୟୀ କମିଟିରୁ ଇସ୍ତଫା ଦେଇଥିଲେ। ଇସ୍ତଫାର କାରଣ ଦର୍ଶାଇ ସେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେଇପାରନ୍ତି, ମୁଁ ତାଙ୍କ ଅଧୀନରେ କମିଟିରେ ରହିପାରିବିନି। ଯଦିଓ ବିଜେଡି ଏନ୍ଡିଏର ଏକ ଅଂଶ ନ ଥିଲା, ତଥାପି ଏକ ନିରପେକ୍ଷ ଦଳ ଭାବରେ ଏହା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରି ଆସିଥିଲା।
ଅନ୍ୟପକ୍ଷରେ ଦୁବେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ କୌଣସି ଅଭିଯୋଗ ଆଣି ନାହାନ୍ତି। ବିଜୁ ପଟ୍ଟନାୟକ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ବିଜେପି ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରିଆସିଛି। ଯେତେବେଳେ କଂଗ୍ରେସ ବିଜୁବାବୁଙ୍କ ପ୍ରତି ଅନ୍ୟାୟ କଲା, ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ସହ ଠିଆ ହୋଇଥିଲେ। ମୁଁ ପୁନରାବୃତ୍ତି କରୁଛି ଯେ, ମୁଁ ନେହରୁ-ଗାନ୍ଧୀ ପରିବାରର କାର୍ଯ୍ୟକଳାପ ଉପରେ ଏକ ସିରିଜ୍ ରିଲିଜ୍ କରୁଛି। ମୋତେ କୁହନ୍ତୁ, ମୁଁ ମୋ ଟ୍ୱିଟ୍ରେ ବିଜୁବାବୁଙ୍କ ଉପରେ କେଉଁ ଅଭିଯୋଗ ଆଣିଥିଲି? ମୁଁ ମୋ ଟ୍ୱିଟ୍ରେ ଯାହା ଲେଖିଛି ତାହାଦ୍ୱାରା ଯଦି କେହି ଆଘାତ ପାଇଛନ୍ତି, ତେବେ ମୁଁ କେବଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିପାରିବି ବୋଲି ଦୁବେ କହିଛନ୍ତି।
ସୌଜନ୍ୟ ସମ୍ବାଦ




