ଦେଶ ବିଦେଶ

Black Marketing Of LPG: ଗ୍ୟାସ୍‌ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଭାରତରେ ଏଲ୍‌ପିଜି ଗ୍ୟାସ୍‌ର ଅଭାବ ଦେଖାଦେଇଛି। ସରକାର ଯଦିଓ ଅଭାବକୁ ଖଣ୍ଡନ କରୁଛନ୍ତି, କିନ୍ତୁ ଲୋକମାନେ ଆତଙ୍କିତ ହୋଇ ବୁକିଂ କରୁଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଭାରତରେ ଏଲ୍‌ପିଜି ଗ୍ୟାସ୍‌ର ଅଭାବ ଦେଖାଦେଇଛି। ସରକାର ଯଦିଓ ଅଭାବକୁ ଖଣ୍ଡନ କରୁଛନ୍ତି, କିନ୍ତୁ ଲୋକମାନେ ଆତଙ୍କିତ ହୋଇ ବୁକିଂ କରୁଛନ୍ତି। ଗ୍ୟାସ୍‌ ନ ପାଇ ନିରାଶ ମଧ୍ୟ ହେଉଛି। ଏହି ଗମ୍ଭୀର ସମୟରେ ଆବଶ୍ୟକତାଠାରୁ ଅଧିକ ଗ୍ୟାସ୍‌ ମହଜୁଦ ରଖିବା ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି।

ଗ୍ୟାସ୍‌ ସ୍ଥିତିକୁ ନେଇ କେନ୍ଦ୍ର ଗୃହ ସଚିବ ଏବଂ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ ଓ ପୁଲିସ ମହାନିର୍ଦ୍ଦେଶକମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସି ସେନ୍ଥିଲ ରାଜନ କହିଛନ୍ତି ଯେ କଳାବଜାରୀ ରୋକିବା ଉପରେ ଗୁରୁତ୍ବାରୋପ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଏଥି ସହିତ ରାଜ୍ୟଗୁଡ଼ିକ ଜଣେ ଲେଖାଏଁ ମୁଖପାତ୍ର ନିଯୁକ୍ତ କରିବେ। ସେ ଯାଞ୍ଚ ହୋଇଥିବା ସୂଚନାକୁ ସ୍ପଷ୍ଟ ଓ ନିୟମିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବେ। ସେହିପରି ଭୁଲ ତଥ୍ୟର ପ୍ରଚାର ରୋକିବା ଲାଗି ସେ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ଓ ସେମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରିବାକୁ କହିଛନ୍ତି।

ଗ୍ୟାସ୍‌ ଯୋଗାଣ ସ୍ବାଭାବିକ ରହିଛି

ଅନ୍ୟପକ୍ଷରେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ଆତଙ୍କିତ ନ ହେବା ଲାଗି ଲୋକମାନଙ୍କୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ବୁକିଂ ମଧ୍ୟରେ ସର୍ବନିମ୍ନ ବ୍ୟବଧାନକୁ ୨୧ ଦିନରୁ ବଢ଼ାଇ ୨୫ ଦିନ କରାଯାଇଛି। ତଥାପି ଗ୍ରାହକମାନେ ଆତଙ୍କିତ ହୋଇ ବୁକିଂ କରୁଛନ୍ତି। ଏଭଳି ସ୍ଥିତି ସତ୍ତ୍ବେ ଗ୍ୟାସ୍‌ ଯୋଗାଣ ସ୍ବାଭାବିକ ରହିଛି। ବିତରକ ସ୍ତରରେ ବିଭ୍ରାଟ ରୋକିବା ପାଇଁ ଡେଲିଭରି ପ୍ରମାଣୀକରଣ କୋଡ୍ (ଡିଏସି) ବ୍ୟବସ୍ଥା ଲାଗୁ କରାଯାଇଛି। ଦେଶରେ ଏଲ୍‌ପିଜି ଉତ୍ପାଦନ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଘରୋଇ ଗ୍ରାହକଙ୍କ ପାଖରେ ଏଲ୍‌ପିଜି ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି। ଏହା ବ୍ୟତୀତ ହସ୍ପିଟାଲ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଯୋଗାଣ ଜାରି ରହିଛି। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ଆବଶ୍ୟକତାକୁ ବୁଝିବା ପାଇଁ ତିନି ତୈଳ କମ୍ପାନି ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଡି)ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏଲ୍‌ପିଜି ଦରବୃଦ୍ଧିର ଏକ ବଡ଼ ଭାଗକୁ ସରକାର ନିଜେ ବହନ କରିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ୧୪.୨ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ‌ରେ ୬୦ ଟଙ୍କାର ବୃଦ୍ଧି ହୋଇଛି। ତାହା ଦୈନିକ ୮୦ ପଇସାରୁ କମ୍‌। ଏବେବି ଭାରତର ଏଲ୍‌ପିଜି ଦର ଏହାର ପଡ଼ୋଶୀ ଦେଶଗୁଡ଼ିକଠାରୁ ଯଥେଷ୍ଟ କମ୍‌ ରହିଛି। ସରକାରୀ ସମର୍ଥନ ଯୋଗୁଁ ଉଜ୍ଜ୍ବଳା ଯୋଜନା ସିଲିଣ୍ଡର୍‌ ମୂଲ୍ୟ ୩୨ ପ୍ରତିଶତ ହ୍ରାସ ପାଇଛି। ତୈଳ କମ୍ପାନିଗୁଡ଼ିକର କ୍ଷତି ଭରଣା କରିବା ପାଇଁ ସରକାର ୩୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ମଞ୍ଜୁର କରିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button