
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଆଜି କରମଡିହିଠାରେ ସମ୍ବାଦ-ଆମଓଡ଼ିଶା ତରଫରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ କିଛି ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ରକ୍ତ ଦେବାକୁ ଅନେକ ପଛଘୁଞ୍ଚା ଦେଉଥିବାବେଳେ ୪ ଜଣ ଭିନ୍ନ ବ୍ୟକ୍ତିତ୍ବ ରକ୍ତଦାନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ଠେଲାଗାଡ଼ି ଥୋଇ ରକ୍ତଦେଲେ
କରମଡିହିର ବବ୍ରୁବାହାନ ମୁଣ୍ଡା ନାମକ ଦିନ ମଜୁରିଆ ଟାଣ ଖରାରେ ଠେଲାଗାଡ଼ିରେ ଜଣକ ଘରେ ସିମେଣ୍ଟ ବସ୍ତା ରଖି ଝାଳନାଳ ହୋଇ ଫେରୁଥିଲେ। ଦେଖିଲେ ପୂଜା ମଣ୍ଡପରେ ରକ୍ତଦାନ ଶିବିର ଚାଲିଛି। ତୁରନ୍ତ ଶିବିର ସ୍ଥଳରେ ପହଞ୍ଚି ଠେଲାଗାଡ଼ି ଥୋଇ ରକ୍ତଦାନ କରିଥିଲେ। ବବ୍ରୁଙ୍କ ବାପାମା ନାହାନ୍ତି। ଘରେ ସ୍ତ୍ରୀ ଓ ୩ ପୁଅ ଝିଅଙ୍କୁ ନେଇ ସଂସାର। ଠେଲାରେ କଠିନ ପରିଶ୍ରମ କରି ପରିବାର ଚଳାଉଛନ୍ତି। ତଥାପି ସେ ଅନ୍ୟର ଜୀବନ ବଞ୍ଚାଇବାକୁ ପଛଘୁଞ୍ଚା ଦେଇ ନଥିଲେ।
ସରପଞ୍ଚ ଏବଂ ସ୍ବାମୀ କଲେ ରକ୍ତଦାନ
ଆମ ଓଡ଼ିଶା ରକ୍ତଦାନ ଶିବିରରେ ନିୟମିତ ରକ୍ତ ଦେଉଥିବା କରମଡିହି ସରପଞ୍ଚ ସୁସ୍ମିତା କୁଜୁର ଓ ତାଙ୍କ ସ୍ବାମୀ ରବି କୁଜୁର ଆଜି ମଧ୍ୟ ଏକାଠି ରକ୍ତଦାନ କରିଥିଲେ। ଏହା ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲା।
୩୨ ବର୍ଷ ରକ୍ତଦାନ କଲେଣି ଦମୟନ୍ତୀ
ସମ୍ବଲପୁର ଚିତ୍ରଗୁପ୍ତ ଗଳି ମହାନ୍ତିପଡ଼ାରେ ରହୁଥିବା ଦମୟନ୍ତୀ ଟାଲିଙ୍କ ବାପା ଘନଶ୍ୟାମ ସାହୁ ଅଲସର ରୋଗରେ ସଂକଟାପନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଘଟଣା ଥିଲା ୧୯୯୪ର। ଡାକ୍ତର ତୁରନ୍ତ ରକ୍ତଦେବାକୁ କହିଥିଲେ। ସେତେବେଳେ ଯୁବତୀ ଥିବା ଦମୟନ୍ତୀ ରକ୍ତ ପାଇଁ ଆକୁଳ ହୋଇ ଖୋଜି ବୁଲିଥିଲେ। ଶେଷକୁ ଗେଟି ଟକିଜ ରୋଡ଼ର ଉତ୍ସର୍ଗ ସଂଗଠନର ସଭ୍ୟ ସୁବ୍ରତ କୁମାର ଟାଲି ରକ୍ତ ଦେଇଥିଲେ। ବାପା ବଞ୍ଚିଗଲେ। ଏ ଘଟଣା ପରେ ସେ କୃତଜ୍ଞତା ସ୍ବରୂପ ଅନ୍ୟର ଜୀବନ ବଞ୍ଚାଇବାକୁ ରକ୍ତଦାନ କରିବାକୁ ସଂକଳ୍ପ ନେଲେ। ୧୯୯୪ରୁ ଏଯାଏ ୩୨ ବର୍ଷ ହେଲା ନିୟମିତ ରକ୍ତଦାନ କରୁଥିବା ଦମୟନ୍ତୀ ଆଜି କରମଡିହି ଶିବିରକୁ ଆସି ରକ୍ତ ଦେଇଥିଲେ। ସୁନ୍ଦରଗଡ଼ ସନ୍ଦିପନୀ ଆବାସିକ ବିଦ୍ୟାଳୟରେ ୱାଡେନ ଥିବା ଏହି ମହିଳାଙ୍କ ଉପସ୍ଥିତି ଭିନ୍ନ ପରିବେଶ ସୃଷ୍ଟି କରିଥିଲା।
ସୌଜନ୍ୟ ସମ୍ବାଦ




