ଦେଶ ବିଦେଶ

Bondi Beach Terror Attack: ନିଜ କଥା ନଭାବି ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ, ବଞ୍ଚିଗଲା ଶହ ଶହ ଜୀବନ

ଧଡ଼ାଧଡ଼ ଫୁଟୁଥିଲା ଗୁଳି। ନରସଂହାର କରୁଥିଲେ ୨ଆତଙ୍କବାଦୀ। ସାମ୍ନାକୁ ଯିଏ ଆସୁଥିଲା ସିଏ ମରୁଥିଲା। ହେଲେ ଗୁଳିକୁ ନଡରି ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ।

ସିଡନୀ: ଧଡ଼ାଧଡ଼ ଫୁଟୁଥିଲା ଗୁଳି। ନରସଂହାର କରୁଥିଲେ ୨ଆତଙ୍କବାଦୀ। ସାମ୍ନାକୁ ଯିଏ ଆସୁଥିଲା ସିଏ ମରୁଥିଲା। ୧୦୦୦ଲୋକଙ୍କ ସମାଗମ ଭିତରେ ମୃତ୍ୟୁର ତାଣ୍ଡବ ରଚୁଥିଲେ ଆତଙ୍କୀ ବାପ-ପୁଅ। ଦେଖୁ ଦେଖୁ ୧୨ଜଣ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ। କ’ଣ ଘଟୁଛି ବୋଲି କିଛି ବୁଝିବା ପୂର୍ବରୁ ଲୋକଙ୍କ ଜୀବନ ଚାଲିଯାଇଥିଲା। ହାତରେ ବଡ଼ ବଡ଼ ରାଇଫଲ ‌ଧରିଥିବା ଆତଙ୍କୀଙ୍କୁ ଧରିବା ଥିଲା କଷ୍ଟ। କେମିତି ସେମାନଙ୍କୁ କାବୁ କରାଯିବ ତାହା ଭାବୁଥିଲେ ଲୋକେ। ଏହି ସମ‌ୟରେ ରକ୍ଷକ ସାଜି ପହଞ୍ଚିଥିଲେ ଅହମଦ ଅଲ୍ ଅହମଦ।

ନିଜ ଜୀବନକୁ ଖାତିର୍ ନକରି ସେ ମୃତ୍ୟୁକୁ ଜାବୁଡ଼ି ଧରିଥିଲେ

ନିଜ ଜୀବନକୁ ଖାତିର୍ ନକରି ସେ ମୃତ୍ୟୁକୁ ଜାବୁଡ଼ି ଧରିଥିଲେ। ଆଉ ବଞ୍ଚିଯାଇଥିଲା ଶହ ଶହ ଲୋକଙ୍କ ଜୀବନ। ଘଟଣାଟି ଅଷ୍ଟ୍ରେଲିଆର। ରବିବାର ସନ୍ଧ୍ୟା ସମୟରେ ଅଷ୍ଟ୍ରେଲିଆର ବଣ୍ଡି ବିଚ୍‌ରେ ଆରମ୍ଭ ହୋଇଥିଲା ରକ୍ତର ‌ଖେଳ।ଇହୁଦୀମାନଙ୍କ ହନୁକ୍କା ଉତ୍ସବରେ ପହଞ୍ଚି ଆଖିବୁଜା ଗୁଳିଚାଳନା କରିଥିଲେ ୨ଆତଙ୍କବାଦୀ। ଉତ୍ସବ ପାଇଁ ପ୍ରାୟ ହଜାର ଲୋକ ଏକତ୍ରିତ ହୋଇଥିବା ବେଳେ କିଏ କୁଆଡେ ଯିବ କେହି ବୁଝିପାରୁନଥିଲେ। କେଇ ସେକେଣ୍ଡ ମଧ୍ୟରେ ଉତ୍ସବ ମୁଖର ବଣ୍ଡି ବିଚ୍ ପାଲଟିଥିଲା ଶ୍ମଶାନ। ଭୟରେ ଚିତ୍କାର କରୁଥିଲେ ଲୋକେ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ବଣ୍ଡି ବିଚ୍। ଏହି ସମୟରେ ହଠାତ୍ ଗୁଳି ଫୁଟିବା ବନ୍ଦ ହୋଇଯାଇଥିଲା। ଆଖି ବନ୍ଦ କରି ଡରରେ ବସିପଡ଼ିଥିବା ଲୋକେ ଆଖି ଖୋଲିବା ବେଳକୁ ଅହମଦ ଅଲ୍ ଅହମଦ ଆତଙ୍କବାଦୀ ହାତରୁ ବନ୍ଧୁକ ଛଡ଼ାଇ ଆଣିଥିବା ଦେଖିଥିଲେ, ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଅହମଦ ଅଲ୍ ଅହମଦ ଆତଙ୍କବାଦୀର ପଛପଟୁ ଯାଇ ତାକୁ ଜାବୁଡ଼ି ଧରୁଛନ୍ତି। ଦୁହିଁଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ଚାଲିବା ପରେ ଅହମଦ ଆତଙ୍କବାଦୀ ହାତରୁ ରାଇଫଲ ଛଡ଼ାଇ ଆଣୁଛନ୍ତି। ଏହା ପରେ ଆତଙ୍କବାଦୀଜଣଙ୍କ ପଡ଼ି ଉଠି ସେଠାରୁ ଖସିଯିବାକୁ ଚେଷ୍ଟା କରୁଛି। ଅହମଦଙ୍କ ଏହି ସାହସିକତା ପାଇଁ ଆଜି ଅନେକଙ୍କ ଜୀବନ ବଞ୍ଚିପାରିଛି। ଭିଡିଓ ଭାଇରାଲ ହେବା ପରେ ତାଙ୍କ ସାହସକୁ ସଲାମ କରୁଛି ସାରା ବିଶ୍ବ।

 

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button