ଦେଶ ବିଦେଶ

BPSC Exam: ବିହାରରେ ବିପିଏସ୍‌ସି ପରୀକ୍ଷା ବିବାଦ ଉଗ୍ର

ବିହାରରେ ବିପିଏସ୍‌ସି ନିଯୁକ୍ତି ପରୀକ୍ଷା ଅନିୟମିତତାକୁ ନେଇ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ଉଗ୍ର ରୂପ ଧାରଣ କରିଛି। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବା ହଜାର ହଜାର ଆନ୍ଦୋଳନକାରୀ ଛାତ୍ର ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୁଲିସ ସେମାନଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ଲାଠି ମାଡ଼ ଓ ପାଣି ମାଡ଼ କରିଥିଲା।

ପାଟନା: ବିହାରରେ ବିପିଏସ୍‌ସି ନିଯୁକ୍ତି ପରୀକ୍ଷା ଅନିୟମିତତାକୁ ନେଇ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ଉଗ୍ର ରୂପ ଧାରଣ କରିଛି। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବା ହଜାର ହଜାର ଆନ୍ଦୋଳନକାରୀ ଛାତ୍ର ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୁଲିସ ସେମାନଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ଲାଠି ମାଡ଼ ଓ ପାଣି ମାଡ଼ କରିଥିଲା। ମାତ୍ର ଆନ୍ଦୋଳନକାରୀମାନେ ପଛକୁ ନହଟି ସେହି ଜଳ ପ୍ରବାହ ମଧ୍ୟରେ ‘ରେନ୍ ଡ୍ୟାନ୍ସ’ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅନେକ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ପୁଲିସର ଲାଠି ମାଡ଼ରେ ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି।

ହାତରେ ଜାତୀୟ ପତାକା ଧରି ବିହାର ଲୋକସେବା ଆୟୋଗ (ବିପିଏସ୍‌ସି)ର ଚାକିରି ଆଶାୟୀମାନେ ଗାନ୍ଧୀ ମୈଦାନରୁ ନିଜର ପୂର୍ବ ଘୋଷଣା ଅନୁଯାୟୀ ଏହି ଶୋଭାଯାତ୍ରା ବାହାର କରିଥିଲେ। ଡାକ ବଙ୍ଗଳା ଛକ ନିକଟରେ ପୁଲିସ ସହ ସେମାନଙ୍କର ଭୀଷଣ ଧସ୍ତାଧସ୍ତି ହେବା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବାହିନୀ ସହ ସିଆର୍‌ପିଏଫ ଏବଂ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍‌) ମୁତୟନ କରାଯାଇଛି ଏବଂ ଅନେକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି। ଛାତ୍ରମାନେ ବିଗତ କିଛି ସପ୍ତାହ ଧରି ଧାରଣା ଦେଇ ଆସୁଥିଲେ। ସେମାନଙ୍କର ମୁଖ୍ୟ ଦାବି ହେଉଛି ବିପିଏସ୍‌ସି-ଟିଆରଇ ୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ପରୀକ୍ଷା କରାଯାଉ, ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯାଉ, ବିହାର କର୍ମଚାରୀ ଚୟନ ଆୟୋଗ (ବିଏସ୍‌ଏସ୍‌ସି) ପରୀକ୍ଷା ସଠିକ ସମୟରେ ହେଉ ଏବଂ ହିନ୍ଦୀ ମାଧ୍ୟମର ପ୍ରାର୍ଥୀମାନଙ୍କୁ ସମାନ ସୁଯୋଗ ମିଳୁ।

ଏହା ସହ ୭୦ତମ ବିପିଏସସି ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଯୋଗୁଁ ଏହାକୁ ବାତିଲ କରିବାକୁ ଦାବି ହୋଇଛି। ଅପରପକ୍ଷରେ ବିହାରର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ କହିଛନ୍ତି ଯେ ଆନ୍ଦୋଳନକାରୀ ଛାତ୍ରମାନଙ୍କର ସମସ୍ତ ଦାବି ସରକାର ପ୍ରାୟ ପୂରଣ କରିସାରିଛନ୍ତି ଏବଂ ଯଦି କୌଣସି ସମସ୍ୟା ରହିଛି, ତେବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସରକାର ଆଜିଠାରୁ ପ୍ରତି ମାସର ଚତୁର୍ଥ ମଙ୍ଗଳବାର ଦିନ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ଛାତ୍ର ସହଯୋଗ ଶିବିର’ ଆରମ୍ଭ କରିବା ସହ ଅନଲାଇନ୍ ଅଭିଯୋଗ ପୋର୍ଟାଲ ଏବଂ ହେଲ୍ପଲାଇନ୍ ୧୧୦୦ ଜାରି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button