ମହାନଗର

Bronze: ଢାଉଁଢାଉଁରେ କମ୍ପିବ କଂସାଶାଳ

କଥାରେ ଅଛି, ‘କଂସାରୀ ଘର ଭାଡ଼ିର ପାରାକୁ କୁଲା ଢାଉଁଢାଉଁ!’। ଅର୍ଥାତ୍ କଂସାରୀ ଘର ସବୁବେଳେ କଂସାଶାଳ ଶବ୍ଦରେ କମ୍ପୁଥାଏ। କଂସାଶାଳରେ କଂସା ପାତକୁ ହାତୁଡ଼ା, ମୁଗୁରରେ ପିଟିବା ଶବ୍ଦ ବେଶ୍‌ କର୍କଶ।

ନିରଞ୍ଜନ ସେନାପତି

ବାଲିଅନ୍ତା: କଥାରେ ଅଛି, ‘କଂସାରୀ ଘର ଭାଡ଼ିର ପାରାକୁ କୁଲା ଢାଉଁଢାଉଁ!’। ଅର୍ଥାତ୍ କଂସାରୀ ଘର ସବୁବେଳେ କଂସାଶାଳ ଶବ୍ଦରେ କମ୍ପୁଥାଏ। କଂସାଶାଳରେ କଂସା ପାତକୁ ହାତୁଡ଼ା, ମୁଗୁରରେ ପିଟିବା ଶବ୍ଦ ବେଶ୍‌ କର୍କଶ। ତେଣୁ କଂସାରୀ ଘର ଭାଡ଼ିରେ ରହୁଥିବା ପାରା ସେହି ଶବ୍ଦରେ ଅଭ୍ୟସ୍ତ ଥିବାରୁ ସେମାନଙ୍କୁ କୁଲା ବାଡ଼େଇ କେହି ଭୟଭୀତ କରିପାରିବେ ନାହିଁ। ଦିନ ଥିଲା ବାଲିଅନ୍ତା ବ୍ଲକ୍‌ ବାଳକାଟି ରଥିଜେମା ଓ ଭଇଁଚୁଆ ଆଦି ଅଞ୍ଚଳରେ କଂସାଶାଳ ଗର୍ଜୁଥିଲା। ସକାଳୁ ରାତି ପର୍ଯ୍ୟନ୍ତ କଂସାଶାଳରୁ ଢାଉଁଢାଉଁ ଶବ୍ଦ ଶୁଭୁଥିଲା। ପୂରା ଗାଁ କମ୍ପିଉଠୁଥିଲା। ଶିଳ୍ପୀ ତଥା କାରିଗରମାନଙ୍କ ହାତକୁ ଫୁରୁସତ ନଥିଲା। ଶାଳରୁ ଧୂଆଁ ବନ୍ଦ ହେଉନଥିଲା କି କାରିଗର ଦେହରୁ ଝାଳ ମରୁନଥିଲା। କିନ୍ତୁ ସମୟ ବଦଳିଲା ଏବଂ କଂସାବାସନର ବ୍ୟବହାର କମିଗଲା। ଫଳରେ କଂସାଶାଳର ଢାଉଁଢାଉଁ ଶବ୍ଦ ବି କମିଗଲା। କିନ୍ତୁ ପୁଣି ସମୟ କଡ଼ ଲେଉଟାଇବା ଆରମ୍ଭ କଲାଣି। କଂସାବାସନ ବ୍ୟବହାର ପ୍ରତି ଲୋକଙ୍କ ଆଗ୍ରହ କିଛି ମାତ୍ରାରେ ବଢ଼ିବା ଦେଖାଗଲାଣି। ଏହାବାଦ ଏକ ପୁରୁଣା କୌଳିକ କଳାକୁ ବଞ୍ଚାଇ ରଖିବାକୁ ସରକାରୀସ୍ତରରେ ବି ଉଦ୍ୟମ ହେଲାଣି। ତେଣୁ ରଥିଜେମାର କଂସାଶାଳ ପୁଣି ଢାଉଁଢାଉଁ ଶବ୍ଦରେ କମ୍ପିବ ବୋଲି ଆଶା କରାଯାଉଛି।

ବାଲିଅନ୍ତା ବ୍ଲକ୍‌ ପ୍ରତ‌ାପଶାସନ ପଞ୍ଚାୟତ ରଥିଜେମା(ବାଳକାଟି) କଂସାବାସନ ସାମଗ୍ରୀ ପାଇଁ ପ୍ରସିଦ୍ଧି ଲାଭକରିଛି। ରଥିଜେମାରେ ୯୦୦ କଂସାରୀ ପରିବାର ଅଛନ୍ତି। ଏବେ ସେମାନଙ୍କ ମଧ୍ୟରୁ ୮୫ଜଣଙ୍କର କଂସାଶାଳ ଅଛି। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଶାଳରେ ଶତାଧିକ କାରିଗର କାମକରୁଛନ୍ତି ଏବଂ ସେଥିରୁ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। କିଏ ଶାଳର ଭାଟି ଜଳାଏ ତ, ଆଉ କିଏ କଞ୍ଚାମାଲ ଆଉଟାପାଉଟା କରେ। ସେହିଭଳି କିଏ ଆଉଟା କଂସାକୁ ଉପଯୁକ୍ତ ଭାବେ ଶୀତଳ କରି ପାତ କରିବା ପରେ ହାତୁଡ଼ା ଓ ମୁଗୁରରେ ପିଟି ବିଭିନ୍ନ ରୂପ ଦିଏ। ପୁଣି କିଏ ତିଆରି ବାସନକୁ ପଲିସ୍‌ କରେ ତ କିଏ ନିର୍ମିତ ବାସନରେ କାରୁକାର୍ଯ୍ୟ ଆଙ୍କି ଆକର୍ଷଣୀୟ କରେ। ରଥିଜେମାରେ ବହୁ ପରିବାର ଏହି କୌଳିକ ବୃତ୍ତିରୁ ଗୁଜୁରାଣ ମେଣ୍ଟାଉଥିଲେ ହେଁ ରାଜ୍ୟ ହସ୍ତଶିଳ୍ପ ବିକାଶ ବିଭାଗ ପକ୍ଷରୁ ଏହି ଶିଳ୍ପର ବିକାଶ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବହୁ କାରଗର କୁହନ୍ତି।

ଉଦାହରଣ ଦେବାକୁ ଯାଇ ସେମାନେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ପ୍ରଶିକ୍ଷଣ କେନ୍ଦ୍ରର ଦୁରାବସ୍ଥା କଥା କହନ୍ତି। ୨୦୧୧ମସିହାରେ ଏଠାରେ ଏକ କଞ୍ଚାମାଲ ସଂରକ୍ଷଣ ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ସପ୍ତାହରେ ଏଠାକୁ କଞ୍ଚାମଲ ଆସୁଥିଲା। କଂସା ଭଳି ମିଶ୍ରଧାତୁ ତିଆରି ପାଇଁ ତମ୍ବା, ଦସ୍ତା ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଏଠାକୁ ଆସୁଥିଲା ଏବଂ ବାଳକାଟି ଅଞ୍ଚଳର କାରିଗରମାନେ ଏଠାରୁ ନେଉଥିଲେ। ଏହାସହିତ କାରିଗରମାନେ ଏଠାରେ ପ୍ରଶିକ୍ଷଣ ନେଉଥିଲେ। ବଡ଼ କଥା ହେଉଛି ବିଭିନ୍ନ ସମବାୟ ସଂସ୍ଥା ଜରିଆରେ ସ୍ଥାନୀୟ କାରିଗରଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ପାଇଁ ଏହି କେନ୍ଦ୍ର ମାଧ୍ୟମରେ ବାହାରକୁ ଯାଉଥିଲା। ପରିତାପର କଥା ୨୦୧୭ ମସିହାଠାରୁ ଏହି କେନ୍ଦ୍ରରେ ତାଲା ଝୁଲୁଛି। ତେଣୁ ପରିତ୍ୟକ୍ତ ଅବସ୍ଥାରେ ରହିରହି ଏହି ପ୍ରଶିକ୍ଷଣ କେନ୍ଦ୍ର ଏବେ ଭୂତକୋଠି ପାଲଟିଛି। ପ୍ରଶିକ୍ଷଣ କେନ୍ଦ୍ର ପରିସରରେ କୁଢ଼କୁଢ଼ ଅଳିଆ ଆବର୍ଜନା ଗଦା ହୋଇରହିଛି। ଦେଖିଲେ ଲାଗିବ, ସତେ ଯେମିତି ସେଦିନର ଏହି କଞ୍ଚାମାଲ ସଂରକ୍ଷଣ କେନ୍ଦ୍ର ବାଳକାଟି ବଜାର ବ୍ୟବସାୟୀଙ୍କ ଡଷ୍ଟବିନ୍‌ ପାଲଟିଯାଇଛି।

କଂସାରୀ ପରିବାର ସଭାପତି ବୈଷ୍ଣବ ମହାରଣାଙ୍କ କହିବାନୁସାରେ ଉକ୍ତ କେନ୍ଦ୍ରର ନବୀକରଣ କରା‌ଇବାକୁ ବହୁମୁଖୀ ହସ୍ତଶିଳ୍ପ ସଂସ୍ଥା ‘ସୃଜନିକା’ ଆଗଭର ହୋଇଛି। ଏନେଇ ହସ୍ତଶିଳ୍ପ ବିଭାଗ କମସନର ମଧ୍ୟ ସ୍ବୀକୃତି ଦେଇସାରିଛନ୍ତି। ଏହି କେନ୍ଦ୍ରରେ ରଥିଜେମାର ପ୍ରସିଦ୍ଧ କଂସାବାସନ ଠାରୁ ଆରମ୍ଭ କରି ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ବେତ ସାମଗ୍ରୀ, ବାଉଁଶ କାରିଗରୀ ସାମଗ୍ରୀ ବିକ୍ରିବଟା ପାଇଁ ସବୁପ୍ରକାର ସୁବିଧା ରହିବ। ନିକଟରେ ରଥିଜେମା ତିରିଶଘର ସାହିରେ ସ୍ଥାନୀୟ କଂସା କାରିଗରମାନଙ୍କୁ ଦୁଇମାସିଆ ପ୍ରଶିକ୍ଷଣ ଦିଆଯାଉଛି। ଏହାଦ୍ବାରା କଂସା ଶିଳ୍ପର ବିକାଶ ହେବା ଆଶା ବଢ଼ିଛି। ସେହିଭଳି ଭୂତକୋଠି ପାଲଟିଯାଇଥିବା ବାଳକାଟି ବଜାରସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ପୁନରୁଦ୍ଧାର ହୋଇପାରିଲେ, ପୁଣି ବାଳକାଟି କଂସା ଶିଳ୍ପ ତା’ର ପୁରୁଣା ଗୌରବ ଫେରିପାଇବ ବୋଲି ଶ୍ରୀ ମହାରଣା କହିଛନ୍ତି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button