Capital Hospital: ନାଁକୁ ମାତ୍ର ବର୍ଣ୍ଣ ୟୁନିଟ୍
କାମକୁ ନୁହେଁ କ୍ୟାପିଟାଲ ହସ୍ପିଟାଲର ବର୍ଣ୍ଣ ୟୁନିଟ। କେବଳ ୬ଟି ଶଯ୍ୟା ଓ ଏସି ରୁମ୍ ମଧ୍ୟରେ ସୀମିତ ରହିଛି ଏହି ବର୍ଣ୍ଣ ୟୁନିଟ। ଯଦି କେହି ୧୦ ପ୍ରତିଶତରୁ ମଧ୍ୟ ଅଧିକ ପୋଡ଼ି ହୋଇ....

ଭୁବନେଶ୍ବର: କାମକୁ ନୁହେଁ କ୍ୟାପିଟାଲ ହସ୍ପିଟାଲର ବର୍ଣ୍ଣ ୟୁନିଟ। କେବଳ ୬ଟି ଶଯ୍ୟା ଓ ଏସି ରୁମ୍ ମଧ୍ୟରେ ସୀମିତ ରହିଛି ଏହି ବର୍ଣ୍ଣ ୟୁନିଟ। ଯଦି କେହି ୧୦ ପ୍ରତିଶତରୁ ମଧ୍ୟ ଅଧିକ ପୋଡ଼ି ହୋଇ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି ସେମାନଙ୍କୁ ସାଙ୍ଗେ ସାଙ୍ଗେ ଏମ୍ସ କିମ୍ବା କଟକ ସ୍ଥାନାନ୍ତର କରାଯାଉଛି। ରାଜଧାନୀରେ ଯେଉଁଭଳି ଭାବେ ଅଗ୍ନିକାଣ୍ଡ ଘଟୁଛି କ୍ୟାପିଟାଲ ହସ୍ପିଟାଲରେ ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍ର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର କିନ୍ତୁ କର୍ଣ୍ଣପାତ କରୁନାହାନ୍ତି।
ସୂଚନା ଅନୁସାରେ, ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ଏକ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ହେବା ସଙ୍ଗେ ସଙ୍ଗେ ଆଖପାଖ ଜିଲ୍ଲାରୁ ମଧ୍ୟ ବହୁ ରୋଗୀ ନିର୍ଭର କରୁଛନ୍ତି। ବିଭିନ୍ନ ସମୟରେ ପାଖାପାଖି ଅଞ୍ଚଳରୁ ନିଆଁରେ ପୋଡ଼ି ହୋଇ ରୋଗୀମାନେ ଏଠାକୁ ଆସୁଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ବର୍ଣ୍ଣ ୟୁନିଟ୍କୁ ପଠାଇ ଦିଆଯାଇଥାଏ। ସାମାନ୍ୟ ଅଧିକ ପୋଡ଼ି ହୋଇଥିଲେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇ ବାହାରକୁ ପଠାଇ ଦେଉଛନ୍ତି। ଏପରିକି ୧୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇ ଆସିଲେ ସଙ୍ଗେ ସଙ୍ଗେ ସ୍ଥାନାନ୍ତରିତ କରିଦିଆଯାଉଛି। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିକି କ୍ୟାପିଟାଲ ହସ୍ପିଟାଲରେ ଯେଉଁ ବର୍ଣ୍ଣ ୟୁନିଟ ରହିଛି ତାହା ଅଧିକାଂଶ ସମୟରେ ତାଲା ପଡ଼ି ରହୁଛି। ନିଆଁରେ ପୋଡ଼ି ହୋଇ ଆସୁଥିବା ରୋଗୀଙ୍କୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥାଏ। ଏଥିପାଇଁ ସ୍ବତନ୍ତ୍ର ନର୍ସ କିମ୍ବା କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ନାହିଁ।
ତେବେ ରାଜଧାନୀରେ ଯେଉଁଭଳି ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି କ୍ୟାପିଟାଲ ହସ୍ପିଟାଲରେ ଅଧିକ ଶଯ୍ୟାବିଶିଷ୍ଟ ଏକ ବର୍ଣ୍ଣ ୟୁନିଟର ବ୍ୟବସ୍ଥା ଅପରିହାର୍ଯ୍ୟ ହୋଇପଡ଼ିଛି। ସରକାରଙ୍କ ତରଫରୁ ସବୁ ପ୍ରମୁଖ ହସ୍ପିଟାଲରେ ବର୍ଣ୍ଣ ୟୁନିଟ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ତେଣୁ କ୍ୟାପିଟାଲରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ଖୋଲିବାକୁ ଦାବି କରାଯାଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଟ୍ରମା କେୟାର୍ରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ବ୍ୟବସ୍ଥା କରାଯାଇଛି; ଖୁବ୍ଶୀଘ୍ର ଟ୍ରମା କେୟାର ଉଦ୍ଘାଟନ କରାଯିବ।
ସୌଜନ୍ୟ ସମ୍ବାଦ




