State Sub-Junior Badminton: ରାଜ୍ୟ ଉପକନିଷ୍ଠ ବ୍ୟାଡମିଣ୍ଟନ; ଅୟଙ୍କ, ସମୃଦ୍ଧି, ନିମିଶାଙ୍କୁ ଦ୍ବିମୁକୁଟ: ହର୍ଷିତ ବିଜେତା
ଓସ୍ବା ପକ୍ଷରୁ ୩୮ତମ ରାଜ୍ୟ ଉପକନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍) ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପୋଖରୀପୁଟ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ଶେଷ ହୋଇଛି। ସମ୍ବଲପୁରର ଅୟଙ୍କ ସାହୁ, ଖୋର୍ଦ୍ଧାର ସମୃଦ୍ଧିରାଜ ବିଶ୍ବାଳ, ନିମିଶା ଓଝା ଦ୍ବିମୁକୁଟ ଅର୍ଜନ କରିଛନ୍ତି।

ଭୁବନେଶ୍ୱର: ଓସ୍ବା ପକ୍ଷରୁ ୩୮ତମ ରାଜ୍ୟ ଉପକନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍) ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପୋଖରୀପୁଟ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ଶେଷ ହୋଇଛି।ସମ୍ବଲପୁରର ଅୟଙ୍କ ସାହୁ, ଖୋର୍ଦ୍ଧାର ସମୃଦ୍ଧିରାଜ ବିଶ୍ବାଳ, ନିମିଶା ଓଝା ଦ୍ବିମୁକୁଟ ଅର୍ଜନ କରିଛନ୍ତି। ୧୫ ବର୍ଷରୁ କମ ବର୍ଗରେ ଅୟଙ୍କ ସାହୁ ବାଳକ ଏକକ ଫାଇନାଲରେ କଟକର ହର୍ଷିତ ବେହେରାଙ୍କୁ ୧୬-୧୪, ୧୨-୧୫ ଓ ୧୫-୩ରେ ଏବଂ ମିଶ୍ରିତ ଯୁଗଳରେ ଫାଇନାଲରେ ଖୋର୍ଦ୍ଧାର ସମୃଦ୍ଧିରାଜ ବିଶ୍ୱାଳଙ୍କୁ ସାଥୀ କରି ସମ୍ବଲପୁର-ଖୋର୍ଦ୍ଧା ଯୋଡି ସାଧିକା ସମ୍ପୂର୍ଣା ଦାସ ଓ ସୋହନ କୁମାର ମହାପାତ୍ରଙ୍କୁ ୧୫-୧୦ ଓ ୧୫-୬ରେ ହରାଇଥିଲେ। ସେହିଭଳି ସମୃଦ୍ଧିରାଜ ବାଳିକା ଏକକ ଫାଇନାଲ୍ରେ ଫାଇନାଲରେ ଜଗତସିଂହପୁରର ଲକ୍ଷ୍ମୀପ୍ରିୟା ଗୋଛାୟତଙ୍କୁ ୧୫-୭, ୧୫-୧୧ରେ ହରାଇଥିଲେ। ୧୫ ବର୍ଷରୁ କମ ବାଳକ ଯୁଗଳ ଫାଇନାଲ୍ରେ ବାଲେଶ୍ୱର-ବଲାଙ୍ଗୀର ଯୋଡି ଆଦିତ୍ୟ ପ୍ରଧାନ ଓ ସାଇଚନ୍ଦନ ମହାନ୍ତି ରାୟଗଡା-ବାଲେଶ୍ୱର ଯୋଡି ଅନୁରୂପ ସାହୁ ଓ ଅର୍ଣ୍ଣବ ଦାସଙ୍କୁ ୧୬-୧୪ ଓ ୧୫-୧୦ରେ ହରାଇ ବିଜେତା ହୋଇଛନ୍ତି। ଏହି ବୟସ ବର୍ଗର ବାଳିକା ଯୁଗଳରେ ଭଦ୍ରକ–ଯାଜପୁର ଯୋଡି ବୁଡୁପୁ ଲକ୍ଷ୍ମୀ ରେଡ୍ଡୀ ଓ ରୀତିକା ଦାସ ଖୋର୍ଦ୍ଧା-ଜଗତସିଂହପୁର ଯୋଡି ଦର୍ଶ୍ୱନା ଜଗଦେବ ଓ ଲକ୍ଷ୍ମୀପ୍ରିୟା ଗୋଛାୟତଙ୍କୁ ୧୦-୧୫, ୨୦-୧୮ଓ ୧୫-୧୩ରେ ହରାଇ ବିଜେତା ହୋଇଛନ୍ତି।
୧୭ବର୍ଷରୁ କମ ବାଳିକା ଏକକ ଫାଇନାଲ୍ରେ ନିମିଶା ଓଝା କଟକର ସ୍ୱାତୀ ନାୟକଙ୍କୁ ୧୫-୧୨ ଓ ୧୫-୧୦ରେ ହରାଇବା ପରେ ଯୁଗଳ ଫାଇନାଲରେ ସ୍ୱାତୀ ନାୟକଙ୍କୁ ସାଥି କରି ଭଦ୍ରକ-ଯାଜପୁର ଯୋଡି ବୁଡୁପୁ ଲକ୍ଷ୍ମୀ ରେଡ୍ଡୀ ଓ ରୀତିକା ଦାସଙ୍କୁ ୧୫-୬ ଓ ୧୫-୬ରେ ହରାଇ ବିଜେତା ହୋଇଥିଲେ। ଏହି ବୟସ ବର୍ଗ ବାଳକ ଫାଇନାଲରେ କଟକର ହର୍ଷିତ ପ୍ରିୟଦର୍ଶୀ ବେହେରା ଖୋର୍ଦ୍ଧାର ଶୁଭ୍ରଜିତ ରାଉତଙ୍କୁ ୧୧-୧୫, ୧୫-୯ ଓ ୧୫-୧୦ରେ ହରାଇ ବିଜେତା ହୋଇଛନ୍ତି। ୧୭ ବର୍ଷରୁ କମ ବାଳକ ଯୁଗଳରେ ବଲାଙ୍ଗୀର-ଖୋର୍ଦ୍ଧା ଯୋଡି ଶ୍ରୀୟାଂଶ କେଜ୍ରିୱାଲ ଓ ଦୁର୍ଗା ପ୍ରସାଦ ସେଠୀ ଢେଙ୍କାନାଳ– ବାଲେଶ୍ୱର ଯୋଡି କୁମାର ଆଦିତ୍ୟ ଓ ଓଜଦୀପ ମାଝୀଙ୍କୁ ୧୦-୧୫, ୧୫-୧୨ ଓ ୧୭-୧୫ରେ ହରାଇ ବିଜେତା ହୋଇଛନ୍ତି। ଏହି ବୟସ ବର୍ଗର ମିଶ୍ରିତ ଯୁଗଳରେ ବାଲେଶ୍ୱର-ଭଦ୍ରକ ଯୋଡି ଓଜଦୀପ ମାଝୀ ଓ ଜେସିକା ସାହୁ ଢେଙ୍କାନାଳ-ଖୋର୍ଦ୍ଧା ଯୋଡି କୁମାର ଆଦିତ୍ୟ ଓ ଏସ ଆୟୁଷୀଙ୍କୁ ୧୩-୧୫, ୧୫-୧୦ ଓ ୧୫-୬ରେ ହରାଇ ବିଜେତା ହୋଇଛନ୍ତି।
ଉଦଯାପନୀ ଉତ୍ସବରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦେଶକ ପ୍ରଫେସର ରବିନାରାୟଣ ରାଉତରାୟ, କ୍ରୀଡା ଅଧିକାରୀ କୌଶିକ କୁମାର ଦାସ ଅତିଥି ଥିଲେ। ଓସ୍ବା ସମ୍ପାଦକ ନିଲୀନ କୁମାରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ରେଫରି ରିତା ଦାଶ, ସାଂଗଠନିକ ସଂପାଦକ କମଲ ଦାଶ, ଅଜିତ ମହାନ୍ତି, ପ୍ରତିଯୋଗିତାର ନିର୍ଦେଶକ ଶୁଭମ ନାୟକ, ସଂଯୋଜକ ତାରାକାନ୍ତ ଦାଶ, ଜୟପ୍ରକାଶ ଜେନା, ଅବଦୁଲ ହାକିମ ଏବଂ ଲକ୍ଷ୍ୟପତି ପରିଚାଳନା କରିଥିଲେ।
ସୌଜନ୍ୟ ସମ୍ବାଦ




