CBI: ସିବିଆଇ ଦ୍ବାରା ୭,୨୨୯ ଦୁର୍ନୀତି ମାମଲାର ବିଚାର ବିଳମ୍ବିତ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରିଥିବା ୭,୨୨୯ଟି ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିରୁ ୪୦୯ଟି ମାମଲା ୨୦ ବର୍ଷରୁ ଅଧିକ ସମୟ ଧରି ଚାଲିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ୨୦୨୫ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। Boudhayan Acharya profile image by Sambad Dig

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରିଥିବା ୭,୨୨୯ଟି ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିରୁ ୪୦୯ଟି ମାମଲା ୨୦ ବର୍ଷରୁ ଅଧିକ ସମୟ ଧରି ଚାଲିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ୨୦୨୫ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସ୍ଥିତିକୁ ନେଇ ଏହି ତଥ୍ୟ ପ୍ରସ୍ତୁତ ହୋଇଛି।
ରିପୋର୍ଟ ଅନୁସାରେ, ମୋଟ ବିଚାରାଧୀନ ୭,୨୨୯ ମାମଲା ମଧ୍ୟରୁ ୧,୬୧୨ଟି ୩ ବର୍ଷରୁ କମ୍ ସମୟ ଧରି ରହିଛି। ୮୬୦ଟି ମାମଲା ୩ରୁ ୫ ବର୍ଷ ମଧ୍ୟରେ ଏବଂ ୧,୯୦୧ଟି ୫ରୁ ୧୦ ବର୍ଷ ମଧ୍ୟରେ ବିଚାରାଧୀନ ଅଛି। ଦୁର୍ନୀତି ନିବାରଣ ଆଇନ ଅଧୀନରେ ଥିବା ୨,୪୪୭ଟି ମାମଲା ୧୦ରୁ ୨୦ ବର୍ଷ ହେଲା ପଡ଼ିରହିଛି। ଏହାଛଡ଼ା ୨୦ ବର୍ଷରୁ ଅଧିକ ପୁରୁଣା ୪୦୯ଟି ମାମଲାର ବିଚାର ଶେଷ ହୋଇନାହିଁ। ସିବିଆଇ ତଦନ୍ତ ସମ୍ପର୍କିତ ମାମଲାରେ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ମଧ୍ୟ ବହୁ ସଂଖ୍ୟକ ଅପିଲ୍, ପୁନର୍ବିଚାର ଆବେଦନ ଓ ରିଟ୍ ଆବେଦନ ବିଚାରାଧୀନ ରହିଛି। ଏପରି ମାମଲାର ସଂଖ୍ୟା ୧୪,୦୮୩। ସେଥିରୁ ୭୩୯ଟି ୨୦ ବର୍ଷରୁ ଅଧିକ, ୧,୩୪୭ଟି ୧୫ରୁ ୨୦ ବର୍ଷ ଏବଂ ୩,୧୬୧ଟି ୧୦ରୁ ୧୫ ବର୍ଷ ଧରି ଅଟକିଛି। ଆଉ ୩,୮୫୪ଟି ମାମଲା ୫ରୁ ୧୦ ବର୍ଷ ହେଲା ବିଚାରାଧୀନ ରହିଛି।
ସିଭିସି ରିପୋର୍ଟରେ ସିବିଆଇ ତଦନ୍ତରେ ବିଳମ୍ବର କେତେକ କାରଣ ମଧ୍ୟ ଦର୍ଶାଯାଇଛି। ବିଦେଶରୁ ସୂଚନା ପାଇଁ ପଠାଯାଉଥିବା ଚିଠିର ଉତ୍ତର ମିଳିବାରେ ବିଳମ୍ବ, ବିପୁଳ ପରିମାଣର ଦଲିଲ ଯାଞ୍ଚ, ବ୍ୟାଙ୍କ ଠକେଇ ଓ ଆର୍ଥିକ ଅପରାଧ ମାମଲାର ଜଟିଳତା ଏବଂ ଦୂରସ୍ଥ ଅଞ୍ଚଳରେ ଥିବା ସାକ୍ଷୀଙ୍କୁ ଖୋଜି ଜେରା କରିବା ଭଳି କାରଣରୁ ତଦନ୍ତରେ ସମୟ ଲାଗୁଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ୨୦୨୫ରେ ସିବିଆଇ ୧,୦୦୫ଟି ମାମଲା ରୁଜୁ କରିଥିଲା। ସେହି ବର୍ଷ ୬୫୪ଟି ମାମଲାର ନିଷ୍ପତ୍ତି ହୋଇଥିବାବେଳେ ୪୭୩ଟି ଦୁର୍ନୀତି ମାମଲାର ତଦନ୍ତ ଚାଲିଥିଲା। ସିବିଆଇ ପାଇଁ ସାଧାରଣତଃ ମାମଲା ରୁଜୁ ହେବାର ଏକ ବର୍ଷ ମଧ୍ୟରେ ତଦନ୍ତ ଶେଷ କରି ଆବଶ୍ୟକ ହେଲେ ଅଦାଲତରେ ଅଭିଯୋଗପତ୍ର ଦାଖଲ କରିବା ଆଶା କରାଯାଏ।
ସୌଜନ୍ୟ ସମ୍ବାଦ




