Census: ଜନଗଣନା ପୂର୍ବରୁ ମଣିପୁରରେ ଏନ୍ଆର୍ସି ଲାଗୁ ଦାବି
ଏନ୍ଆର୍ସି ଲାଗୁ କରିବା ଦାବିକୁ ନେଇ ମଣିପୁରର ଇମ୍ଫାଲ ଉପତ୍ୟକାରେ ଉତ୍ତେଜନା ଲାଗିରହିଛି। ଜନଗଣନା ଓ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ଏନ୍ଆର୍ସି ଲାଗୁ କରି ରାଜ୍ୟର ମୂଳ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା...

ଇମ୍ଫାଲ: ଜାତୀୟ ନାଗରିକ ପଞ୍ଜି (ଏନ୍ଆର୍ସି) ଲାଗୁ କରିବା ଦାବିକୁ ନେଇ ମଣିପୁରର ଇମ୍ଫାଲ ଉପତ୍ୟକାରେ ଉତ୍ତେଜନା ଲାଗିରହିଛି। ଜନଗଣନା ଓ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ଏନ୍ଆର୍ସି ଲାଗୁ କରି ରାଜ୍ୟର ମୂଳ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଚଳାଇଛନ୍ତି। ଗୁରୁବାର ଏହି ଦାବି ନେଇ ବିଭିନ୍ନ ସମ୍ପ୍ରଦାୟ ଓ ସଂଗଠନର ୧୦ ଜଣ ନେତା ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନେ କେନ୍ଦ୍ରମନ୍ତ୍ରୀ, ବିଜେପି ନେତା ଓ ଗୁଇନ୍ଦା ବ୍ୟୁରୋ ଅଧିକାରୀଙ୍କୁ ଭେଟି ‘ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ଏନ୍ଆର୍ସି’ ଦାବି ଉପସ୍ଥାପନ କରିବେ।
ଏହି ଦାବିକୁ ନେଇ ‘କ୍ୟାମ୍ପେନ୍ ଫର୍ ଜଷ୍ଟ୍ ଆଣ୍ଡ୍ ଫ୍ରି ଡିଲିମିଟେସନ୍’ (ଜେଏଫ୍ଡି) ପକ୍ଷରୁ ଇମ୍ଫାଲ ଉପତ୍ୟକାର ୫ଟି ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ବୁଧବାର ଏହି ବନ୍ଦ ଶେଷ ହୋଇଥିଲେ ମଧ୍ୟ ଆନ୍ଦୋଳନ ଥମିନାହିଁ। ଗୁରୁବାରଠାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବର୍ଜନ କରିବାକୁ ଜେଏଫ୍ଡି ଘୋଷଣା କରିଛି। ଏହାସହ ନିଜ ନିଜ ବିଧାୟକଙ୍କ ନିକଟରେ ଏନ୍ଆର୍ସି ଦାବି ଉଠାଇବାକୁ ଲୋକଙ୍କୁ ଆହ୍ବାନ ଦିଆଯାଇଛି।
ଆନ୍ଦୋଳନ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାର ସତର୍କ ହୋଇଛନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମଣିପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସମସ୍ତ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ସରକାରୀ, ସହାୟତାପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସାମିଲ।
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, କାଉନ୍ସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓ ସିବିଏସ୍ଇ ଅଧୀନର ସ୍କୁଲ୍ଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ପରିସରଭୁକ୍ତ। ମଣିପୁରର ପ୍ରମୁଖ ନାଗା ସଂଗଠନ ‘ୟୁନାଇଟେଡ୍ ନାଗା କାଉନ୍ସିଲ୍’ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏନ୍ଆର୍ସି ଲାଗୁ ନ ହେବା ପର୍ଯ୍ୟନ୍ତ ରାଜ୍ୟରେ ଜନଗଣନା କିମ୍ବା ନିର୍ବାଚନମଣ୍ଡଳୀ ପୁନର୍ଗଠନ କରାଯିବା ଉଚିତ ନୁହେଁ ବୋଲି ସଂଗଠନ କହିଛି। ଅନ୍ୟପକ୍ଷରେ, ଜନସଂଖ୍ୟାରେ ପରିବର୍ତ୍ତନ ଓ ଅବୈଧ ପ୍ରବାସ ଯୋଗୁ ଜନସଂଖ୍ୟାର ଅସନ୍ତୁଳନ ନେଇ ଉଠୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ଏନ୍ଆର୍ସି ଲାଗୁ କରିବା ସପକ୍ଷରେ ରାଜ୍ୟ ସରକାର ମଧ୍ୟ ନିଜ ଆଭିମୁଖ୍ୟ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




