ବିଶେଷ

Chalantika: ଚଳନ୍ତିକା: ଏମିତି ବି ହୋଇପାରେ!

ରାଜସ୍ଥାନର ଅନ୍ୟତମ ଐତିହାସିକ ଓ ସାଂସ୍କୃତିକ ସହର ସିକରରେ ୨୨ ବର୍ଷୀୟା ନିଶା ଓ ତାଙ୍କର ୨୦ ବର୍ଷୀୟା ଭଉଣୀ ନିକିତାଙ୍କ ବିବାହ ଉତ୍ସବ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଛି। ନିଶା ଓ ନିକିତାଙ୍କ ପିତା ରାଧେଶ୍ୟାମ ଓ ମାଆ ମଞ୍ଜୁଲତା କେବେ କଳ୍ପନା....

ରାଜସ୍ଥାନର ଅନ୍ୟତମ ଐତିହାସିକ ଓ ସାଂସ୍କୃତିକ ସହର ସିକରରେ ୨୨ ବର୍ଷୀୟା ନିଶା ଓ ତାଙ୍କର ୨୦ ବର୍ଷୀୟା ଭଉଣୀ ନିକିତାଙ୍କ ବିବାହ ଉତ୍ସବ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଛି। ନିଶା ଓ ନିକିତାଙ୍କ ପିତା ରାଧେଶ୍ୟାମ ଓ ମାଆ ମଞ୍ଜୁଲତା କେବେ କଳ୍ପନା କରି ନଥିଲେ ଯେ ଦୁଇ ଝିଅଙ୍କର ବିବାହ ଉତ୍ସବ ଏଭଳି ଜାକଜମକରେ ପାଳିତ ହେବ। ସକାଳ ହେଲେ ଯେଉଁ ସହରର ଗଳିକନ୍ଦିର ରାସ୍ତାଘାଟ ରାଧେଶ୍ୟାମ ସଫା କରୁଥିଲେ ସେଇ ସହର ଦିନେ ତାଙ୍କ ଝିଅମାନଙ୍କ ବାହାଘରରେ ସୁସଜ୍ଜିତ ହେବ, ତାହା ତାଙ୍କ ବିଶ୍ୱାସର ବାହାରେ ଥିଲା।

ପ୍ରାୟ ୨୫ ବର୍ଷ ହେବ ସିକର ନଗର ନିଗମରେ ରାଧେଶ୍ୟାମ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଅଭାବ ଅନଟନ ଭିତରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟୁଥିଲା। ଅର୍ଥାଭାବ କାରଣରୁ ତାଙ୍କ ବଡ଼ଝିଅ ନିଶା ଦଶମ ଓ ସାନଝିଅ ନିକିତା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ସକ୍ଷମ ହୋଇଥିଲେ। ଦୁଇ ଝିଅଙ୍କ ବୟସ ବଢ଼ିଲା ଏବଂ ସେମାନଙ୍କ ବିବାହକୁ ନେଇ ରା଼ଧେଶ୍ୟାମଙ୍କ ଚିନ୍ତା ବଢୁଥିଲା। ଆର୍ଥିକ ଦୁଃସ୍ଥିତି ହେତୁ ବିଭିନ୍ନ ଜାଗାରୁ ଆସୁଥିବା ପ୍ରସ୍ତାବ ଭାଙ୍ଗି ଯାଉଥିଲା। ଦିନେ ରାଧେଶ୍ୟାମ ସେଠ୍ ଅନନ୍ତରାମ ସିଂଘାଣିଆ ଦାତବ୍ୟ ଅନୁଷ୍ଠାନ ନିକଟରେ ସଫେଇ କରୁଥିଲେ। ସେହି ସମୟରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ସିଂଘାଣିଆ ଚିନ୍ତାଗ୍ରସ୍ତ ରାଧେଶ୍ୟାମଙ୍କୁ ଦେଖି ଭଲମନ୍ଦ ପଚାରିଲେ। ତାଙ୍କୁ ଝିଅଙ୍କ ବାହାଘର ଭାଙ୍ଗି ଯାଉଥିବା ଦୁଃଖ ବଖାଣିଲେ। ସେଦିନ ସନ୍ଧ୍ୟାରେ ପ୍ରମୋଦ ସିଙ୍ଘାଣିଆ ତାଙ୍କୁ ଡକାଇ କହିଲେ, ‘‘ତମେ ସବୁ ଚିନ୍ତା ଛାଡ଼ି ନିଜ କାମରେ ଲାଗ। ନିଶା ଓ ନିକିତାଙ୍କ ବାହାଘର ମୁଁ କରିବି। ତମେ ପୁଅ ଦେଖାଦେଖି କରି ଦିନ ସ୍ଥିର କର।’’ ପୂର୍ବରୁ ଅଟକି ଥିବା ପ୍ରସ୍ତାବ ଗୁଡ଼ିକରୁ ଦୁଇଟି ପକ୍କା ହେଲା। ପ୍ରମୋଦ ସିଂଘାଣିଆଙ୍କୁ ସବୁକଥା ଜଣାଇବା ପରେ ଫେବ୍ରୁଆରି ୧୯ ତାରିଖରେ ନିଶା ଓ ନିକିତାଙ୍କ ବିବାହ ଦିନ ଧାର୍ଯ୍ୟ କରାଯାଇଥିଲା।

ଏହି ବିବାହ ଉତ୍ସବକୁ ପ୍ରମୋଦ ସିଙ୍ଘାଣିଆଙ୍କ ପରିବାର ନିଜ ଝିଅ ବାହାଘର ଭଳି ପାଳନ କରିଥିଲେ। ଏ ଖବର ପ୍ରସାରିତ ହେଲାପରେ କେତେକ ସାମାଜସେବୀ ମଧ୍ୟ ଏଥିରେ ସାମିଲ ହୋଇ ଏହାକୁ ସମଗ୍ର ସିକର ସହରର ଉତ୍ସବରେ ପରିଣତ କରିଦେଲେ। ୧୦୦୦ ବରଯାତ୍ରୀ ଓ ୪୦୦୦ ଅତିଥିଙ୍କ ପାଇଁ ୩୦୦ ପ୍ରକାରର ଭୋଜନ ପ୍ରସ୍ତୁତ ହୋଇଥିଲା। ସହରର ସବୁଠାରୁ ନାମୀ ଓ ଦାମୀ ଦୟାଲ୍‌ବାଗ୍‌ ବିବାହ ମଣ୍ଡପରେ ନିଶା ଓ ନିକିତାଙ୍କ ବାହାଘର ହୋଇଥିଲା। ବିବାହ କାର୍ଯ୍ୟ କରିବାକୁ ଅଯୋଧ୍ୟାରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ପୁରୋହିତ ଏବଂ କାଶୀ ବିଶ୍ୱନାଥ, ହରିଦ୍ୱାର, ଋଷିକେଶ, ମଥୁରା ଓ ବୃନ୍ଦାବନରୁ ଅନେକ ସାଧୁସନ୍ଥ ନିମନ୍ତ୍ରିତ ହୋଇ ଆସିଥିଲେ। ସେମାନେ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ।

ଦୁଇ ଝିଅଙ୍କର ବାହାଘର ସାରିବା ପରେ ରାଧେଶ୍ୟାମ କହିଥିଲେ, ‘‘ବାହାଘର ଆୟୋଜନ ଚୂଡ଼ାନ୍ତ ହେବାପରେ ଦିନେ ମୋତେ ପ୍ରମୋଦ ବାବୁଜିଙ୍କ ପତ୍ନୀ ବିନୀତା ମା’ ଦୁଇ ଝିଅଙ୍କୁ ନେଇ ସଂଗେ ସଂଗେ ଆସିବାକୁ ଖବର ପଠାଇଲେ। ସେଠାରେ ପହଞ୍ଚି ମୁଁ ଦେଖିଲି ମାଆ ବିନୀତା ନିଜ ହାତରେ ମେହେନ୍ଦି ଲଗାଉଛନ୍ତି ଏବଂ ପରିବାରର ଅନ୍ୟ ଝିଅ ଓ ମହିଳା ମେହେନ୍ଦି ଲଗାଇବାକୁ ଅପେକ୍ଷା କରିଛନ୍ତି। ନିଶା ଓ ନିକିତାକୁ ମେହେନ୍ଦି ଲଗାଇବା କାମ ତୁରନ୍ତ ଆରମ୍ଭ ହେଲା ଏବଂ ଗୀତ ନାଚର ଆସର ଜମିଲା। ଏସବୁ ଦେଖି ସେଠାରୁ ଫେରିବା ସମୟରେ ମୋ ଆଖିରେ ଲୁହ ଆସିଗଲା। ମୁଁ କେବେ କଳ୍ପନା କରି ନଥିଲି କି ମୋ ଭଳି ଜଣେ ଗରିବ ସଫେଇ କର୍ମଚାରୀର ଝିଅ ବାହାଘର ଏଭଳି ଆଡ଼ମ୍ବରରେ ପାଳନ ହେବ।”

ବିବାହର ଭବ୍ୟ ଆୟୋଜନକୁ ନେଇ ପ୍ରମୋଦ ସିଂଘାଣିଆ କହନ୍ତି, ‘‘ରାଧେଶ୍ୟାମ ଆମ ସହରରେ ଜଣେ ନିଷ୍ଠାପର ସଫେଇ କର୍ମଚାରୀ। ସେ କେବେ ନିଜ କାମରେ ଅବହେଳା କରିବା କିମ୍ବା ଥକିଯିବା ମୁଁ ଦେଖିନାହିଁ। ଆମେ ଯେତେବେଳେ ବି ତାକୁ ସଫେଇ କାମ ପାଇଁ ଡାକୁ, ସେ ମନଲଗାଇ କାମ କରେ। ସହରର ନଗର ନିଗମରେ ସେ ଅନେକଥର ସ୍ୱଚ୍ଛତା ଅଭିଯାନରେ ଶ୍ରେଷ୍ଠ ସମ୍ମାନ ପାଇଛି ଏବଂ ବାଲ୍ମୀକି ସାହିର ନିଜ ଅଞ୍ଚଳକୁ ସେ ଏକୁଟିଆ ସଫା ରଖିବାରେ ଦାୟିତ୍ୱ ନେଇ ସମାଜକୁ ଆଦର୍ଶର ବାର୍ତ୍ତା ଦେଇଛି। ତେଣୁ ତା’ର ଦୁଃଖର ସମୟରେ ତା’ ସହିତ ଛିଡ଼ା ହେବାକୁ ଆମର ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଗଲା।’’

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button