ବିଶେଷ

Chalantika: ଚଳନ୍ତିକା: ପୁତ୍ରପ୍ରାପ୍ତି ପାଇଁ ଶର ସନ୍ଧାନ

ହିମାଚଳ ପ୍ରଦେଶ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଲାହୌଲ୍‌ ଓ ସ୍ପୀତିରେ ପ୍ରାଚୀନ କାଳରୁ ଚଳିଆସୁଛି ଅନେକ ଅଭିନବ ତଥା ରହସ୍ୟମୟ ପ୍ରଥା ଓ ପରମ୍ପରା। ତନ୍ମଧ୍ୟରୁ ଅନ୍ୟତମ ପରମ୍ପରା ଗୋଚୀ ଉତ୍ସବ ପୁତ୍ରପ୍ରାପ୍ତି ନିମନ୍ତେ ପାଳନ କରାଯାଏ।

ହିମାଚଳ ପ୍ରଦେଶ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଲାହୌଲ୍‌ ଓ ସ୍ପୀତିରେ ପ୍ରାଚୀନ କାଳରୁ ଚଳିଆସୁଛି ଅନେକ ଅଭିନବ ତଥା ରହସ୍ୟମୟ ପ୍ରଥା ଓ ପରମ୍ପରା। ତନ୍ମଧ୍ୟରୁ ଅନ୍ୟତମ ପରମ୍ପରା ଗୋଚୀ ଉତ୍ସବ ପୁତ୍ରପ୍ରାପ୍ତି ନିମନ୍ତେ ପାଳନ କରାଯାଏ। ଏ ଉତ୍ସବରେ ନିହିତ ବିଶେଷତ୍ବଟି ହେଉଛି ଆଗାମୀ ବର୍ଷ ଗ୍ରାମରେ କେତୋଟି ପୁତ୍ର ଜାତ ହେବେ ତାହା ଧନୁଶର ଦ୍ବାରା ଆକଳନ କରିବା। ସନ୍ତାନ, ବିଶେଷକରି ପୁତ୍ରପ୍ରାପ୍ତି ନିମନ୍ତେ ଲାହୌଲ ଉପତ୍ୟକାରେ ମୁଖ୍ୟତଃ ଗୋଚୀ ଉତ୍ସବ ପାଳନ କରାଯାଉଥିଲେ ବି ସ୍ଥାନୀୟ ଅଧିବାସୀ କହନ୍ତି ଯେ ତାଙ୍କ ଦୃଷ୍ଟିରେ ପୁଅ କି, ଝିଅ ମଧ୍ୟରେ କୌଣସି ଅନ୍ତର ନାହିଁ। ପୁଅଟିଏ ହେଲେ ତା’ ପ୍ରତି ଯାହା ତତ୍ତ୍ବ ନିଆଯାଏ, ଝିଅ ହେଲେ ବି ସେଥିରୁ ଟିକିଏ ଊଣା ହୁଏନାହିଁ। ସ୍ଥାନୀୟ ଅଧିବାସୀଙ୍କ ମତରେ, ଗୋଚୀ ହେଉଛି ଈଶ୍ବରଙ୍କ ପ୍ରତି କୃତଜ୍ଞତା ଜଣାଇବାର ଗୋଟାଏ ପୂଜାବିଧି। ସେମାନଙ୍କର ବିଶ୍ବାସ ଈଶ୍ବରଙ୍କ କୃପା ବଳରୁ ପିଲା ଜନ୍ମହୁଏ। ତେଣୁ, ତାଙ୍କ କୃପା ଲାଭ କରିବା ଲାଗି ଏ ଉତ୍ସବ ଅବସରରେ ବିଶେଷ ପୂଜା-ପ୍ରାର୍ଥନା କରାଯାଏ।

ପ୍ରତିବର୍ଷ ବିଲିଙ୍ଗ୍‌ ଗ୍ରାମରୁ ଏ ଉତ୍ସବ ଆରମ୍ଭ ହୁଏ। ତା’ପରେ ଗ୍ବାଜାଙ୍ଗ୍‌, କାର୍ଦଙ୍ଗ୍‌, ତଳ କେଲଙ୍ଗ୍‌ ଓ ଉପର କେଲଙ୍ଗ୍‌ ଆଦି ଗ୍ରାମ ବିଲିଙ୍ଗ୍‌ ଗ୍ରାମ ସହିତ ଯୋଗ ଦେଇ ପୃଥକ୍‌ ପୃଥକ୍‌ ତାରିଖରେ ଗୋଚୀ ଉତ୍ସବ ପାଳନ କରନ୍ତି। ବିଲିଙ୍ଗ୍‌ ଗ୍ରାମରେ ଚାରିଟି ପରିବାରରେ ପୁତ୍ର ଜନ୍ମିଥିବାରୁ ଏ ବର୍ଷ ଗୋଚୀ ଉତ୍ସବ ବେଶ୍‌ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ପୁତ୍ରଲାଭକାରୀ ପରିବାର ମଧ୍ୟ ବିଶେଷ ଆୟୋଜନ କରି ଗ୍ରାମବାସୀଙ୍କୁ ନିମନ୍ତା ଦେଉଛନ୍ତି। ଗୋଚୀ ଉତ୍ସବ କାଳରେ ଲୋକେ ପାରମ୍ପରିକ ବେଶପୋଷାକ ସାଜି ଲୋକଗୀତ ଓ ନୃତ୍ୟ ଆୟୋଜନ କରନ୍ତି। ଗୋଚୀ ଉତ୍ସବର ପ୍ରଧାନ ବୈଶିଷ୍ଟ୍ୟ ହେଉଛି ପୁତ୍ରପ୍ରାପ୍ତି ସଂକ୍ରାନ୍ତ ଭବିଷ୍ୟସୂଚନା ନିମନ୍ତେ ଶର ସନ୍ଧାନ କରିବା। ପ୍ରଥମ ଶର ସନ୍ଧାନ କରନ୍ତି ଗ୍ରାମ ପୁରୋହିତ। ଏ ପୂଜାବିଧି ନିମନ୍ତେ ଭିନ୍ନ ଭିନ୍ନ ଗ୍ରାମ ଭିନ୍ନ ଭିନ୍ନ ସଙ୍କେତ ପ୍ରସ୍ତୁତ କରିଥାଆନ୍ତି। କେତେକ କପଡ଼ାରେ ଚମରୀ ଗାଈ ନିର୍ମାଣ କରିଥାଆନ୍ତି, ଆଉ କେତେକ ଲହୁଣିରେ ଛାଗଳ ଗଢ଼ି ଥାଆନ୍ତି, ପୁଣି କେତେକ ବରଫ କାଟି ତିଆରି କରିଥାଆନ୍ତି ଶିବଲିଙ୍ଗ।

ଦିଅଁଦେବତା ପୂଜା ଏବଂ ସନ୍ଧାନ କରାଯିବାକୁ ଥିବା ଶରସଂଖ୍ୟା ଉପରେ ପୂର୍ବାନୁମାନ ପ୍ରକ୍ରିୟା ନିର୍ଭର କରେ। ଏ ନିଷ୍ପତ୍ତି ନେଇଥାଆନ୍ତି ପୁରୋହିତ। ଧରାଯାଉ, ଲହୁଣି-ଛାଗଳ ଅଥବା ଅନ୍ୟ କୌଣସି ସାଙ୍କେତିକ ପ୍ରତିମାକୁ ଲକ୍ଷ୍ୟ ଭାବେ ଧାର୍ଯ୍ୟ କରାଗଲା। ଯେତୋଟି ଶର ସେ ସ୍ଥିରୀକୃତ ଲକ୍ଷ୍ୟ ଭେଦକରିବ ଆଗାମୀ ବର୍ଷ ଗ୍ରାମରେ ସେତୋଟି ପୁତ୍ର ହେବ ବୋଲି ବିଶ୍ବାସ କରାଯାଏ। ଏ ପୂର୍ବାନୁମାନ ଈଶ୍ବରଙ୍କ ଦ୍ବାରା ସୂଚିତ ବୋଲି ଲୋକବିଶ୍ବାସ ଚଳିଆସୁଛି। ଗତବର୍ଷ ଯେଉଁ ପରିବାରରେ ପୁତ୍ର ଜନ୍ମ ହୋଇଥାଏ ସେମାନେ ଚଳିତ ବର୍ଷ ଗୋଚୀ ଉତ୍ସବ ଆୟୋଜନ କରିଥାଆନ୍ତି। ସେ ପରିବାର ପୂଜା, ପ୍ରତିମା, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆୟୋଜନ ବାବଦ ବ୍ୟୟ ବହନ କରିଥାଏ। ଏ ଦାୟିତ୍ବ ବଡ଼ ସୌଭାଗ୍ୟର ବିଷୟ ହୋଇଥିବାରୁ ଲୋକେ ସଗୌରବ ତାହା ନିର୍ବାହ କରିଥାଆନ୍ତି। ସେଠାକାର ପ୍ରାକ୍ତନ ଜିଲ୍ଲା ପରିଷଦ୍‌ ସଦସ୍ୟ କୁଙ୍ଗା ବୋଧ କହନ୍ତି, ‘‘ଏଥର ପୁରୋହିତ ପ୍ରାୟ ପନ୍ଦରଟି ଶର ନିକ୍ଷେପ କରିଥିଲେ। ସେଥିରୁ ତିନିଟି ଶର କପଡ଼ାନିର୍ମିତ ଚମରୀ ଗାଈ ଶରୀରରେ ବିଦ୍ଧ ହୋଇଛି। ତେଣୁ, ଆଗାମୀ ବର୍ଷ ଗ୍ରାମରେ ତିନିଟି ପୁତ୍ର ଜାତ ହେବେ ବୋଲି ପୂର୍ବାଭାସ ମିଳିଛି। ଅତୀତରେ ଏ ପ୍ରକାର ପୂର୍ବାଭାସ ବହୁବାର ସତ୍ୟ ମଧ୍ୟ ହୋଇଛି। ତେଣୁ ଏଥିପ୍ରତି ଲୋକମାନଙ୍କର ଆଗାଧ ବିଶ୍ବାସ ରହିଛି।’’

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button