ଓଡିଶାଜିଲ୍ଲା

Chandra Grahan 2026: ଦୋଳପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ’ଣ ଖାଇବେ, କ’ଣ ପିଇବେ ?

ଚନ୍ଦ୍ରଗ୍ରହଣରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଓ ଗ୍ରସ୍ତାଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ ହୋଇଥାଏ। ଗ୍ରସ୍ତୋଦୟ ହେତୁ ଗ୍ରହଣ ଦୃଶ୍ୟର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ

ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ଦିବା ୪ଟା ୩୪ରେ ହେଉଥିବା ବେଳେ ଦିନବେଳା ହେତୁ ଏହା ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ଅପରାହ୍ଣ ୫ଟା ୩୨ରେ ସଂପୂର୍ଣ୍ଣ ମଧ୍ୟ ଶେଷ ହେବ ଯାହା ଓଡ଼ିଶା କିମ୍ବା ଭାରତକୁ ଦୃଶ୍ୟ ହେବ ନାହିଁ। ସୂର୍ଯ୍ୟାସ୍ତ ପରେ ସଂଧ୍ୟା ୫ଟା ୫୦ରେ ଚନ୍ଦ୍ରୋଦୟ ଗ୍ରହଣ ଲାଗିଥିବା ଅବସ୍ଥାରେ ହେବ, ଯାହା ଦୃଶ୍ୟ ହେବ। ଏହା ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ। ସନ୍ଧ୍ୟା ୬ଟା ୪୭ରେ ଆଂଶିକ ଗ୍ରହଣ ଶେଷ ସହ ସର୍ବମୋକ୍ଷ ହେବ।

ଚନ୍ଦ୍ରଗ୍ରହଣରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଓ ଗ୍ରସ୍ତାଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ ହୋଇଥାଏ। ଗ୍ରସ୍ତୋଦୟ ହେତୁ ଗ୍ରହଣ ଦୃଶ୍ୟର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ। ଏ ଦିନର ପ୍ରାତଃପୂଜା ଭୋର ୫ଟା ୫୦ ପୂର୍ବରୁ କରଣୀୟ। ଦିନମାନ ଭିତରେ ଚୁଡ଼ା, ମୁଢ଼ି, ଖଇ, ଗୁଡ଼, କଦଳୀ ପ୍ରଭୃତି ଖାଇବା ଉଚିତ। ପଇଡ଼, ଦହି ଓ ଲେମ୍ବୁ ସର୍ବତ୍ ପ୍ରଭୃତି ପିଆଯାଇପାରିବ।

ସଂଧ୍ୟା ୬ଟା ୪୭ ପରେ ସ୍ନାନ କରି ଓ ଠାକୁରମାନଙ୍କ ମହାସ୍ନାନ କରାଇ ସଂଧ୍ୟାକାଳୀନ ଦେବପୂଜା ଓ ରୋଷେଇବାସ ଇତ୍ୟାଦି କରାଯାଇପାରିବ। ଛୋଟ ପିଲା, ବୁଢ଼ାବୁଢ଼ୀ ଓ ରୋଗୀମାନଙ୍କ ପାଇଁ ନିୟମ ପାଳନ ବାଧ୍ୟତାମୂଳକ ନୁହେଁ ବୋଲି ଜ୍ୟୋତିର୍ବିଦ୍‌ମାନେ କହିଛନ୍ତି। ଗ୍ରହଣ ଦିନଠାରୁ ସପ୍ତାହବ୍ୟାପୀ ଦୂରଯାତ୍ରା, ଏକଦିନ ବିବାହ ଓ ତିନିଦିନ ବ୍ରତ ନିଷେଧ। ଜ୍ୟୋତିର୍ବିଦ୍‌ଙ୍କ ମତରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ଏବଂ ୨, ୫, ୧୧. ୧୪, ୨୦ ଓ ୨୩ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଗ୍ରହଣ-ଦର୍ଶନେ ଅଶୁଭ ଓ ଅନ୍ୟମାନଙ୍କର ଶୁଭ କିନ୍ତୁ ପ୍ରଥମ ଦର୍ଶନ ପାଇଁ ବାରଣ ନାହିଁ। ପ୍ରଥମ ଦର୍ଶନ ପରେ ଓ ସର୍ବମୋକ୍ଷ ପରେ ସ୍ନାନ, ଦାନାଦି କରାଯାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button