ଓଡିଶାଜିଲ୍ଲା

Child marriage: ବାଲ୍ୟବିବାହରୁ ବଙ୍କୁଲି ବାଡ଼ି ଯାଏଁ…

ପ୍ରେମ ଶାଶ୍ବତ, ଚିରନ୍ତନ। ପ୍ରେମ କେବେ କାହା ସହ ହୋଇଯାଏ ଜାଣି ହୁଏନା। ବିବାହ ପୂର୍ବର ପ୍ରେମ ଆଉ ବିବାହ ପରେ ପ୍ରେମ ଭିତରେ ଯଦି କିଏ ପ୍ରଭେଦ ପ୍ରମାଣ ମାଗେ ତେବେ ଉତ୍ତର କ’ଣ....

ବ୍ରହ୍ମପୁର: ପ୍ରେମ ଶାଶ୍ବତ, ଚିରନ୍ତନ। ପ୍ରେମ କେବେ କାହା ସହ ହୋଇଯାଏ ଜାଣି ହୁଏନା। ବିବାହ ପୂର୍ବର ପ୍ରେମ ଆଉ ବିବାହ ପରେ ପ୍ରେମ ଭିତରେ ଯଦି କିଏ ପ୍ରଭେଦ ପ୍ରମାଣ ମାଗେ ତେବେ ଉତ୍ତର କ’ଣ ଆସିବ? ଗଞ୍ଜାମ ଜିଲ୍ଲାର ଦୁଇ ଦମ୍ପତି ଏ କ୍ଷେତ୍ରରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବାଲ୍ୟବିବାହ ପରେ ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ ଏବେ ବଙ୍କୁଲି ବାଡ଼ି ଧରି ଚାଲିବା ଯାଏଁ ବି ପୂର୍ବବତ୍‌ ରହିଛି। ଯାହାକି ପରବର୍ତ୍ତୀ ପିଢ଼ି ଲାଗି ପ୍ରେମର ନୂଆ ଛାପ ଛାଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଖଲ୍ଲିକୋଟ ବ୍ଲକ୍‌ ଖୋଜାପଲ୍ଲୀ ଗ୍ରାମର ବୈଷ୍ଣବ ପ୍ରଧାନ ଓ ସମ୍ବାରୀ ପ୍ରଧାନ। ଦୁହେଁ ବାଲ୍ୟବିବାହ କରି ଜୀବନସାଥୀ ହୋଇଥିଲେ। ବୟସାଧିକ୍ୟ କାରଣରୁ ବୈଷ୍ଣବ ଆଉ ଚାଲି ପାରୁନାହାନ୍ତି। ବିଛଣାରେ ପଡ଼ି ରହିଛନ୍ତି। ସମ୍ବାରୀ ଏହି ବୟସରେ ମଧ୍ୟ ସ୍ବାମୀଙ୍କ ସେବାଯତ୍ନରେ ଲାଗିଛନ୍ତି। ଦୁଇ ପୁଅ ବାହାରେ ରହୁଛନ୍ତି। ଏଣେ ଶତାୟୁ ଦମ୍ପତି ଗାଁ ସ୍କୁଲ୍‌ ପାଖ ଟିଣ ଛପର କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ୧୦ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତାରେ କଷ୍ଟେମଷ୍ଟେ ଚଳିଯିବା ଛଡ଼ା ଉପାୟ ବି ନାହିଁ। ହେ‌ଲେ ଆଜି ଯାଏଁ କେହି କାହା ହାତ ଛାଡ଼ି ନାହାନ୍ତି।

ଆଉ ଏକ ବୃଦ୍ଧ ଦମ୍ପତି ହେଲେ ଆସିକା ବ୍ଲକ୍‌ ଝଗଡ଼େଇ ଗ୍ରାମର ମୋହନ ସ୍ୱାଇଁ (୮୫) ଓ ପତ୍ନୀ ଶଶିକଳା ସ୍ୱାଇଁ (୭୬)। ଚମ ଧୁଡ଼ୁଧୁଡ଼ୁ ହେଲାଣି। ମୋହନ ବଙ୍କୁଲି ବାଡ଼ି ନ ଧରିଲେ ଛିଡ଼ା ହେବା କଷ୍ଟ। ପରିବାର କହିଲେ, ୨ ଝିଅ ବାହା ହୋଇ ଯାଇଛନ୍ତି। ପୁଅବୋହୂ ମୂଲ ଲାଗିବା କାମରେ ବାହାର ଜିଲ୍ଲାରେ ରହୁଛନ୍ତି। ଏବେ ଘରେ ବୃଦ୍ଧ ଦମ୍ପତି ନିସଙ୍ଗ ଜୀବନ ଜିଉଁଛନ୍ତି, ହେଲେ ସେମାନଙ୍କ ଜୀବନ ନିରସ ହୋଇନି। ମାତ୍ର ୧୦ ବର୍ଷ ବୟସରେ ଏମାନେ ବାଲ୍ୟବିବାହ କରିଥିଲେ। ଘରେ ରୋଷେଇଠାରୁ ନେଇ ଅସୁସ୍ଥ ସ୍ବାମୀଙ୍କର ସବୁ କାମ କରନ୍ତି ସେ। ଜଣେ ଅନ୍ୟ ଜଣର ଛାଇ ପରି ରୁହନ୍ତି। ଚଳିବାରେ କଷ୍ଟ ହେଲେ ବି ଏମାନେ ସୁଖଦୁଃଖର ଭାଗିଦାର ହୋଇ ରହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button