ୱାସିଂଟନ: ଇରାନରୁ ତେଲ କିଣିବା ନେଇ ଆମେରିକା ଚୀନ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି, ଇରାନରୁ ଚୀନ୍ ତେଲ କିଣିପାରିବ ନାହିଁ। ଅବରୋଧ ନିଶ୍ଚିତ କରିବା ପାଇଁ କୌଣସି ଚୀନ୍ କିମ୍ବା ଅନ୍ୟ ଜାହାଜକୁ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ। ସେମାନେ ତେଲ ନେଇପାରିବେ, କିନ୍ତୁ ଇରାନୀ ତେଲ ନେଇପାରିବେ ନାହିଁ ବୋଲି ବେସାଣ୍ଟ ସ୍ପଷ୍ଟ କରିଛନ୍ତି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ,ବେସେଣ୍ଟ କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଚୀନ୍ ଏକ ବିଶ୍ୱାସଯୋଗ୍ୟ ବିଶ୍ୱ ସହଯୋଗୀ ଭାବେ କାର୍ଯ୍ୟ କରିନାହିଁ। ସେ ଚୀନ୍ ଉପରେ ତୈଳ ଯୋଗାଣ ଗଚ୍ଛିତ ରଖିବା ଏବଂ କିଛି ସାମଗ୍ରୀର ରପ୍ତାନିକୁ ସୀମିତ କରିବାର ଅଭିଯୋଗ ଆଣିଛନ୍ତି। ବେସାଣ୍ଟଙ୍କ ଅନୁଯାୟୀ, ଆଚରଣ କୋଭିଡ୍-୧୯ ମହାମାରୀ ସମୟରେ ଚିକିତ୍ସା ସାମଗ୍ରୀ ଯୋଗାଣରେ ଚୀନ୍ ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ସେହିଭଳି ନିଜ ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରୁଛି।
ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ସମୟରେ ଚୀନ୍ର କାର୍ଯ୍ୟକୁ ବେସେଣ୍ଟ ସମାଲୋଚନା କରି କହିଛନ୍ତି, ସେଥିପାଇଁ ତେଲ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ପାଇବା ସହ ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତିନିଥର ଏକ ଅବିଶ୍ୱାସ ଯୋଗ୍ୟ କାର୍ଯ୍ୟ କରିଛି। ଇରାନ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ବିଶ୍ୱବ୍ୟାପୀ ତେଲ ଚାହିଦା ବୃଦ୍ଧି ପାଇଛି। ଏହାର ସମାଧାନ କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ, ଚୀନ୍ କେବଳ ତେଲ ଗଚ୍ଛିତ କରିବାରେ ଲାଗିଛି। ଚୀନ୍ ପାଖରେ ପୂର୍ବରୁ ୩୨ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମିଳିତ ଭଣ୍ଡାର ସହିତ ସମକକ୍ଷ ଏକ ରଣନୈତିକ ପେଟ୍ରୋଲିୟମ୍ ରିଜର୍ଭ ଅଛି। ତଥାପି ଚୀନ୍ ତେଲ କିଣିବା ଜାରି ରଖିଛି। ଚୀନ୍ ୯୦ ପ୍ରତିଶତରୁ ଅଧିକ ଇରାନୀ ତେଲ କିଣୁଛି, ଯାହା ଏହାର ବାର୍ଷିକ କ୍ରୟର ପ୍ରାୟ ୮ ପ୍ରତିଶତ। ବେସେଣ୍ଟ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଏହି ପ୍ରସଙ୍ଗ ବିଷୟରେ ଚୀନ୍ ଅଧିକାରୀଙ୍କ ସହ କଥା ହୋଇଛି। ଏହି ବିବାଦ ମେ’ ମାସ ମଧ୍ୟଭାଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବେଜିଂ ଗସ୍ତକୁ ପ୍ରଭାବିତ କରିବ କି ନାହିଁ ସେ ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଦେଇଛନ୍ତି।, କିନ୍ତୁ ସେ କହିଛନ୍ତି ଯେ, ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି।
ସୌଜନ୍ୟ ସମ୍ବାଦ

