ପାର୍କିନ୍ସନ୍ ଏକ ମସ୍ତିଷ୍କଜନିତ ରୋଗ। ଆମ ମସ୍ତିଷ୍କର ‘ସବ୍ସ୍ତାନ୍ସିଆ ନିଗ୍ରା’ ଅଂଶରୁ ଡୋପାମିନ୍ ନାମକ ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ, ଯାହା ଆମ ଶରୀରର ସାବଲୀଳ ଓ ସମନ୍ବିତ ଚଳନ ପାଇଁ ଆବଶ୍ୟକ। ଡୋପାମିନ୍ କମିଗଲେ ଶରୀରର ଚଳନ ଧୀମା ହେବା ସହ କମ୍ପନ ଓ ସନ୍ତୁଳନରେ ସମସ୍ୟା ଦେଖାଯାଏ। ଏହାକୁ ପାର୍କିନ୍ସନ୍ କୁହାଯାଏ।
ପ୍ରତିବର୍ଷ ୧୧ ଏପ୍ରିଲ୍କୁ ବିଶ୍ବ ପାର୍କିନ୍ସନ୍ ଦିବସ ଭାବେ ପାଳନ କରାଯାଏ। ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ଜେମ୍ସ ପାର୍କିନ୍ସନ୍ଙ୍କ ଜନ୍ମଦିନକୁ ସ୍ମରଣ କରି ଏହି ସ୍ବତନ୍ତ୍ର ଦିବସ ସ୍ଥିର ହୋଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି, ପାର୍କିନ୍ସନ୍ ରୋଗ ସମ୍ପର୍କରେ ସଚେତନତା, ଏ ସଂକ୍ରାନ୍ତୀୟ ଭ୍ରାନ୍ତି ଦୂର କରିବା ଓ ରୋଗୀଙ୍କୁ ସହାୟତା ପ୍ରଦାନ କରିବା। ଉଲ୍ଲେଖଯୋଗ୍ୟ, ୧୮୧୭ରେ ଡାକ୍ତର ପାର୍କିନ୍ସନ୍ ପ୍ରଥମେ ଏହି ରୋଗକୁ ‘ସେକିଂ ପଲ୍ସି’ ଭାବେ ନାମିତ କରିଥିଲେ।
ପାର୍କିନ୍ସନ୍ର କାରଣ
ସମସ୍ତଙ୍କ କ୍ଷେତ୍ରରେ ପାର୍କିନ୍ସନ୍ର ସ୍ପଷ୍ଟ କାରଣ ଜଣାପଡ଼େ ନାହିଁ। ତଥାପି କେତେକ ପ୍ରମୁଖ କାରଣ ଚିହ୍ନଟ ହୋଇଛି। ବୟସ ବଢ଼ିବା ସହ ମସ୍ତିଷ୍କର କେତେକ କୋଷ ଧୀରେ ଧୀରେ କାର୍ଯ୍ୟ କରିବା ଶକ୍ତି ହରାଏ। ଏହି କାରଣରୁ ପ୍ରାୟ ୬୦ ବର୍ଷ ବୟସ ପରେ ଏହି ରୋଗର ଆଶଙ୍କା ଅଧିକ। କେତେକ ପରିବାରରେ ବଂଶଗତ ଭାବେ ଏହା ଦେଖାଯାଏ। ଦୀର୍ଘଦିନ ଧରି କୀଟନାଶକ, ବିଷାକ୍ତ ରାସାୟନିକ ପଦାର୍ଥ ଓ ବାୟୁ ପ୍ରଦୂଷଣ ଭିତରେ ରହିଲେ ଏହି ରୋଗ ହୋଇଥାଏ।
ରୋଗର ଲକ୍ଷଣ
ପାର୍କିନ୍ସନ୍ର ଲକ୍ଷଣ ଧୀରେ ଧୀରେ ଜଣାପଡ଼େ। ଆରମ୍ଭରେ ଏହା ଶରୀରରଗୋଟିଏ ପାର୍ଶ୍ବରେ ଦେଖାଯାଇପାରେ। ଫଳରେ ହାତ କିମ୍ବା ପାଦ କମ୍ପିବା, ଚାଲି ମନ୍ଥର ହେବା, ଶରୀର ସାମନାକୁ ଝୁଲିଯିବା, କଥାବାର୍ତ୍ତା ସ୍ପଷ୍ଟ ନ ହେବା, ମୁହଁର ଭାବଭଙ୍ଗୀ କମିଯିବା, ନିଦ୍ରାରେ ସମସ୍ୟା, ଉଦାସୀନତା, ଅବସାଦ ଓ ସ୍ମୃତିହ୍ରାସ ପରି ସମସ୍ୟା ଦେଖାଯାଏ।
ଚିକିତ୍ସା
ପାର୍କିନ୍ସନ୍ରୁ ସମ୍ପୂର୍ଣ୍ଣ ସୁସ୍ଥତା କଷ୍ଟକର। ତେବେ ଉପଯୁକ୍ତ ଓ ନିୟମିତ ଚିକିତ୍ସା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଡୋପାମିନ୍ ଅଭାବ ପୂରଣ କରୁଥିବା ଔଷଧ ସେବନ, ନିୟମିତ ଚାଲିବା, ଯୋଗାସନ ଓ ପ୍ରାଣାୟମ ଅଭ୍ୟାସ ଜରୁରି। ସେହିପରି ସ୍ପିଚ୍, ଓକ୍ୟୁପେସନାଲ୍ ଥେରାପି ଓ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ସର୍ଜରି ଦରକାର ହୋଇଥାଏ। ଏହି ରୋଗ ହେଲେ ବୟସର ଦୋଷ ଭାବି ଅଣଦେଖା ନକରି ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ସଂକ୍ରାମକ ନୁହେଁ। ସଚେତନତା, ପାରିବାରିକ ସହଯୋଗ ଓ ଉପଯୁକ୍ତ ଚିକିତ୍ସା ପାଇଲେ ରୋଗୀ ସକ୍ରିୟ ଜୀବନ ଯାପନ କରିପାରିବେ।
-ସ୍ନାୟୁରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ୍, ଭୁବନେଶ୍ବର
ସୌଜନ୍ୟ ସମ୍ବାଦ

