Circuit House: ସର୍କିଟ ହାଉସରୁ ବନ୍ଧୁକ ମିଳିବ ଘଟଣା: ଯୁବନେତା ନିଲମ୍ବିତ, ଅଧିକାରୀଙ୍କ ପାଳି କେବେ?
ରାଉରକେଲା ସର୍କିଟ୍ ହାଉସ୍ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଶ୍ରୟ ଦେବା ଓ ବେଆଇନ ମାରଣାସ୍ତ୍ର କାରବାର ଘଟଣା ଏବେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଶ୍ରୟ ଦେବା ଓ ବେଆଇନ ମାରଣାସ୍ତ୍ର କାରବାର ଘଟଣା ଏବେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ, ଏହି ସାରା ବିବାଦରେ ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଶ୍ରୀ ପାଶ୍ୱାନଙ୍କ ସୁପାରିଶକ୍ରମେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ପାନପୋଷ ଉପ-ଜିଲ୍ଲାପାଳ ଅପରାଧୀଙ୍କ ନାମରେ ବେଆଇନ ଭାବେ ରୁମ୍ ଆବଣ୍ଟନ କରିଥିଲେ। ସର୍କିଟ୍ ହାଉସର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ଏହି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଘଟଣାକୁ ନେଇ ରାଉରକେଲାର ବୁଦ୍ଧିଜୀବୀ, ସଚେତନ ନାଗରିକ ତଥା ବିଭିନ୍ନ ଦଳର ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗିରଫ ଅପରାଧୀଙ୍କ ସହ ସିଧାସଳଖ ଯୋଗସୂତ୍ର ଥିବା ଓ ସେମାନଙ୍କୁ ସରକାରୀ ଅତିଥି ଭବନରେ ରହିବା ପାଇଁ ସେ ସହାୟତା କରିଥିବା ସଙ୍ଗିନ ଅଭିଯୋଗ ହେବାପରେ ପ୍ରକାଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କିନ୍ତୁ ଯେଉଁ ସରକାରୀ ଅଧିକାରୀ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ସରକାରୀ ବ୍ୟବସ୍ଥା ଯୋଗାଇଥିଲେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରିନି।
ସୌଜନ୍ୟ ସମ୍ବାଦ




