ନୂଆଦିଲ୍ଲୀ/କାଠମାଣ୍ଡୁ: ଚଳିତ ବର୍ଷ ଭାରତ ଏକ ବଡ଼ ଜଳବାୟୁ ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଛି। ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରଭାବ ସହିତ ହିମାଳୟର ଗଚ୍ଛିତ ବରଫରେ ଐତିହାସିକ ହ୍ରାସ ଯୋଗୁ ସଙ୍କଟ ବଢ଼ିବ ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ)ର ଏକ ଅାକଳନରୁ ଜଣାପଡ଼ିଛି। ଆଇଏମ୍ଡି ନିଶ୍ଚିତ କରିଛି ଯେ ୨୦୨୬ ମେ-ଜୁଲାଇ ସୁଦ୍ଧା ଏଲ୍ ନିନୋ ସ୍ଥିତି ସକ୍ରିୟ ହେବା ସମ୍ଭାବନା ଅଛି। ଏଥିସହିତ, ‘ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲପମେଣ୍ଟ’ (ଆଇସିଆଇଏମ୍ଓଡି)ର ରିପୋର୍ଟ ଅନୁଯାୟୀ, ହିନ୍ଦୁକୁଶ ହିମାଳୟରେ ବରଫର ସ୍ଥିତି ସାଧାରଣ ଠାରୁ ୨୭.୮% କମିଯାଇଛି, ଯାହା ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ।
ଏହି ଦ୍ୱୈତ ଜଳବାୟୁ ସଙ୍କଟ ଭାରତର ପରିବେଶ ଏବଂ ଅର୍ଥନୈତିକ ସ୍ଥିରତା ପାଇଁ ଏକ ଗମ୍ଭୀର ଚେତାବନୀ। ଗୋଟିଏ ପଟେ ଏଲ୍ ନିନୋ ପ୍ରଭାବରେ ମୌସୁମୀ ବର୍ଷା ବାଧାପ୍ରାପ୍ତ ହେବା ଆଶଙ୍କା ଥିବାବେଳେ, ଅନ୍ୟପଟେ ହିମାଳୟର ବରଫ ହ୍ରାସ ପାଇବା ନଦୀଗୁଡ଼ିକର ଜଳସ୍ତର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ଏହି ଦୁଇଟି ସଙ୍କଟ କେବଳ କୃଷି ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ, ବରଂ ଜଳ ବିଦ୍ୟୁତ୍ ଶକ୍ତି ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ଜଟିଳ ପରିସ୍ଥିତି ସୃଷ୍ଟି କରିବ, ଯାହା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଶ୍ବ ପାଣିପାଗ ସଂଗଠନ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଚେତାବନୀ ଦେଇଛି ଯେ ଆଗାମୀ ଦକ୍ଷିଣ-ପଶ୍ଚିମ ମୌସୁମୀ (ଜୁନ୍-ସେପ୍ଟେମ୍ବର) ସାଧାରଣ ଠାରୁ କମ୍ ରହିବା ସମ୍ଭାବନା ଅଛି, ଯାହା ବର୍ତ୍ତମାନ ଦୀର୍ଘକାଳୀନ ହାରାହାରିର ୯୨% ହେବ ବୋଲି ଅନୁମାନ କରାଯାଉଛି। ଯଦିଓ ମୌସୁମୀର ଆରମ୍ଭ ସ୍ୱାଭାବିକ ରହିପାରେ, କିନ୍ତୁ ବର୍ଷର ମଧ୍ୟଭାଗ ସୁଦ୍ଧା ଏଲ୍ ନିନୋ ଅଧିକ ଶକ୍ତିଶାଳୀ ହେବ, ଯାହା ୨୦୨୬ ଶେଷ ସୁଦ୍ଧା ଏକ ଚରମ ଘଟଣାରେ ପରିଣତ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ଜୁନ୍ ମାସରେ ମୌସୁମୀ ସ୍ୱାଭାବିକ ଜଣାପଡ଼ିଲେ ମଧ୍ୟ ଏଲ୍ ନିନୋର ପ୍ରଭାବ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଶିଖରରେ ରହିବ, ଯାହା ଖରିଫ ଫସଲ ପାଇଁ କ୍ଷତିକାରକ ହୋଇପାରେ।
ଏଲ୍ ନିନୋ ପ୍ରଭାବରେ ମୌସୁମୀ ବର୍ଷା ବାଧାପ୍ରାପ୍ତ ଆଶଙ୍କା
ହିମାଳୟର ଗଚ୍ଛିତ ବରଫରେ ଐତିହାସିକ ହ୍ରାସ
ଅନ୍ୟପକ୍ଷରେ ଲଗାତାର ଚତୁର୍ଥ ବର୍ଷ ପାଇଁ ଋତୁକାଳୀନ ବରଫ ସ୍ତର ସ୍ୱାଭାବିକ ସ୍ଥିତିକୁ ଫେରିବାରେ ବିଫଳ ହୋଇଛି। ହିନ୍ଦୁକୁଶ ହିମାଳୟ ଅଞ୍ଚଳର ୧୨ଟି ପ୍ରମୁଖ ନଦୀ ମଧ୍ୟରୁ ୧୦ଟିର ଜଳଧାରା ସ୍ବାଭାବିକ ଠାରୁ କମ୍ ରହିଛି। ସିନ୍ଧୁ ନଦୀ ଅବବାହିକା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଗଙ୍ଗା ନଦୀ ଅବବାହିକା ମଧ୍ୟ ଏହି ଆଞ୍ଚଳିକ ନିଅଣ୍ଟିଆ ସ୍ଥିତିରୁ ମୁକ୍ତ ନୁହେଁ। ବରଫ ସ୍ତରର ଏହି କ୍ରମାଗତ ହ୍ରାସ କୋଟି କୋଟି ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି, ଯେଉଁମାନେ ପାନୀୟ ଜଳ, ଜଳସେଚନ ଏବଂ ଜଳ ବିଦ୍ୟୁତ୍ ପାଇଁ ଏହି ନଦୀଗୁଡ଼ିକ ଉପରେ ନିର୍ଭର କରନ୍ତି। ଏହି ଦ୍ୱୈତ ସଙ୍କଟ ଭାରତର ୪ ଟ୍ରିଲିୟନ ଡଲାରର ଅର୍ଥନୀତି ଏବଂ କୃଷି କ୍ଷେତ୍ର ପାଇଁ ଏକ ବଡ଼ ବିପଦ। ବର୍ଷାର ଅଭାବ ଯୋଗୁଁ ଧାନ, ଡାଲି, ସୋୟାବିନ୍ ଏବଂ କପା ଭଳି ଖରିଫ ଫସଲର ଅମଳ ବହୁ ପରିମାଣରେ ହ୍ରାସ ପାଇପାରେ। ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଖାଦ୍ୟ ମୁଦ୍ରାସ୍ଫୀତି ୪.୫%ରୁ ଅଧିକ ହୋଇପାରେ, ଯାହାକି କେନ୍ଦ୍ରୀୟ ବ୍ୟାଙ୍କକୁ ସୁଧ ହାର ବଢ଼ାଇବାକୁ ବାଧ୍ୟ କରିପାରେ ଏବଂ ୨୦୨୭ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧିକୁ ମନ୍ଥର କରିଦେଇପାରେ। ଏଥିସହିତ ବରଫ ତରଳିବା ଏବଂ ବର୍ଷା କମିବା ଯୋଗୁଁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ । ତେବେ କିଛି ପାଣିପାଗ ମଡେଲ ସୂଚନା ଦେଉଛି ଯେ ମୌସୁମୀ ଋତୁର ଶେଷ ଆଡ଼କୁ ଏକ ସକାରାତ୍ମକ ‘ଇଣ୍ଡିଆନ୍ ଓସେନ୍ ଡାଇପୋଲ୍’ (ଆଇଓଡି) ସୃଷ୍ଟି ହୋଇପାରେ। ଯଦି ଏହା ଶକ୍ତିଶାଳୀ ହୁଏ, ତେବେ ଏହା ୨୦୨୬ ଶେଷ ଆଡ଼କୁ ବର୍ଷାର ନିଅଣ୍ଟିଆ ସ୍ଥିତିକୁ କିଛି ପରିମାଣରେ ଭରଣା କରିପାରେ। ଆଇଓଡି ହେଉଛି ଭାରତୀୟ ମହାସାଗରରେ ଦେଖାଯାଉଥିବା ଏକ ଜଳବାୟୁ ପ୍ରକ୍ରିୟା, ଯାହା ସମୁଦ୍ର ପୃଷ୍ଠର ତାପମାତ୍ରାରେ ହେଉଥିବା ପରିବର୍ତ୍ତନକୁ ବୁଝାଏ।
ସୌଜନ୍ୟ ସମ୍ବାଦ

