ପୁନଶ୍ଚ ପୃଥିବୀ

Climate change: ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଆରମ୍ଭ ହୋଇନାହିଁ ଗଣଅଣ୍ଡାଦାନ, ଅଲିଭ୍‌ରିଡ୍‌ଲେଙ୍କ ବିକ୍ଷିପ୍ତ ଅଣ୍ଡାଦାନରୁ ବାହାରିଲେଣି ଛୁଆ

ମାର୍ଚ୍ଚ ମାସ ସରିବାକୁ ବସିଛି। ‌ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ଗହୀରମଥାରେ ଏଯାଏଁ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ....

ରାଜନଗର: ମାର୍ଚ୍ଚ ମାସ ସରିବାକୁ ବସିଛି। ‌ହେଲେ, କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ବ୍ଲକ୍‌ର ଗହୀରମଥାରେ ଏଯାଏଁ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ମାସେ ହେଲା ଠୁଳ ହୋଇଥିଲେ ମଧ୍ୟ ଅଣ୍ଡା ଦେବା ପାଇଁ ବାଲୁକାଶଯ୍ୟା ଉପରକୁ ଆସୁ ନାହାନ୍ତି। ଇତିମଧ୍ୟରେ ଋଷିକୁଲ୍ୟାରେ କଇଁଛଙ୍କ ଗଣଅଣ୍ଡାଦାନ ହୋଇସାରିଥିଲା ବେଳେ ଗହୀରମଥାରେ ଏହି ପ୍ରକ୍ରିୟା ନ ହେବା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ଜଳବାୟୁ ପରିବର୍ତ୍ତନ ଏହା ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପଟେ, ଚଳିତବର୍ଷ ସବୁଠୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଛନ୍ତି। ଅସ୍ଥାୟୀ ହାଚେରିକୁ ନିଆଯାଇଥିବା ଏହି ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଗତ ଏକମାସ ଭିତରେ ନାସୀ-୧, ନାସୀ-୨, ମାଦଳୀ, ସାତଭାୟା, ହବାଳିଖଟି, ଚିଞ୍ଚିରି ଓ ଦୋବନ୍ଧିରେ ୩୫୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିଲେ। ବିକ୍ଷିପ୍ତ ଅଣ୍ଡାଦାନରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ବିକ୍ଷିପ୍ତ ଭାବେ ଅଲିଭ୍‌ରିଡ୍‌ଲେ ଦେଇଥିବା ଅଣ୍ଡା ସଂଗ୍ରହ କରି ହାଚେରିରେ ରଖାଯାଇଥିଲା। ସେଥିରୁ ଗତ ୨୩ ତାରିଖରୁ ଛୁଆ ବାହାରିବା ଆରମ୍ଭ ହୋଇଛି। ବାବୁବାଲିର ଗୋଟିଏ ବସାରୁ ୩୫ଟି, ଅନ୍ୟ ଏକ ବସାରୁ ୧୧୫ଟି ଏବଂ ଏକକୂଳାର ଗୋଟିଏ ବସାରୁ ୧୩୦କଇଁଛ ଶାବକ ବାହାରିଛନ୍ତି। ସମସ୍ତ ଶାବକଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ି ଦିଆଯାଇଛି।

ଫେବ୍ରୁଆରିରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ମଧ୍ୟରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ଗତବର୍ଷ ପ୍ରଥମେ ଋଷିକୁଲ୍ୟା ଏବଂ ପରେ ଗହୀରମଥାରେ ଗଣଅଣ୍ଡାଦାନ ହୋଇଥିଲା। ତେବେ ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ କାରଣରୁ ମଝିରେ ମଝିରେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଗତ ୨୦୦୮ ଓ ୨୦୧୪ରେ ଗଣଅଣ୍ଡାଦାନ ପ୍ରକ୍ରିୟା ହୋଇପାରି ନ ଥିଲା। ୨୦୦୮ରେ ୩ହଜାର ୧୨୧ କଇଁଛ ଅଣ୍ଡା ଦେଇଥିଲା ବେଳେ ୨୦୧୪ରେ କେବଳ ୫୨୫ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ଦୁଇ ବର୍ଷ ଲକ୍ଷାଧିକ କଇଁଛ କୂଳରେ ଥିଲେ ମଧ୍ୟ ଅଣ୍ଡା ଦେବାକୁ ଆସି ନ ଥିଲେ। ସେହିପରି ୨୦୨୦ରେ ମାର୍ଚ୍ଚ୨୦, ୨୦୨୧ରେ ମାର୍ଚ୍ଚ ୨୪, ୨୦୨୨ରେ ମାର୍ଚ୍ଚ୨୫, ୨୦୨୩ରେ ମାର୍ଚ୍ଚ ୯, ୨୦୨୪ରେ ଏପ୍ରିଲ୍‌୨ ଓ ୨୦୨୫ରେ ମାର୍ଚ୍ଚ ୫ତାରିଖରେ ଗଣଅଣ୍ଡାଦାନ ହୋଇଥିଲା। ହେଲେ, ଚଳିତବର୍ଷ ବିକ୍ଷିପ୍ତ ଅଣ୍ଡାଦାନରୁ ଛୁଆ ବାହାରି ସମୁଦ୍ରକୁ ଯାଇଥିଲା ବେଳେ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଏବଂ ମାର୍ଚ୍ଚ ମାସରେ ବର୍ଷାପାଗ ଯୋଗୁଁ ଗଣଅଣ୍ଡାଦାନ ହୋଇ ନ ଥିବା ଜଣାପଡ଼ିଛି। ବାଲି ଗରମ ଥିଲେ ଏବଂ ଗରମ ପବନ ସହ ଦକ୍ଷିଣା ପବନ ବହିଲେ କଇଁଛମାନେ ଗଣଅଣ୍ଡାଦାନ କରିଥା’ନ୍ତି। ହେଲେ କିଛିଦିନ ହେଲା ମେଘୁଆ ପାଗ ଥିବାରୁ କଇଁଛମାନେ ଅଣ୍ଡା ଦେବାକୁ ଆସୁ ନ ଥିବା ଜଣାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button