ଓଡିଶା

Cold Wave: ନଗଡ଼ାରେ ହାଡ଼ଥରା ଜାଡ଼, କୁହୁଡ଼ି ଆସ୍ତରଣ

ସପ୍ତାହ ଧରି ନଗଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହାଡ଼ଥରା ଜାଡ଼ ଓ କୁହୁଡ଼ିରେ କଲବଲ ହେଉଛି ସାଧାରଣ ଜୁଆଙ୍ଗ ଜୀବନ। ଦିନର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରି ସେଲସିଅସ୍ ମଧ୍ୟରେ ରହୁଛି।

କାଳିଆପାଣି (ରବି ନାରାୟଣ କର): ସପ୍ତାହ ଧରି ଯାଜପୁରଜିଲ୍ଲା ନଗଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହାଡ଼ଥରା ଜାଡ଼ ଓ କୁହୁଡ଼ିରେ କଲବଲ ହେଉଛି ସାଧାରଣ ଜୁଆଙ୍ଗ ଜୀବନ। ଦିନର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରି ସେଲସିଅସ୍ ମଧ୍ୟରେ ରହୁଛି। ସେହିପରି ଦିନ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖାଯାଉଛି। ଗତକାଲି ନଗଡ଼ା ଗସ୍ତରେ ଥିବା ଜଣେ ସରକାରୀ ଅଧିକାରୀଙ୍କ ଠାରୁ ଏ ସଂପର୍କିତ ସୂଚନା ମିଳିଛି। ନଗଡ଼ା ତୁଳନାରେ ତୁମୁଣି, ତଳଡିହ ଓ ଗୁହିଆଶାଳ ଗ୍ରାମବାସୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଯାଇଛି। ଶୀତ ଲହରି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରାଉଥିବା ନେଇ ତୁମୁଣି ଗାଁ ମୁଖିଆ ମିଟୁ ପ୍ରଧାନ ପ୍ରଧାନ କହନ୍ତି। ଲୋକେ ଘରେଘରେ କାଠ ମୁଣ୍ଡିଆ ଜାଳି ନିଆଁ ପୁଉଁଥିବା ଦେଖାଯାଉଛି। ୫ ପାହାଡ଼ମାଳା ସାତକୁଲିଆ, କମ୍ଭାରୁଣି, କମୁଣ୍ଡେଇଥଳ, ଏକୁଲ ଓ ଦେଓଗାଁ ମଧ୍ୟବର୍ତ୍ତୀ ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଏବର୍ଷର ଶୀତ ସବୁକୁ ବଳିଯାଇଛି ବୋଲି କହନ୍ତି ନାଲିଆଡାବର ବୃଦ୍ଧ ସୁକଦେବ ମହାକୁଡ଼।

ତଳ, ମଝି ଓ ଉପର ନଗଡ଼ାରେ ୭୫ ଗୋଟି ଜୁଆଙ୍ଗ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦିଆଯାଇଛି। ଗାଁ ଦାଣ୍ଡ କଂକ୍ରିଟ୍‌ କରାଯାଇଛି। ଗାଁକୁ ପକ୍କା ସଡ଼କ ବ୍ୟବସ୍ଥା ରହିଛି। ହେଲେ ସବୁଦିନିଆ ରାସ୍ତା ନଥିବା ତୁମୁଣି, ତଳଡିହ ଓ ଗୁହିଆଶାଳ ଗାଁକୁ ଚାରିପଟେ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରିରହିଛି। ୭୫ ରୁ ଅଧିକ ଜୁଆଙ୍ଗ ପରିବାର ଝାଟିମାଟି, ଛଣଛପର ଓ ପଲିଥିନ ଢଙ୍କା କୁଡ଼ିଆ ଘରେ ରହୁଛନ୍ତି। ମାଟି ଚଟାଣରେ ଚାଲିଲା ବେଳକୁ ପାଦ କୋଲ ମାରିଯାଉଛି ବୋଲି କହନ୍ତି ଗୁହିଆଶାଳ ଗାଁର ସ୍ବର୍ଗତ ଈଶ୍ବର ପ୍ରଧାନଙ୍କ ପତ୍ନୀ ତୁଳସୀ। ଅଖାବସ୍ତା କିଣି ଏହାକୁ ଚଟାଣରେ ବିଛାଇବା ପରେ ଘର ଭିତରେ ଚଲାବୁଲା କିମ୍ବା ଶୋଇବା ସମ୍ଭବ ହେଉଛି।

ବିଳମ୍ବ ହେଉଛି ଲୋକଙ୍କର କାମ

ସାଧାରଣ ସକାଳ ନିତ୍ୟକର୍ମ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ୨ରୁ ୩ ଘଣ୍ଟା ଡେରି ହୋଇଯାଉଛି। ସେହିପରି ଘନ କୁହୁଡ଼ିର ପ୍ରଭାବ ରହୁଥିବାରୁ ଦିନ ୧୧ଟା ଯାଏ ଜଙ୍ଗଲକୁ ଯାଇ ହେଉନଥିବା କହନ୍ତି ତଳଡିହର ଅମିନ ପ୍ରଧାନ। ଏହାଦ୍ବାରା ଅନୁକୂଳ ଋତୁରେ ଜଙ୍ଗଲୀ ଆଳୁ ସଂଗ୍ରହ ସହଜ ହେଉଥିବା ସେ କହନ୍ତି। ଜଙ୍ଗଲୀ ଆଳୁ ଖାଇ ୩ ରୁ ୪ ମାସ ଆମେ ଚଳିଯାଇଥାଉ, ହେଲେ ଏବେ ଶୁଖିଲା ଆଳୁଗଛ ଠଉରାଇ ଏହାର ମୂଳ ତାଡ଼ିବା କଷ୍ଟକର ବୋଲି ଗୁହିଆଶାଳ ମୁଖିଆ ଠେଙ୍ଗେଣିଆ ପ୍ରଧାନ କହନ୍ତି। ଏବେ କମ୍ବଳ ଘୋଡ଼େଇ ନହେଲେ ଘରୁ ବାହାରି ହେଉନଥିବା ସେ କହନ୍ତି।

ପାଣିକୁ ଲୋକଙ୍କର ଭୟ

ପ୍ରବଳ ଶୀତ ପାଇଁ ପିଲା ଠାରୁ ବୁଢ଼ାଯାଏ ଗାଧୋଇବାକୁ ଡରୁଛନ୍ତି। ସବୁ ପରିବାରରେ କାଛୁ କୁଣ୍ଡିଆ ଭଳି ଚର୍ମରୋଗ ମାଡ଼ି ଚାଲିଛି। ହେଲେ ବର୍ଷେରୁ ଅଧିକ ସମୟ ହେବ ସାଧାରଣ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବାରେ ନିୟୋଜିତ ଦଳରେ ଡାକ୍ତର ନଥିବା ସାଧାରଣରେ ଅଭିଯୋଗ ହୁଏ। ସ୍ବାସ୍ଥ୍ୟ ପରିଦର୍ଶକ, ଏଏନ୍‌ଏମ୍‌ ଓ ଆଶାକର୍ମୀ ଆସି ରୋଗୀଙ୍କୁ ଔଷଧ ବାଣ୍ଟୁଛନ୍ତି। ଯାହାକି ରୋଗ ନିୟନ୍ତ୍ରଣ‌ରେ ବାଧକ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button