coldstorage : ଭୂତକୋଠି ପାଲଟିଛି ରାଜ୍ୟର ଦ୍ବିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ
ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବାକୁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପନ ହୋଇଥିଲା ରାଜ୍ୟର ଦ୍ବିତୀୟ ଶୀତଳଭଣ୍ଡାର। ଡାଏରିଫାର୍ମ ପାର୍ଶ୍ବସ୍ଥ ପ୍ରାୟ ୨ ଏକର ଜାଗାରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ କରାଯାଇଥିବା ଶୀତଳଭଣ୍ଡାର ଭୂତକୋଠି ପାଲଟିଛି।

ରାଉରକେଲା (ମଳୟ ରଂଜନ ସାହୁ): ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବାକୁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପନ ହୋଇଥିଲା ରାଜ୍ୟର ଦ୍ବିତୀୟ ଶୀତଳଭଣ୍ଡାର। ଡାଏରିଫାର୍ମ ପାର୍ଶ୍ବସ୍ଥ ପ୍ରାୟ ୨ ଏକର ଜାଗାରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ କରାଯାଇଥିବା ଶୀତଳଭଣ୍ଡାର ଭୂତକୋଠି ପାଲଟିଛି। ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କାଟି ଚୋରମାନେ ବିକି ଦେଇଛନ୍ତି। ଗୋଦାମ ଗୃହର ଝରକା, କବାଟ ଏମିତି କି ଟାଇଲ୍ ଚଟାଣକୁ ତାଡ଼ି ନେଇଯାଇଛନ୍ତି। କେବଳ କେତୋଟି ଘର ଭଙ୍ଗାଦଦରା ଅବସ୍ଥାରେ ରହିଛି। ଏହାର ଚତୁଃପାର୍ଶ୍ବରେ ଘଞ୍ଚଜଙ୍ଗଲ ହୋଇଯାଇଛି।
ପାନପୋଷ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଏହି ଜାଗାରେ ନୂଆ ଶୀତଳଭଣ୍ଡାର କରିବାକୁ ଅନେକବାର ଯୋଜନା କରାଯାଇଥିଲେ ହେଁ, ତା’ ନାଲି ଫିତାତଳେ ଚାପି ହୋଇ ରହିଯାଇଛି। ଗତ ପ୍ରାୟ ୮ ବର୍ଷ ମଧ୍ୟରେ ଜଣେ ପରେ ଜଣେ ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକ ଆସିଛନ୍ତି। କୁଆରମୁଣ୍ଡାର ଶୀତଳଭଣ୍ଡାର ସ୍ଥିତି ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କୁ ୧୨ ହଜାର ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦିନ ଥିଲା କୁଆରମୁଣ୍ଡାର ଶୀତଳଭଣ୍ଡାର କେବଳ ସୁନ୍ଦରଗଡ଼ ନୁହେଁ ପଡୋଶୀ ଝାଡ଼ଖଣ୍ଡର ପନିପରିବା ଚାଷ କରୁଥିବା ଶହଶହ ଚାଷୀ ଉପକୃତ ହେଉଥିଲେ। ବିଶେଷ କରି ରାଜ୍ୟ ଓ ବାହାର ରାଜ୍ୟର ଗ୍ରାହକଙ୍କ ପସନ୍ଦ ପାଲଟିଥିବା ନୂଆଗାଁ ପରିବାଚାଷୀଙ୍କ ଶହଶହ ଟନ୍ ପରିବା ଶୀତଳଭଣ୍ଡାରରେ ରଖାଯାଉଥିଲା।
ଏଠାରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏମିତିକି ଆନ୍ଧପ୍ରଦେଶ ମଧ୍ୟ ଯାଉଥିଲା। ଶୀତଳଭଣ୍ଡାରଟିଏ ନଥିବାରୁ ନୂଆଗାଁର ଶହଶହ ଚାଷୀ ପ୍ରତିବର୍ଷ ଅଭାବୀବିକ୍ରିର ସମ୍ମୁଖୀନ ହେଉଛନ୍ତି। ଝାଳବୁହା ପରିଶ୍ରମ କରି ହଜାରହଜାର କ୍ବିଣ୍ଟାଲ ପନିପରିବାର ଉତ୍ପାଦନ କରିଥିଲେ ହେଁ ଉଚିତ ମୂଲ୍ୟ ପାଉନାହାନ୍ତି। ଗତ ୫ ବର୍ଷ ତଳେ ନୂଆଗାଁ ଚାଷୀଙ୍କ ପ୍ରତି ତତ୍ପରତା ଦେଖାଇଥିଲେ ପୂର୍ବ ସରକାର। ଶୀତଳଭଣ୍ଡାର ପାଇଁ ପ୍ରାୟ ୪ ଏକରରୁ ଅଧିକ ଜାଗାରେ ପାଚେରୀ ନିର୍ମାଣ ହେଲା। ହେଲେ ଆଜି ପର୍ଯ୍ୟନ୍ତ ଗୋଦାମ ନିର୍ମାଣ ହେଲାନି କି ଶୀତଳଭଣ୍ଡାର ମେସିନ୍ଟଏ ମଧ୍ୟ ବସିପାରିଲା ନାହିଁ। ଚାଷୀ ଓ ସ୍ଥାନୀୟ ନେତାମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିଲା ନାହିଁ। ଏହି ପ୍ରକଳ୍ପ ଏବେ କେବଳ ପାଚେରୀରେ ସୀମିତ ରହିଯାଇଛି।
ବିଶ୍ରା, ଲାଠିକଟା, କୁଆରମୁଣ୍ଡା, ରାଜଗାଙ୍ଗପୁର ଆଦି ବ୍ଲକର ପନିପରିବା ଚାଷୀମାନଙ୍କୁ ସମଦଶା ଭୋଗିବାକୁ ପଡୁଛି। ତତ୍କାଳୀନ କୃଷି ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଡି. ପଟେଲ କହିଛନ୍ତି କୁଆରମୁଣ୍ଡାରେ ଉଦ୍ୟାନ ବିଭାଗର ଦୁଇ ଏକର ଜାଗାରେ ପୂର୍ବ ସରକାରଙ୍କୁ ନୂଆ ଶୀତଳଭଣ୍ଡାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ୫ ରୁ ୧୨ ହଜାର ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ହେଲେ, ବ୍ୟବସାୟିକ ଦୃଷ୍ଟି କୋଣରୁ କାର୍ଯ୍ୟକ୍ଷମ ହୋଇପାରିବ।
ସୌଜନ୍ୟ ସମ୍ବାଦ



