ଦେଶ ବିଦେଶ

Colombian Plane Crash: କଲମ୍ବିଆ ବାୟୁସେନା ବିମାନ ଦୁର୍ଘଟଣାରେ ୬୬ ଯବାନ ନିହତ; ୪ ନିଖୋଜ ଓ ୫୧ ଆହତ

କଲମ୍ବିଆ: କଲମ୍ବିଆ ବାୟୁସେନାର ସି-୧୩୦ ହର୍କ୍ୟୁଲସ୍ ବିମାନ ସୋମବାର ଦେଶର ଦକ୍ଷିଣ ଆମାଜନ ଅଞ୍ଚଳରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅତି କମ୍‌ରେ ୬୬ ଜଣ ଯବାନକଙ୍କ ମୃତ୍ୟୁ ଘଟିଛି ଓ ୫୧ରୁ ଅଧିକ ଆହତ ହୋଇଛନ୍ତି। ଚାରି ଜଣ ସୈନିକ ନିଖୋଜ ଥିବା ଜଣାଯାଇଛି।

ସାମରିକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୫୮ ଜଣ ଯବାନ, ଛଅ ଜଣ ବାୟୁସେନା କର୍ମଚାରୀ ଓ ଦୁଇ ଜଣ ପୁଲିସ ଅଧିକାରୀ ଅଛନ୍ତି। ବିମାନରେ ୧୨୧ ଜଣ ଯାତ୍ରୀ ଥିଲେ ବୋଲି ବାୟୁସେନା ମୁଖ୍ୟ ମେଜର ଜେନେରାଲ କାର୍ଲୋସ ଫର୍ନାଣ୍ଡୋ ସିଲଭା ନିଶ୍ଚିତ କରିଛନ୍ତି। ପେରୁ ସୀମା ନିକଟସ୍ଥ ପୁଏର୍ତୋ ଲେଗୁଇଜାମୋ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ଯେ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ରନୱେରୁ ପ୍ରାୟ ୧.୫ କିଲୋମିଟର ଉପରୁ ତଳକୁ ଖସିପଡ଼ିଥିଲା।

କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଜୀବନହାନି ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମରିକ ଉପକରଣର ଆଧୁନିକୀକରଣ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ଉପରେ ମଧ୍ୟ ପେଟ୍ରୋ ଆଲୋକପାତ କରି ଚେତାବନୀ ଦେଇଛନ୍ତି ଯେ, ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଥିବା ଅଧିକାରୀମାନେ ବହିଷ୍କାରର ସମ୍ମୁଖୀନ ହୋଇପାରନ୍ତି। ସୈନ୍ୟଙ୍କ ସୁରକ୍ଷା ବୃଦ୍ଧି ପାଇଁ ନୂତନ ହେଲିକପ୍ଟର, ପରିବହନ ବିମାନ ଓ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ତୁରନ୍ତ କ୍ରୟ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସ୍ଥାନୀୟ ବାସିନ୍ଦା ସାହାଯ୍ୟ କରିବାକୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଆହତ କର୍ମଚାରୀଙ୍କୁ ବୋଗୋଟା ସମେତ ବଡ଼ ଡାକ୍ତରଖାନାକୁ ବିମାନ ଯୋଗେ ନିଆଯିବା ପୂର୍ବରୁ ମୋଟରସାଇକେଲରେ ନିକଟସ୍ଥ କ୍ଲିନିକ୍‌କୁ ନିଆଯାଇଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ସାଞ୍ଚେଜ୍ ନିଶ୍ଚିତ କରିଛନ୍ତି ଯେ, ଆତଙ୍କବାଦ କିମ୍ବା ବାହ୍ୟ ଆକ୍ରମଣର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣା ପରେ ବିମାନରେ ଥିବା ଗୋଳାବାରୁଦ ବିସ୍ଫୋରଣ ହେବା ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଜଣେ ବିମାନ ଚଳାଚଳ ବିଶେଷଜ୍ଞ ଉଲ୍ଲେଖ କରିଛନ୍ତି ଯେ, ଏହି ବିମାନଟି ୨୦୨୦ରେ ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିଲା ଏବଂ ନିକଟ ଅତୀତରେ ଏହାର ରକ୍ଷଣାବେକ୍ଷଣ କରାଯାଇଥିଲା। ସମ୍ଭାବ୍ୟ ଇଞ୍ଜିନ୍ ବିଫଳତା ନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button