Commonwealth Games 2026: ୨୩ରୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଭାଗ ନେବେ ୧୨୬ ଜଣିଆ ଭାରତୀୟ ଦଳ
୧୦ କ୍ରୀଡ଼ା, ୨୧୫ ଇଭେଣ୍ଟ - ଏହି ସଂସ୍କରଣରେ ମାତ୍ର ୧୦ଟି କ୍ରୀଡ଼ାରେ ୨୧୫ଟି ଇଭେଣ୍ଟ ଆୟୋଜିତ ହେବ । କିନ୍ତୁ ପୂର୍ବ ସଂସ୍କରଣରେ ୨୦ଟି କ୍ରୀଡ଼ାରେ ୨୮୩ଟି ଇଭେଣ୍ଟ ରହିଥିଲା ।

ନୂଆଦିଲ୍ଲୀ,୨୨/୦୭: ଆଉ ମାତ୍ର ଗୋଟିଏ ଦିନ । ସ୍କଟଲାଣ୍ଡର ଗ୍ଲୋସଗୋରେ ଆରମ୍ଭ ହେବ ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଦ ହାଇଡ୍ରୋଇନଡୋର ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ କ୍ରୀଡ଼ାର ଶୁଭ ଉଦଘାଟନ ହେବ । ୭୪ଟି ରାଜ୍ୟଗୋଷ୍ଠୀ ଦେଶରୁ ୩୦୦୦ କ୍ରୀଡ଼ାବିତ ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶ ଗ୍ରହଣ କରିବେ । ପ୍ରସ୍ତୁତି ଶେଷ ହୋଇଛି । କ୍ରୀଡ଼ାବିତମାନେ ମଧ୍ୟ ପହଞ୍ଚି ସେମାନଙ୍କର ଅଭ୍ୟାସ ଜାରି ରଖିଛନ୍ତି । ୨୩ ତାରିଖରୁ ହିଁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ । ଦ୍ୱିତୀୟ ଦିବସରୁ ପଦକ ଇଭେଣ୍ଟ ଆରମ୍ଭ ହେବ ।
୧୦ କ୍ରୀଡ଼ା, ୨୧୫ ଇଭେଣ୍ଟ – ଏହି ସଂସ୍କରଣରେ ମାତ୍ର ୧୦ଟି କ୍ରୀଡ଼ାରେ ୨୧୫ଟି ଇଭେଣ୍ଟ ଆୟୋଜିତ ହେବ । କିନ୍ତୁ ପୂର୍ବ ସଂସ୍କରଣରେ ୨୦ଟି କ୍ରୀଡ଼ାରେ ୨୮୩ଟି ଇଭେଣ୍ଟ ରହିଥିଲା । କ୍ରୀଡ଼ା ଗୁଡ଼ିକ ହେଲାବାସ୍କେଟବଲ, ଜିମ୍ନାଷ୍ଟିକ, ଆଥଲେଟିକ୍ସ, ଲନ ବଲ, ବକ୍ସିଂ, ସାଇକ୍ଲିଂ, ଜୁଡୋ, ନେଟବଲ, ସନ୍ତରଣ ଓ ଭାରୋତ୍ତୋଳନ ।
ଓହରିଗଲା ଅଷ୍ଟ୍ରେଲିଆ ୨୦୨୨ ଏପ୍ରିଲ ମାସରେ ଭିକ୍ଟୋରିଆକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ସଂସ୍କରଣର ଆୟୋଜକ ଘୋଷଣା କରାଯାଇଥିଲା । କିନ୍ତୁ ୨୦୨୩ ଜୁଲାଇ ୧୮ ତାରିଖରେ ଭିକ୍ଟୋରିଆ ଆର୍ଥିକ ସମସ୍ୟା ଦେଖାଇ କ୍ରୀଡ଼ା ଆୟୋଜନରୁ ଓହରି ଯାଇଥିଲା । ଭିକ୍ଟୋରିଆ ଓହରି ଯିବା ପରେ ଗୋଲ୍ଡକୋଷ୍ଟ ଆୟୋଜନ ନେଇ ଆଗ୍ରହ ଦେଖାଇଥିଲା । ପରେ ସମାନ କାରଣ ଦେଖାଇ ଓହରି ଯାଇଥିଲା । ୨୦୨୬ରେ କ୍ରୀଡ଼ା ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ତେଣୁ ୨୦୨୭ରେ ଏହି ସଂସ୍କରଣ ଖେଳାଯିବା ନେଇ ଯୋଜନା ହେଉଥିଲା । ମାତ୍ର ଏତିକିବେଳେ ସ୍କଟଲାଣ୍ଡ ୧୦ରୁ ୧୩ଟି କ୍ରୀଡ଼ାକୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା । ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ସ୍କଟଲାଣ୍ଡକୁ ଆୟୋଜକ ଘୋଷଣା କରାଯାଇଥିଲା ।
ନିର୍ମାଣ ହୋଇନି ‘କ୍ରୀଡ଼ା ଗ୍ରାମ’ ୧୯୩୦ ମସିହାରୁ କ୍ରୀଡ଼ା ଆୟୋଜିତ ହୋଇ ଆସୁଛି । କିନ୍ତୁ ଆଧୁନିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ସ୍କଟଲାଣ୍ଡରେ ସବୁଠୁ ଛୋଟ କ୍ରୀଡ଼ା ଆୟୋଜିତ ହେଉଛି । ୧୦ଟି କ୍ରୀଡ଼ାକୁ ୭ଟି ଭେନ୍ୟୁରେ ଆୟୋଜନ କରାଯିବ । କ୍ରୀଡ଼ାବିତମାନଙ୍କ ପାଇଁ ଏଥର ସ୍ୱତନ୍ତ୍ର ଭାବେ କ୍ରୀଡ଼ା ଗ୍ରମାର ନିର୍ମାଣ କରାଯାଇ ନାହିଁ । ବିଭିନ୍ନ ସ୍ଥାନରେ କ୍ରୀଡ଼ାବିତମାନଙ୍କର ରହିବାର ସୁବିଧା ହୋଇଛି । ଏହାକୁ ମିଶାଇ ଚତୁର୍ଥ ଥର ସ୍କଟଲାଣ୍ଡ କ୍ରୀଡ଼ା ଆୟୋଜନ କରୁଛି । ପୂର୍ବରୁ ୧୯୭୦, ୧୯୮୬ ଓ ୨୦୧୪ରେ ସଫଳତାର ସହ ଆୟୋଜନ କରିଥିଲା ।
ସୌଜନ୍ୟ ପ୍ରମେୟ




