ମହାନଗର

Construction: କଚ୍ଛପ ଗତିରେ ଚାଲିଛି ‘ବାଚ୍ଛରା ହିଲ୍‌ ପାର୍କ’ ନିର୍ମାଣ

ଜଟଣୀବାସୀଙ୍କ ଦୀର୍ଘ ଦିନର ଦାବି ବାଚ୍ଛରା ପାହାଡ଼ ଉପରେ ନିର୍ମାଣାଧୀନ ‘ବାଚ୍ଛରା ହିଲ୍‌ ପାର୍କ’ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ ଅଢ଼େଇ ବର୍ଷ....

ଜଟଣୀ: ଜଟଣୀବାସୀଙ୍କ ଦୀର୍ଘ ଦିନର ଦାବି ବାଚ୍ଛରା ପାହାଡ଼ ଉପରେ ନିର୍ମାଣାଧୀନ ‘ବାଚ୍ଛରା ହିଲ୍‌ ପାର୍କ’ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ ଅଢ଼େଇ ବର୍ଷ ପରେ ମଧ୍ୟ ଶେଷ ହୋଇପାରିଲା ନାହିଁ। କିଛି ସ୍ଥାନରେ ଲାଗିଥିବା ଅତ୍ୟାଧୁନିକ ଜ୍ଞାନକୌଶଳର ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଏହି ପାର୍କ କାମ ଶେଷ ହେବାର ନାଁ ଧରୁନି। ସେହିପରି କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ପାର୍କରେ ପାଦଚଲା ରାସ୍ତା, ପାହାଚ, ଲାଗିଥିବା ୫ ହଜାର ଗଛର ଚତୁର୍ପାର୍ଶ୍ବ ଡିଜାଇନ୍ ଆଦି କିଛି କରାଯାଇନାହିଁ। କିଛି ସ୍ଥାନରେ ବାଉଁଶରେ ବସିବା ପାଇଁ ତିଆରି ହୋଇଥିବା ବେଞ୍ଚ୍‌ ମଧ୍ୟ ଖରାପ ହୋଇଗଲାଣି।

ନିର୍ମାଣ ପୂର୍ବରୁ ପାହାଡ଼ର ଅଗ୍ରଭାଗରେ ଲାଗିଥିବା ବିଭିନ୍ନ ନାମୀ ଦାମୀ ଗଛ ସବୁ ରକ୍ଷଣାବେକ୍ଷଣ ଅଭାବରୁ ଉଭାନ୍‌ ହୋଇଗଲାଣି। ଆସନ୍ତା ଏପ୍ରିଲ ମାସରେ ଏହି ପାର୍କକୁ ଉଦ୍‌ଘାଟନ କରାଯିବ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ସୂଚନା ଦେଇଛନ୍ତି। ତେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଥିବା ବେଳେ ଗ୍ରାଉଣ୍ଡ ଜିରୋରୁ ଦେଖିଲେ ଆହୁରି ୪୦ ପ୍ରତିଶତରୁ ଅଧିକ କାମ ବାକି ରହିଥିବା ଦେଖିବାକୁ ମିଳିଛି। ତେଣୁ କାମ ନ ସରୁଣୁ କିଭଳି ପାର୍କର ଉଦ୍‌ଘାଟନ  କରାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଟଣୀ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୧, ୧୨ ଓ ୧୩ ରେ ଅବସ୍ଥିତ ବାଚ୍ଛରା ପାହାଡ଼ ଉପରେ ନିର୍ମାଣ ଚାଲିଛି ଏହି ମଡେଲ ପାର୍କ। ପାର୍କ ନିର୍ମାଣ ପାଇଁ ପାହାଡ଼ ସମେତ ଆଖପାଖ ଅଞ୍ଚଳ‌ରୁ ୩୩ ଏକର ଜାଗା ଚିହ୍ନଟ କରାଯାଇଥିଲା। ଆଉ ଏହି ପାହାଡ଼ରେ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ପାର୍କ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୨୩ ସେପ୍ଟେମ୍ବରରେ ଶୁଭ ଦିଆଯାଇଥିଲା। ବନ ବିଭାଗ ଜରିଆରେ ବିଡିଏ ପ୍ରଥମ ପର୍ଯ୍ୟାୟରେ ୮ କୋଟି ଟଙ୍କା ମଞ୍ଜୁର କରିଥିଲେ। ପାର୍କ ମଧ୍ୟରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା। ହେଲେ ପାର୍କ ଉପରେ ଲାଗିଥିବା ଶତାଧିକ ଗଛ ଠିକ୍‌ ଭାବେ ପାଣି ନ ପାଇ ମରିଗଲାଣି। ଛୋଟପିଲାଙ୍କ ପାଇଁ ଉପରେ ଲାଗିଥିବା ଜିପ୍ ଲାଇନ୍‌ରେ ଲଟା ମାଡ଼ିଯିବା ସହ ଲୁହାଖୁଣ୍ଟରେ କଳଙ୍କି ଲାଗିଗଲାଣି। ସୋନ୍ଦର୍ଯ୍ୟୀକରଣ ପାଇଁ ଆସିଥିବା ଦାମୀ ଚାରାଗୁଡ଼ିକ ମଧ୍ୟ ମରିଗଲାଣି। ପାହାଡ଼ ଉପରକୁ ଚଢ଼ିବା ଓ ଚାଲିବା ପାଇଁ ରାସ୍ତା ଖାଲଢିପରେ ଭର୍ତ୍ତି ହୋଇଥିବାରୁ ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ପକ୍ଷେ ଚଢ଼ିବା ସମ୍ଭବ ନୁହେଁ। ୱାଟର ଫାଉଣ୍ଟେନ୍ ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ପାର୍କ ପରିସରକୁ ମାସ ମାସ ଧରି ସଫା କରାଯାଉ ନାହିଁ।

ତେବେ ପ୍ରକଳ୍ପରେ ରୋପ୍‌ୱେ ବ୍ୟବସ୍ଥା, ପିକ୍‌ନିକ୍‌ ସହ ଭୋଜିଭାତ, ବର୍ଷାଜଳ ସଂରକ୍ଷଣ, ମନ୍ଦିର ନିର୍ମାଣ, ଦୋକାନ ଘର ଆଦି ତିଆରି‌ କରିବା ସହ ପାର୍କରେ ବିଭିନ୍ନ ବର୍ଗର ଲୋକ, ଯଥା: ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରଖିବା ମୂଳଲକ୍ଷ୍ୟ ଥିଲା। ସ୍ଥାନୀୟ ବାସିନ୍ଦା ଲୋକନାଥ ବେହେରା କହିଛନ୍ତି, ଏଠାରେ ପାର୍କ ନିର୍ମାଣ ଶେଷ କରିବାକୁ ହେଲେ ୬ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିବ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲିଥିଲେ ହେଁ ଯେଭଳି ତିଆରି ହେବା କଥା ସେପରି ହେଉନାହିଁ। ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ମନଇଚ୍ଛା କାମ କରୁଛି। ବିଭାଗୀୟ ଅଧିକାରୀମାନେ ମଧ୍ୟ ଆସୁନଥିବା କହିଛନ୍ତି। ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୯୯ ପ୍ରତିଶତ ସରିଗଲାଣି। କେବଳ ଲାଇଟ୍ ସହ ଅନ୍ୟ କିଛି କାମ ବାକି ରହିଛି। ଆସନ୍ତା ଏପ୍ରିଲ ମାସରେ ଏହାର ଉଦ୍‌ଘାଟନ ହୋଇପାରେ ବୋଲି କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button