ମହାନଗର

Construction: ସରିଲା ରଥ ନିର୍ମାଣ, ଆଜି ପ୍ରତିଷ୍ଠା

ସରିଲା ରୁକୁଣା ରଥ କାମ। ଆସନ୍ତା ଗୁରୁବାର ଅଶୋକାଷ୍ଟମୀ ତଥା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ନେତ୍ର ଉତ୍ସବ......

ପୁରୁଣା ଭୁବନେଶ୍ୱର: ସରିଲା ରୁକୁଣା ରଥ କାମ। ଆସନ୍ତା ଗୁରୁବାର ଅଶୋକାଷ୍ଟମୀ ତଥା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ନେତ୍ର ଉତ୍ସବ ତିଥିରେ ରଥ ନିର୍ମାଣ ସରି ପ୍ରତିଷ୍ଠା ହେବ। ତେବେ ମହାରଣା ସେବାୟତମାନେ ରଥ ନିର୍ମାଣ ସାରି ଆଜି ମଧ୍ୟରାତ୍ରିରେ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ରଥରେ ଚକ, ଅଖ ପରେ ଭୂଇଁ ସହ ପୋଟଳ ଓ ପାରାଭାଡ଼ି କାମ ଶେଷ ହୋଇଛି। ୧୬ଟି କୋଣସିଂହ, ବଡ଼ ଛନ୍ଧା, ସାନ ଛନ୍ଧା, ଘର ଭଙ୍ଗା କାମ ଶେଷ ହୋଇଛି। ସେହିପରି ୪ଦ୍ବାର କାମ ସହ ସିଂହାସନ ପ୍ରଭା, ବେଦିପଟ୍ଟା, ଉପର ପଟ୍ଟା କାମ ସହ ଘଣ୍ଟି ଓରା ଏବଂ ଧ୍ବଜ ବତାଲଗା ସରିଛି। ସନ୍ଧ୍ୟାରେ ବେକି, କଳସ, ଦଧିନଉତି, ଓଲଟ ଶୁଆ ଓ ଝରା ଲଗାଯାଇଛି। ସବୁ କାମ ଶେଷ ପରେ ମନ୍ଦିର ପ୍ରଶାସନକୁ ରାତି ପ୍ରାୟ ୧୦ଟାରେ ରଥ ହସ୍ତାନ୍ତର କରାଯାଇଛି ବୋଲି ମହାରଣା ସେବାୟତ ସୋମନାଥ ମହାରଣା କହିଛନ୍ତି।

 

ଲିଙ୍ଗରାଜରୁ ରାମେଶ୍ବର: ରୁକୁଣା ରଥର କାହାଣୀ

ଏକାମ୍ର କ୍ଷେତ୍ରରେ ରହିଛି ଶ୍ରୀରାମଙ୍କ ସମ୍ପର୍କ । ପୁରାଣପୃଷ୍ଠାରେ ବର୍ଣ୍ଣନା ତଥା ଐତିହାସିକଙ୍କ ମତ ଅନୁଯାୟୀ, ରାବଣ ଦ୍ବାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ, ନିଜର ଏବଂ ନିଜ ପରିବାରର ଦୁର୍ଦ୍ଦଶା ଦୂରୀକରଣ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନପୂର୍ବକ ଆଠଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି। ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ କ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ। ସେହି ଅନୁସାରେ ଲିଙ୍ଗରାଜ ମନ୍ଦିରର ଅନତି ଦୂରରେ ରହିଛି ରାମେଶ୍ବର ମନ୍ଦିର। ତେବେ ସେହି ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ରାମଚନ୍ଦ୍ର ଅନୁରୋଧ କରିଥିଲେ। ଫଳରେ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଏବଂ ଦେବୀ ରୁକ୍ମିଣୀ ରଥାଋଢ ହୋଇ ଆସିଥାନ୍ତି। ଏହି ରଥରେ ଦେବୀ ରୁକ୍ମିଣୀ ଆସୁଥିବାରୁ ଏହି ରଥକୁ ରୁକୁଣା ରଥ କୁହାଯାଏ। ଏଠାରେ ଶ୍ରୀରାମେଶ୍ବର ମନ୍ଦିର ରହିଥିବା ବେଳେ ଏହାର ସମ୍ମୁଖରେ ଲ‌କ୍ଷ୍ମଣେଶ୍ବର, ଭରତେଶ୍ବର, ଶତ୍ରୁଘ୍ନେଶ୍ବର, ଲବେଶ୍ବର ଓ କୁଶେଶ୍ବର ମନ୍ଦିର ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button