ଖେଳ

Cricket: ଫେବ୍ରୁଆରି ୨ରେ ଶ୍ରୀଲଙ୍କାରେ ପହଞ୍ଚିବ ପାକିସ୍ତାନ ଦଳ

ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପକୁ ବର୍ଜନ କରିବାକୁ ପାକିସ୍ତାନ ବାରମ୍ବାର ଧମକ ଦେଉଥିଲେ ବି ତାହା ଶେଷରେ ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି। କାରଣ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ନିଜର ବିମାନ ଟିକେଟ୍ ବୁକ୍ କରିଛି।

ଲାହୋର: ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପକୁ ବର୍ଜନ କରିବାକୁ ପାକିସ୍ତାନ ବାରମ୍ବାର ଧମକ ଦେଉଥିଲେ ବି ତାହା ଶେଷରେ ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି। କାରଣ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ନିଜର ବିମାନ ଟିକେଟ୍ ବୁକ୍ କରିଛି ଓ ଆସନ୍ତା ସୋମବାର ଅର୍ଥାତ୍ ଫେବ୍ରୁଆରି ୨ରେ ଶ୍ରୀଲଙ୍କାରେ ପହଞ୍ଚିବ। କିଛିଦିନ ପୂର୍ବରୁ ପାକିସ୍ତାନ ସଲମାନ୍ ଅଲି ଆଗାଙ୍କ ନେତୃତ୍ବରେ ନିଜର ବିଶ୍ବକପ୍ ଦଳ ଘୋଷଣା କରିଥିଲା।

ବିଶ୍ବକପରୁ ବାଂଲାଦେଶକୁ ବାଦ୍ ଦିଆଯିବା ପରେ ତାହାକୁ ବିରୋଧ କରି ବିଶ୍ବକପ୍ ବର୍ଜନ କରିବ ବୋଲି ପାକିସ୍ତାନ ବାରମ୍ବାର କହିଚାଲିଥିଲା। ଏପରିକି ସଂପୂର୍ଣ୍ଣ ବିଶ୍ବକପକୁ ବର୍ଜନ ନ କଲେବି ଭାରତ ବିପକ୍ଷ ମ୍ୟାଚକୁ ବର୍ଜନ କରିବାକୁ ଧମକ ଦେଉଥିଲା। କିନ୍ତୁ ଆଇସିସି ପକ୍ଷରୁ ବାସନ୍ଦ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନରମି ଥିଲା। ଏହା ସତ୍ତ୍ବେ ପିସିବି ମୁଖ୍ୟ ମୋହସିନ ନକଭୀ ଏ ସଂପର୍କିତ ନିଷ୍ପତ୍ତିକୁ ଝୁଲାଇ ରଖିଥିଲେ ଓ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ିଥିଲେ। ଏବେ ପାକିସ୍ତାନ ବିଶ୍ବକପ୍ ଖେଳିବାକୁ ଶ୍ରୀଲଙ୍କା ଆସିବାକୁ ପ୍ରସ୍ତୁତ ହେଉଥିବାବେଳେ ଏ ନେଇ ଜାରି ରହିଥିବା ଅନିଶ୍ଚିତତାର ଆପାତତଃ ଅବସାନ ଘଟିଛି ବୋଲି କୁହାଯାଇପାରେ।

ପିସିବି, ବିସିସିଆଇ ଓ ଆଇସିସି ମଧ୍ୟରେ ହୋଇଥିବା ଏକ ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ଆସନ୍ତା ୨୦୨୭ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ। ଏହି ଚୁକ୍ତି ଅନୁସାରେ ଆଗାମୀ ବିଶ୍ବକପରେ ପାକିସ୍ତାନର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ରହିଛି ଫେବ୍ରୁଆରି ୧୫ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍। ସେହିପରି ପାକିସ୍ତାନ ଯଦି ଫାଇନାଲକୁ ଯାଏ, ତେବେ ବି ତାହା ଶ୍ରୀଲଙ୍କାରେ ହେବ। ଏସବୁ ସତ୍ତ୍ବେ ବିଶ୍ବକପ୍ ବର୍ଜନ ପାଇଁ ପାକିସ୍ତାନ ପାଖରେ କୌଣସି ବଡ଼ କାରଣ ନଥିଲା। ଏଣୁ ବିଶ୍ବକପ୍ ଖେଳବା ଛଡ଼ା ପାକିସ୍ତାନ ପାଖରେ ଅନ୍ୟ କୌଣସି ଉପାୟ ନଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button