
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଲ୍ରାଉଣ୍ଡର୍ ଶିବମ୍ ଦୁବେଙ୍କ ଗୋପନ ରେଳଯାତ୍ରା ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ବକପ୍ ଫାଇନାଲ ଜିତିବା ପରେ ଶିବମ୍ ଓ ତାଙ୍କ ପତ୍ନୀ ଅଞ୍ଜୁମ ଖାଁ ତୁରନ୍ତ ଅହମଦାବାଦରୁ ମୁମ୍ବାଇ ଫେରିବାକୁ ଚାହୁଁଥିଲେ, କାରଣ ଘରେ ଚାରି ବର୍ଷର ପୁଅ ଆୟାନ୍ ଓ ଦୁଇ ବର୍ଷର ଝିଅ ମେହଓ୍ବିସ୍ ଥିଲେ। କିନ୍ତୁ ସେଦିନ ରାତିରେ ସବୁ ଅହମଦାବାଦ-ମୁମ୍ବାଇ ଫ୍ଲାଇଟ୍ ବୁକ୍ ଥିବାରୁ ଅନ୍ୟ କୌଣସି ଉପାୟ ନପାଇ ସେମାନେ ରେଳ ଯୋଗେ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେଲେ। ଶିବମ୍, ଅଞ୍ଜୁମ ଓ ଆଉ ଜଣେ ବନ୍ଧୁ ଅହମଦାବାଦ-ମୁମ୍ବାଇ ସୟାଜୀ ଏକ୍ସପ୍ରେସ୍ରେ ଏକ ୩ୟ ଏସି ଟିକେଟ୍ ବୁକ୍ କରିଥିଲେ।
/filters:format(webp)/sambad/media/media_files/2026/03/11/train-2026-03-11-13-14-10.jpeg)
କିନ୍ତୁ ଷ୍ଟେସନ୍ରେ ଓ ରେଳ ମଧ୍ୟରେ ପ୍ରସଂଶକମାନେ ଚିହ୍ନିଦେବାର ଆଶଙ୍କା ଥିଲା, ଏପରି ହୋଇଥିଲେ ସ୍ଥିତି ଅଣାୟତ୍ତ ହୋଇଥାନ୍ତା। ଏଣୁ ସେ ଏକ ମାକ୍ସ ପିନ୍ଧିବା ସହ ମୁଣ୍ଡରେ ଏକ ଟୋପି ଏବଂ ଏକ ସଂପୂର୍ଣ୍ଣ ହାତ ଥିବା ଟି-ସର୍ଟ ପିନ୍ଧି ଥିଲେ ଓ ଭୋର୍ରୁ ଟ୍ରେନରେ ଚଢି ସିଧାସଳଖ ଉପର ବର୍ଥକୁ ଚଢିଯାଇଥିଲେ। ଯେତେବେଳେ ଟିକେଟ୍ ନିରୀକ୍ଷକ (ଟିଟିଆଇ) ଟିକେଟ୍ ଯାଞ୍ଚ କରିବାକୁ ଆସିଲେ, ତାଙ୍କ ନାମ ଦେଖି ପଚାରିଲେ ‘ଶିବମ୍ ଦୁବେ? କ୍ରିକେଟର?’ ଏହି ସମୟରେ ଅଞ୍ଜୁମ୍ ସ୍ଥିତିକୁ ସମ୍ଭାଳି ନେଇ କହିଥିଲେ, ‘ସେ କେଉଁଠୁ ଆସିବ?’ ଏହା ଶୁଣି ଟିଟିଆଇ ପଳାଇଯାଇଥିଲେ।
ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରା କରିବା ପରେ ଯେତେବେଳେ ଟ୍ରେନ ମୁମ୍ବାଇରେ ପହଞ୍ଚିଲା, ସେତେବେଳେ ପ୍ଲାଟଫର୍ମରେ ଲୋକମାନେ ଚିହ୍ନିଦେବାର ଆଶଙ୍କା ଥିଲା। ଏହାକୁ ଆଗୁଆ ଅନୁମାନ କରି ସେ ପୁଲିସ ସୁରକ୍ଷା ମାଗିଥିଲେ। ଦୁବେ ଟ୍ରେନରେ ଆସୁଥିବା ଜାଣି ପୁଲିସ ବି ବିଶ୍ବାସ କରିନଥିଲା, ତେବେ ସେ ପହଞ୍ଚିବା ପରେ ପୁଲିସ ସୁରକ୍ଷାରେ ସେ ଘରକୁ ଯାଇଥିଲେ।
ସୌଜନ୍ୟ ସମ୍ବାଦ




