ଲକ୍ଷ୍ମୀସାଗରରେ ବିଲଡର ଘରୁ ସିନ୍ଧିଚୋର
ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନିର ଜଣେ ବିଲ୍ଡରଙ୍କ ଘରୁ ଗତ ଜୁଲାଇ ୩୧ ତାରିଖ ରାତିରେ ପ୍ରାୟ ୨ କୋଟି ଟଙ୍କାର ସୁନା, ହୀରା ଅଳଙ୍କାର ଚୋରି ହୋଇଥିବା ସହିତ ନଗଦ ଟଙ୍କା କିଛି ଦୁବୃର୍ତ୍ତ ଚୋରି କରିନେଇଥିଲେ। ଏହି ଘଟଣାରେ ପୁଲିସ ଏବେ କେବଳ କିଛି ଅଳଙ୍କାର ଓ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି। ଉତ୍ତରାଖଣ୍ଡର ମନୋଜ ସିଂ ଭୁବନେଶ୍ବରରେ ରହି ରେକି କରି ଚୋରି କରିଥିଲେ ମଧ୍ୟ ପୁଲିସ ଜାଣି ପାରି ନଥିଲା। ହୋଟେଲରୁ ରହି ଚୋରିର ସବୁ ପ୍ଲାନିଂ କରିଥିଲା। ଏହାସହିତ ସଂପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରୁ ନଥିବାରୁ ରାତି ୧୦ଟାରୁ ୧୧ଟା ଭିତରେ ଘର ତାଲା କାଟି ଚୋରି କରିବାରେ ସକ୍ଷମ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ମ୍ୟୁଲ୍ ଆକାଉଣ୍ଟ୍ ପାଇଁ ବସ୍ତିକୁ ଟାର୍ଗେଟ୍
ସାଇବର ଠକ ରାଜଧାନୀର ବିଭିନ୍ନ ବସ୍ତି ର ଲୋକଙ୍କୁ ଟାର୍ଗେଟ୍ କରି କାରବାର କରୁଥିବା ସାମ୍ନାକୁ ଆସିଛି। ନିକଟରେ ଭୁବନେଶ୍ବର ସାଇବର ଥାନା ପୁଲିସ ମୟୂରଭଂଜର ରାଜେନ୍ଦ୍ର ସିଂହଙ୍କୁ ଗିରଫ କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ରାଜେନ୍ଦ୍ର ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଗରିବ ଶ୍ରେଣୀର ଲୋକଙ୍କୁ ମହୁଲି ଓ କିଛି ଟଙ୍କା ଦେଇ ସେମାନଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲୁଥିଲା। ପରେଏହି ଆକାଉଣ୍ଟର ସବୁ ଆକ୍ସେସ୍ ସାଇବର ଠକଙ୍କୁ ବିକ୍ରି କରି ମୋଟା ଅଙ୍କର କମିସନ ନେଉଥିଲା। ଅଧିକ ଖୋଳତାଡ଼ କରିବାରୁ ଏହିଭଳି ପ୍ରାୟ ୭୦ଟି ମ୍ୟୁଲ୍ ଆକାଉଣ୍ଟ୍ ସାଲିଆସାହିର ବିଭିନ୍ନ ଲୋକଙ୍କ ନାଁରେ ଖୋଲାଯାଇଥିବା ସାଇବର ଥାନା ଜାଣିବାକୁ ପାଇଛି।
ବସ୍ତିରେ ମାଡ଼ିଗଲାଣି ନିଶା କାରବାର
ରାଜଧାନୀର ବସ୍ତି ବର୍ତ୍ତମାନ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିଶାବେପାର, ଗୋଷ୍ଠୀ ସଂଘର୍ଷ ଓ ହଣାକଟା ନିତିଦିନଆ ଘଟଣାରେ ପରିଣତ ହୋଇଛି। ବିଶେଷ କରି ବସ୍ତିରେ ନିଶା କାରବାର ୖବକାରୀ ବିଭାଗର ମୁଣ୍ଡବିନ୍ଧା ବଢ଼ାଉଛି। ବ୍ରାଉନ୍ସୁଗାର୍ ଓ ଚୋରାମଦ କାରବାର ଲାଗି ସମ୍ପୂର୍ଣ୍ଣ ରାଜଧାନୀକୁ ନିଶାବେପାରୀ କବ୍ଜା କରି ସାରିଲେଣି। ପ୍ରତିମାସରେ ଗିରଫ ୪ଜଣରୁ ୩ଜଣ ଅପରାଧୀ ବସ୍ତି ଅଞ୍ଚଳରେ ରହୁଛନ୍ତି। ଗତ କିଛିଦିନ ମଧ୍ୟରେ କ୍ରମାଗତ ଭାବେ ଚଢ଼ଉ କରି ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ବସ୍ତିରୁ ନିଶାବେପାରୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବ୍ରାଉନ୍ସୁଗାର୍ ଓ ଗଞ୍ଜେଇ ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି।
ବସ୍ତିଗୁଡ଼ିକରେ ସାମାନ୍ୟ କଥାରୁ ଗଣ୍ଡଗୋଳ ଘଟୁଛି। ନିଶା ଏହାର ମୂଳ କାରଣ। ବସ୍ତି ଇଲାକା ବ୍ରାଉନ୍ସୁଗାର୍ ବେପାରର ପେଣ୍ଠସ୍ଥଳ ପାଲଟିଛି। ଅପରାଧୀ, ଅସାମାଜିକଙ୍କ ଆୟର ମୁଖ୍ୟ ସ୍ରୋତ ହୋଇଛି ଏହି ନିଶାଦ୍ରବ୍ୟ। ଏଭଳି ନିଷିଦ୍ଧ ବେପାରରୁ ଅର୍ଥ ରୋଜଗାର କରି ଅପରାଧୀମାନେ ନିଜର ନେଟ୍ୱର୍କ ଓ ଗ୍ୟାଙ୍ଗ୍ ତିଆରି କରୁଛନ୍ତି। ସାଲିଆସାହି, ହଳଦୀପଡ଼ିଆ, ତପୋବନ ବସ୍ତି, ଭରତପୁର, ଶାନ୍ତିପଲ୍ଲୀ, ରଘୁନାଥନଗର, ଗଣ୍ଡମୁଣ୍ଡା, ହଳଦୀପଡ଼ିଆ, ସାଲିଆସାହି, ମହିଷାଖାଲ, ମଞ୍ଚେଶ୍ବର, ଭୁବନେଶ୍ବର-ପୁରୀ ବାଇପାସ୍, ବୁଦ୍ଧେଶ୍ବରୀ, ସୁବାସନଗର, କାରଗିଲ୍ ବସ୍ତି, ଶିଖରଚଣ୍ଡୀ, ମାଳିସାହି, ୟୁନିଟ୍-୬, ନାରାୟଣୀ ବସ୍ତି, ୟୁନିଟ୍-୮, ଜାଗମରା, ଫୁଲେଶ୍ବରୀ ଆଦି ବସ୍ତିରେ ନିଶା କାରବାରର ଟେର୍ ପାଉନି ପୁଲିସ। ସେହିପରି କୋହଳ ଦଫା ଯୋଗୁ ଗିରଫ ହେଉଥିବା ଅଭିଯୁକ୍ତ ସଙ୍ଗେସଙ୍ଗେ ଜାମିନ ପାଇ ପୁଣିଥରେ ଆସି ନିଶା କାରବାରରେ ମାତି ଯାଉଛନ୍ତି। ଏପରିକି ଜଣେ ଜଣେ ଅପରାଧୀଙ୍କ ନାମରେ ୧୦ରୁ ୧୨ ମାମଲା ରହୁଛି। ପ୍ରତିଦିନ କନ୍ଧମାଳ, ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ, ବସ୍ ଓ କାର୍ ଯୋଗେ ରାଜଧାନୀ ଅଭିମୁଖେ ଆସୁଛି। ପରେ ଏହା ସହରର ବିଭିନ୍ନ ବସ୍ତି ଅଭିମୁଖେ ଯାଉଛି। ନିୟମିତ ପାଟ୍ରୋଲିଂ ଓ ନାକାବନ୍ଦୀ ଅଭାବରୁ ଅପରାଧୀଙ୍କୁ ବି ଏହା ସୁହାଉଛି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ମୋଟ୍ ୨୭୮ଟି ମାମଲା ରୁଜୁ ହୋଇ ୨୪୧ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବ୍ରାଉନ୍ସୁଗାର୍ କାରବାର ଅଭିଯୋଗରେ ୧୮ଟି ମାମଲାରେ ୨୮ଜଣଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଚଢ଼ଉରେ ୪୯ହଜାର ଲିଟର୍ ପୋଚ, ୨୨ ହଜାର ଲିଟର ଦେଶୀମଦ, ୭୪୨ କେଜି ଗଞ୍ଜେଇ, ୯୦୯ ଗ୍ରାମ୍ ବ୍ରାଉନ୍ସୁଗାର୍ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ପରିମାଣ ୩କୋଟି ଟଙ୍କାରୁ ଅଧିକ ହେବ।
ଏ ସମ୍ପର୍କରେ ଭୁବନେଶ୍ୱରର ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବସ୍ତି ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଉଛି। ପୁଲିସ ସହଯୋଗରେ ବିଭାଗ ପକ୍ଷରୁ ବିଭିନ୍ନ ବସ୍ତିରେ ଚଢ଼ଉ କରାଯାଉଛି। ଯେଉଁମାନେ ଅଭ୍ୟାସଗତ ଭାବେ ନିଶା କାରବାର ଚଳାଉଛନ୍ତି, ସେମାନଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତ ୨ ବର୍ଷ ମଧ୍ୟରେ ୪ଜଣ ନିଶାବେପାରୀଙ୍କ ଘର ବିଏମ୍ସି ସହାୟତାରେ ଭଙ୍ଗାଯାଇଛି। ବିଭାଗରେ ପର୍ଯ୍ୟାପ୍ତ ସଂଖ୍ୟକ ମାନବସମ୍ବଳ ନଥିବା କାରଣରୁ ଚଢ଼ଉ ବ୍ୟାପକ ପରିମାଣରେ କରିହେଉନାହିଁ। ଅଭ୍ୟାସଗତ ନିଶା ବେପାରୀମାନେ କିଭଳି ଜାମିନ ନପାଇବେ ଏବଂ କଡ଼ା ସଜା ପାଇବେ ସେ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ।