Crop damage : ବନ୍ୟାରେ କେତେ ଚାଷ ଜମି ପ୍ରଭାବିତ, ତୁରନ୍ତ ରିପୋର୍ଟ ଦିଅ…

ଭୁବନେଶ୍ଵର, ୨୯/୦୭ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଏବଂ ସମ୍ବଲପୁର କ୍ଷତିଗ୍ରସ୍ତ ହୋଇଛି। ଏହି ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛନ୍ତି। ୭ ହଜାର ୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ଏହି ସବୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଛି। କେତେ ଚାଷ ଜମି ପ୍ରଭାବିତ ହୋଇଛି ତାହାର ରିପୋର୍ଟ ଦେବାକୁ କୃଷି ବିଭାଗ କହିଛି। ଯେତେ ଶୀଘ୍ର ହୋଇପାରିବ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଥିବା ବେଳେ ତୁରନ୍ତ କ୍ଷତିପୂରଣର ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେହି ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ସରକାର ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।
ସୂଚନା ଥାଉକି, ବନ୍ୟାରେ ଏଯାଏ ୪ ଜଣଙ୍କ ଜୀବନ ଯାଇଥିବା ଜଳ ସମ୍ପର୍କ ବିଭାଗ ଏନେଇ ସୂଚନା ଦେଇଛି। ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଳକ ପ୍ରଭାବିତ ହୋଇଛି। ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଏବଂ ସମ୍ବଲପୁର କ୍ଷତିଗ୍ରସ୍ତ ହୋଇଛି। ୨ ଲକ୍ଷ ୩ ହଜାର ୨୦୮ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଏଯାଏ ୭୬୧ଟି ଘର ବନ୍ୟାରେ ଭାଙ୍ଗିଛି। ୭ ହଜାର ୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ୨୧୨ ରିଲିଫ କ୍ୟାମ୍ପ ଖୋଲା ଯାଇଛି।
ସୌଜନ୍ୟ ପ୍ରମେୟ




