Cyber fraud : ଗ୍ୟାସ୍ ନାଁରେ ସାଇବର ଠକେଇ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ସୁବିଧାରେ ଗ୍ୟାସ୍ ପାଇବା ଲାଗି ଲୋକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ତାହା ସାଇବର ଅପରାଧୀମାନଙ୍କୁ ସୁଯୋଗ ଦେଇଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ସୁବିଧାରେ ଗ୍ୟାସ୍ ପାଇବା ଲାଗି ଲୋକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ତାହା ସାଇବର ଅପରାଧୀମାନଙ୍କୁ ସୁଯୋଗ ଦେଇଛି। ଗ୍ୟାସ୍ ନାଁରେ ସେମାନେ ଠକେଇ କରିବାକୁ ଉଦ୍ୟମ କରୁଛନ୍ତି। ସେଭଳି ଠକାମିଠାରୁ ସତର୍କ ରହିବାକୁ କେନ୍ଦ୍ର ସରକାର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଜଣା ଫାଇଲ୍ ଓ ଆପ୍ଲିକେସନ ଡାଉନ୍ଲୋଡ୍ ଓ ଇନଷ୍ଟଲ୍କୁ ବାରଣ କରାଯାଇଛି।ଗ୍ୟାସ୍ ସଙ୍କଟ ଦୂର କରିବା ପାଇଁ ହୋଟେଲ୍, ରେସ୍ତୋରାଁ, କ୍ୟାଣ୍ଟିନ ଭଳି ବାଣିଜ୍ୟିକ ଅନୁଷ୍ଠାନଗୁଡ଼ିକୁ ପାଇପ୍ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ସଂଯୋଗ ନେବାକୁ ସରକାର ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ୫୬୦୦ରୁ ଅଧିକ ପିଏନ୍ଜି ସଂଯୋଗ ଦିଆଯାଇଥିବା ସୂଚନା ଦିଆଯାଇଛି। ପିଏନ୍ଜି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଗ୍ୟାସ୍ ବିତରଣ କମ୍ପାନିଗୁଡ଼ିକୁ କୁହାଯାଇଛି। ପିଏନ୍ଜି ସଂଯୋଗ ବଢ଼ାଉଥିବା ରାଜ୍ୟମାନଙ୍କୁ ଅତିିରିକ୍ତ ୧୦ ପ୍ରତିଶତ ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ କରାଯିବ। ପାଇପ୍ ଗ୍ୟାସ୍ ସଂଯୋଗ ସୁବିଧାରେ ପହଞ୍ଚାଇବା ପାଇଁ ରାଜ୍ୟମାନଙ୍କୁ ବିଭିନ୍ନ ପ୍ରକାର ଶୁଳ୍କ କମ୍ କରିବା, କାର୍ଯ୍ୟ ସମୟ କୋହଳ କରିବା ଓ ରାଜ୍ୟ ସ୍ତରରେ ନୋଡାଲ୍ ଅଫିସର ନିଯୁକ୍ତ କରିବାକୁ କୁହାଯାଇଛି।
ପେଟ୍ରୋଲିୟମ୍, ଜାହାଜ ଚଳାଚଳ ଓ ବିଦେଶ ମନ୍ତ୍ରଣାଳୟର ମିଳିତ ବିବୃତିରେ ଦେଶରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ର କୌଣସି ଅଭାବ ନଥିବା କୁହାଯାଇଛି। ଅନ୍ଲାଇନ୍ରେ ଏଲ୍ପିଜି ବୁକିଂ ୮୪ ପ୍ରତିଶତରୁ ବଢ଼ି ୯୪ ପ୍ରତିଶତ ହୋଇଛି। ପ୍ରମାଣୀକରଣ କୋଡ୍ ଆଧାରିତ ଡେଲିଭରି ୮୩ ପ୍ରତିଶତରେ ପହଞ୍ଚିଛି। ଆତଙ୍କିତ ବୁକିଂ ୫୭ ଲକ୍ଷକୁ ହ୍ରାସ ପାଇଛି। ମହଜୁଦକାରୀ ଓ କଳାବଜାର ଉପରେ କଡ଼ା ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ପ୍ରତିଦିନ ଚଢ଼ଉ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲ୍ପଲାଇନ୍ ନମ୍ବର ଜାରି କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଣ୍ଟ୍ରୋଲ ରୁମ୍ ଗଠନ କରିଥିବା ବେଳେ ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ଗଠନ କରିଛନ୍ତି।
ଅନଲାଇନ୍ ବୁକିଂ ୯୪%କୁ ବୃଦ୍ଧି
ଦେଶବ୍ୟାପୀ ଚଢ଼ଉ ଓ ଜବତ ଅଭିଯାନ ଜାରି ରହିଛି। ୬୦୦୦ରୁ ଅଧିକ ଚଢ଼ଉ କରି ୧୧,୦୦୦ ସିଲିଣ୍ଡର ଜବତ କରାଯାଇଛି। ତୈଳ କମ୍ପାନିଗୁଡ଼ିକ ପ୍ରତିଦିନ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ବିତରଣ କେନ୍ଦ୍ରରେ ଯାଞ୍ଚ କରୁଛନ୍ତି। କୋଇଲା ଓ କିରାସିନି ଭଳି ବିକଳ୍ପ ଇନ୍ଧନ ଉପରେ ରହିଥିବା କଟକଣା କୋହଳ କରିବାକୁ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ କୁହାଯାଇଛି। ରାଜ୍ୟମାନଙ୍କୁ ଅଧିକ କୋଇଲା ଯୋଗାଇ ଦେବାକୁ କୋଲ୍ ଇଣ୍ଡିଆ ଓ ସିଙ୍ଗାରେନି କୋଲିଅରିଜ୍କୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




