ଅପରାଧମହାନଗର

Cyber fraud: ସାଇବର ଠକଙ୍କ ମେଗାଅସ୍ତ୍ର ମ୍ୟୁଲ୍‌ ଆକାଉଣ୍ଟ: ଫସୁଛନ୍ତି କମ୍‌ ପାଠୁଆ ଓ ଗରିବ

ଦିନ ଥିଲା ଜାମ୍‌ତରା ଗ୍ୟାଙ୍ଗ୍‌ ସାଇବର ଠକେଇରେ ମାହିର୍‌ ଥିଲେ। କିନ୍ତୁ ଏବେ ଓଡ଼ିଶାରେ ବି ଜାମ୍‌ତରା ଗ୍ୟାଙ୍ଗ୍‌କୁ ଗିଳିଦେବା ଭଳି ସାଇବର ଠକଙ୍କ ରୢାକେଟ୍‌ ସୃଷ୍ଟି ହୋଇସାରିଲେଣି।

ଭୁବନେଶ୍ବର: ଦିନ ଥିଲା ଜାମ୍‌ତରା ଗ୍ୟାଙ୍ଗ୍‌ ସାଇବର ଠକେଇରେ ମାହିର୍‌ ଥିଲେ। କିନ୍ତୁ ଏବେ ଓଡ଼ିଶାରେ ବି ଜାମ୍‌ତରା ଗ୍ୟାଙ୍ଗ୍‌କୁ ଗିଳିଦେବା ଭଳି ସାଇବର ଠକଙ୍କ ରୢାକେଟ୍‌ ସୃଷ୍ଟି ହୋଇସାରିଲେଣି। ଜାମ୍‌ତରା ଗ୍ୟାଙ୍ଗ୍‌ ସହଯୋଗରେ ସେମାନଙ୍କ ଠକେଇ କୌଶଳ ହାତେଇବା ପରେ ଓଡ଼ିଆ ସାଇବର ଠକ ରୢାକେଟ୍‌ ସମଗ୍ର ରାଜ୍ୟରେ ଜାଲ ବିଛାଇ ସାରିଲେଣି। ‌ସେମାନଙ୍କ ମେଗାଅସ୍ତ୍ର ପାଲଟିଛି ମ୍ୟୁଲ୍‌ ଆକାଉଣ୍ଟ। ଏଭଳି ଆକାଉଣ୍ଟ ଜରିଆରେ ସାଇବର ଠକମାନେ ଗୋଟିଏ ତୀରରେ ଦୁଇ ଶିକାର କରୁଛନ୍ତି। ସାଧାରଣ ନିରୀହ ସରଳ ଲୋକଙ୍କୁ କିଛି ଟଙ୍କା ଦେଇ ପ୍ରଲୋଭିତ କରିବା ପରେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ହାତେଇ ନେଉଛନ୍ତି ଏବଂ ସେହି ଆକାଉଣ୍ଟକୁ ବ୍ୟବହାର କରି ଅନ୍ୟମାନଙ୍କଠାରୁ ଠକୁଥିବା ବିପୁଳ ଅର୍ଥକୁ ହଡ଼ପ କରିନେଉଛନ୍ତି। ଖୋଳତାଡ଼ ହେଲା ବେଳକୁ ବିଚରା ମୂଳ ଅସଲ ଆକାଉଣ୍ଟଧାରୀ ଠକେଇ ମାମଲାରେ ଫସୁଛି ଏବଂ ଗିରଫ ହୋଇ ଜେଲ୍‌ ଯାଉଛି। ନିକଟରେ ଓଡ଼ିଶାରୁ ୩୦ ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଠାବ ହେଲାଣି ଏବଂ  ଗୋଟିଏ ସପ୍ତାହରେ ୨୦ ସାଇବର ଠକ ବନ୍ଧାହେଲେଣି।

ଠାବ ହେଲାଣି ୩୦ ହଜାରରୁ ଅଧିକ ଖାତା
ଚୂନ ଲଗାଇଲେଣି ୫ ହଜାର କୋଟିରୁ ଅଧିକ
ସପ୍ତାହକରେ ବନ୍ଧା ହେଲେଣି ୨୦ରୁ ଅଧିକ

ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଫୋରମ୍‌ରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଛି। କିଛି ଟଙ୍କା ପାଇବାର ଲୋଭରେ ପଡ଼ି କାହା ପରାମର୍ଶରେ ବ୍ୟାଙ୍କ୍‌ ଆକାଉଣ୍ଟ ନ ଖୋଲିବାକୁ ପରାମର୍ଶ ଦିଆଯାଉଛି। ମ୍ୟୁଲ୍‌ ଆକାଉଣ୍ଟ ବୋଲି ଜଣାପଡ଼ିଲେ ଜେଲ୍‌ ଯିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଉଛି। ସାଇବର ଠକମାନେ ଏକାଧିକ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ଟ୍ରାନ୍‌ସଫର୍‌ କରି ନିଜ ଆକାଉଣ୍ଟକୁ ନେଉଛନ୍ତି। ଧରପଗଡ଼ ହେଲେ ମ୍ୟୁଲ୍‌ ଆକାଉଣ୍ଟ୍‌ଧାରୀ ଗିରଫ ହେଉଛନ୍ତି। ‘କାଉ ପଣସ ଖାଉଛି ଏବଂ ବଗ ମୁଣ୍ଡରେ ଅଠା ବୋଳା ହେଉଛି’ ନ୍ୟାୟରେ ଗରିବ ଲୋକଟି ଫସୁଛି। ଗତ ସପ୍ତାହକ ମଧ୍ୟରେ କମିସନରେଟ୍‌ ପୁଲିସ ୨୦ରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟଧାରୀଙ୍କୁ ଗିରଫ କରିସାରିଲାଣି। କ୍ରାଇମ୍‌ବ୍ରାଞ୍ଚ୍‌ ଠାରୁ ଆରମ୍ଭ କରି କମିସନରେଟ୍‌ ପୁଲିସ ଓ ସାଇବର ଥାନା ପୁଲିସ ୧୨୦ରୁ ଅଧିକ ମାମଲାରେ ୩୦ ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଠାବ କରିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ୫ ହଜାର ‌କୋଟିରୁ ଊର୍ଧ୍ବ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ବଡ଼ କଥା ଯେତିକି ମ୍ୟୁଲ୍‌ ଆକାଉଣ୍ଟ ଠାବ କରାଯାଇଛି, ତା’ଠାରୁ ବହୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଏବେ ବି ସାଇବର ଠକଙ୍କ ହାତରେ ରହିଛି। ଆଗକୁ କିଭଳି ଏହିସବୁ ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଯିବ, ତାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button