Death: ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଫାଣ୍ଡି ଛେଲିଆପଡ଼ା ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ କାରଣ ଅସ୍ପଷ୍ଟ ଓ ପୁଲିସର ତଦନ୍ତ ଜାରି ରହିଛି।

ଲଇକେରା(ଭରତ ପାତ୍ର): ଝାରସୁଗୁଡ଼ାଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଫାଣ୍ଡି ଛେଲିଆପଡ଼ା ଗ୍ରାମରେ ଜଣେ ଯୁବକଙ୍କ ବେକରେ ରଶି ଲାଗିଥିବା ସହ ଆଣ୍ଠୁରୁ ତଳକୁ ମାଟିରେ ଲାଗିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବିଭିନ୍ନ ପ୍ରଶ୍ନ ଉଠାଇଛି। ଘଟଣାଟି ଆତ୍ମହତ୍ୟା ନା ହତ୍ୟା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହାକୁ ନେଇ ସନ୍ଦେହ ଦେଖାଦେଇଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଖଗେଶ୍ୱର ପରୁଆ (୨୯)।
ପୁଲିସର ସୂଚନା ଅନୁଯାୟୀ, ରବିବାର ଖଗେଶ୍ୱର ନିକଟସ୍ଥ ଧୁରୁଆଡିହି ଗ୍ରାମକୁ ରଥଯାତ୍ରା ଦେଖିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ। କିଛି ସମୟ ଘରେ ରହିବା ପରେ ରାତି ପ୍ରାୟ ୮ଟା ବେଳେ ସେ ପୁଣି ବାହାରକୁ ଯାଇଥିଲେ। ରାତି ବିଳମ୍ବ ପର୍ଯ୍ୟନ୍ତ ଘରକୁ ଫେରି ନଆସିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି ସମୟରେ ଗ୍ରାମର କୀର୍ତ୍ତନ ମଣ୍ଡପ ନିକଟରେ ଥିବା ଏକ କୃଷ୍ଣଚୂଡ଼ା ଗଛରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପରିବାର ଲୋକେ ତୁରନ୍ତ ବାଗଡିହି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଫାଣ୍ଡି ଅଧିକାରୀ ଦଶରଥ ଟୁଡୁଙ୍କ ସମେତ ଝାରସୁଗୁଡ଼ାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୂକ୍ଷ୍ମ ତଦନ୍ତ କରିବା ସହ ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣ ସଂଗ୍ରହ କରିଥିଲେ। ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ତ୍ୱରାନ୍ୱିତ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଏବଂ ଅନ୍ୟାନ୍ୟ ସାକ୍ଷ୍ୟପ୍ରମାଣ ଆସିବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ବାଗଡିହି ଫାଣ୍ଡି ଅଧିକାରୀ ଦଶରଥ ଟୁଡୁ କହିଛନ୍ତି। ବର୍ତ୍ତମାନ ପୁଲିସ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




