Delhi: ତ୍ରିପୁରାର ଆଦିବାସୀ ଯୁବକଙ୍କୁ ବାଂଲାଦେଶୀ, ଚାଇନିଜ୍ କହି ଆକ୍ଷେପ: କଣ୍ଟେଣ୍ଟ କ୍ରିଏଟର୍ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ଦିଲ୍ଲୀରେ ତ୍ରିପୁରାର ଜଣେ ଆଦିବାସୀ ଯୁବକଙ୍କ ପ୍ରତି ଜାତିଗତ ଆକ୍ଷେପ ଏବଂ ଅପମାନଜନକ ମନ୍ତବ୍ୟ ଦେଇ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ଚାରିଆଡ଼େ ନିନ୍ଦା ଓ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି।

ନୂଆଦିଲ୍ଲୀ/ଅଗରତଳା: ଦିଲ୍ଲୀରେ ତ୍ରିପୁରାର ଜଣେ ଆଦିବାସୀ ଯୁବକଙ୍କ ପ୍ରତି ଜାତିଗତ ଆକ୍ଷେପ ଏବଂ ଅପମାନଜନକ ମନ୍ତବ୍ୟ ଦେଇ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ଚାରିଆଡ଼େ ନିନ୍ଦା ଓ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ସୋସିଆଲ୍ ମିଡିଆ କଣ୍ଟେଣ୍ଟ କ୍ରିଏଟର୍ ଆମିର ସୋକିନ୍ ଏହି ଘଟଣା ପାଇଁ କ୍ଷମା ମାଗିଥିଲେ ହେଁ ଲୋକଙ୍କ ରାଗ ଶାନ୍ତ ହୋଇନାହିଁ। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣାରେ କଠୋର ପ୍ରତିକ୍ରିୟା ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ସୋକିନ୍ ତ୍ରିପୁରୀ ଯୁବକଙ୍କ ଚେହେରା ଓ ପରିଚୟକୁ ଉପହାସ କରିବା ସହ ତାଙ୍କୁ ‘ଚାଇନିଜ୍’ ବୋଲି ସମ୍ବୋଧନ କରିଥିଲେ। ଏହାକୁ ନେଇ ତ୍ରିପୁରା ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବ୍ୟାପକ ଆକ୍ରୋଶ ସୃଷ୍ଟି ହୋଇଛି। ଯଦିଓ ସୋକିନ୍ ଏକ କ୍ଷମା ପ୍ରାର୍ଥଣା ଭିଡିଓ ଜାରି କରି ଏହା ଏକ ପୂର୍ବ ନିର୍ଦ୍ଧାରିତ ମଜାଦାର ଭିଡିଓ ଥିଲା ବୋଲି ଦାବି କରିଛନ୍ତି, ତଥାପି ଜାତିଗତ ଅପମାନକୁ ହାସ୍ୟରସ ନାମରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସମାଲୋଚକମାନେ କହିଛନ୍ତି।
ତଦନ୍ତ କରୁଛି ଦିଲ୍ଲୀ ପୁଲିସ
କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ଏହି ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡିତ କରାଯିବ। ଦିଲ୍ଲୀ ଏବଂ ତ୍ରିପୁରା ପୁଲିସ ମିଳିତ ଭାବେ ଅଭିଯୁକ୍ତକୁ କଠିନ ଶିକ୍ଷା ଦେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ, ଟିପ୍ରା ମୋଥା ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଅଗରତଳା ପୁଲିସ ଷ୍ଟେସନରେ ସୋକିନଙ୍କ ବିରୋଧରେ ଆଇନଗତ ଏତଲା ଦାଖଲ କରାଯାଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ପୁଲିସ ସହ ସମନ୍ୱୟ ରକ୍ଷା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




