Delhi AQI: ଦୀପାବଳି ରାତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଶୀର୍ଷରେ, ୧୦୦୦ ନିକଟତର ହେଲା ପିଏମ୍୨.୫ ସ୍ତର, ହଠାତ୍ ବନ୍ଦ ହୋଇଗଲା ତଥ୍ୟ ପ୍ରସାରଣ
ଆଲୋକର ପର୍ବ ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ବାୟୁ ପ୍ରଦୂଷଣର ଭୟଙ୍କର ଚିତ୍ର। ବାଣ ଫୁଟାଇବା ପରେ ବାୟୁରେ ଅତି ସୂକ୍ଷ୍ମ ଧୂଳିକଣା (ପିଏମ୍୨.୫)ର ମାତ୍ରା ଦ୍ରୁତ ଗତିରେ ବଢ଼ି ପ୍ରାୟ ୧୦୦୦ ସ୍ତରରେ ପହଞ୍ଚିଥିଲା।

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ବାୟୁ ପ୍ରଦୂଷଣର ଭୟଙ୍କର ଚିତ୍ର। ବାଣ ଫୁଟାଇବା ପରେ ବାୟୁରେ ଅତି ସୂକ୍ଷ୍ମ ଧୂଳିକଣା (ପିଏମ୍୨.୫)ର ମାତ୍ରା ଦ୍ରୁତ ଗତିରେ ବଢ଼ି ପ୍ରାୟ ୧୦୦୦ ସ୍ତରରେ ପହଞ୍ଚିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ସମୟରେ ଅନେକ ସ୍ଥାନରେ ପ୍ରଦୂଷଣ ମାପ ଯନ୍ତ୍ରରେ ଧୂଳିକଣା ସମ୍ପର୍କିତ ତଥ୍ୟ ହଠାତ୍ ମିଳିବା ବନ୍ଦ ହୋଇଯାଇଥିଲା।
୧୪ଟି କେନ୍ଦ୍ରରେ ତଥ୍ୟ ବନ୍ଦ
‘ହିନ୍ଦୁସ୍ତାନ ଟାଇମ୍ସ’ର ଏକ ତଥ୍ୟଭିତ୍ତିକ ଅନୁଧ୍ୟାନରୁ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦିଲ୍ଲୀର ୫୯ଟି ବାୟୁ ମାନ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୪୩ଟିରେ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପିଏମ୍୨.୫ର ତଥ୍ୟ ମିଳିନଥିଲା। ଏହା ମଧ୍ୟରୁ ୧୪ଟି କେନ୍ଦ୍ରରେ ତଥ୍ୟ ବନ୍ଦ ହେବା ପୂର୍ବରୁ ପ୍ରଦୂଷଣ ମାତ୍ରା ୯୦୦ ଅତିକ୍ରମ କରିଥିଲା। ଉତ୍ତର କ୍ୟାମ୍ପସ୍ରେ ରାତି ୮ଟାରେ ପ୍ରଦୂଷଣ ମାତ୍ରା ୩୨୬ ଥିବାବେଳେ ରାତି ୧୦ଟାରେ ଏହା ୯୯୯ରେ ପହଞ୍ଚିଥିଲା। ପରେ ତଥ୍ୟ ମିଳିନଥିଲା। ଏହି ତଥ୍ୟ ନଥିବାରୁ ବାୟୁ ମାନ ସୂଚକାଙ୍କର ହିସାବ ମଧ୍ୟ ପ୍ରଭାବିତ ହୋଇଛି। ଖବରକାଗଜର ଆକଳନ ଅନୁସାରେ, ଦିଲ୍ଲୀର ବାୟୁ ମାନ ସୂଚକାଙ୍କ ୪୩୭ ହୋଇଥିବାବେଳେ ଖାଲି ସମୟର ତଥ୍ୟକୁ ଆକଳନରେ ଯୋଡ଼ିଲେ ଏହା ୪୭୧ ହେବ। ତେବେ ମାପ ଯନ୍ତ୍ର କିମ୍ବା ତଥ୍ୟ ବ୍ୟବସ୍ଥାରେ କେଉଁ କାରଣରୁ ଏପରି ଘଟିଲା, ତାହା ଏବେବି ଅସ୍ପଷ୍ଟ।
ସୌଜନ୍ୟ ସମ୍ବାଦ




