Delhi Cyber Fraud: ଡାକ୍ତର ଦମ୍ପତିଙ୍କ ଉପାର୍ଜିତ ସମସ୍ତ ଟଙ୍କାକୁ ଲୁଟି ନେଇଗଲେ ସାଇବର ଠକ
ସାଇବର ଠକମାନେ ଗ୍ରେଟର କୈଳାସରେ ବସବାସ କରୁଥିବା ଏନଆରଆଇ ଡାକ୍ତର ଦମ୍ପତିଙ୍କୁ ଡିଜିଟାଲ ଗିରଫ କରି ବିଭିନ୍ନ ପ୍ରକାର ଧମକ ଦେଇ ସେମାନଙ୍କଠାରୁ ୧୪ କୋଟି ୮୫ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ସାଇବର ଠକେଇର ଆଉ ଏକ ମାମଲା ସାମ୍ନାକୁ ଆସିଛି। ସାଇବର ଠକମାନେ ଗ୍ରେଟର କୈଳାସରେ ବସବାସ କରୁଥିବା ଏନଆରଆଇ ଡାକ୍ତର ଦମ୍ପତିଙ୍କୁ ଡିଜିଟାଲ ଗିରଫ କରି ସେମାନଙ୍କଠାରୁ ୧୪ କୋଟି ୮୫ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି।
ଡିସେମ୍ବର ୨୪ରୁ ଜାନୁଆରି ୯ ମଧ୍ୟରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ଓମ୍ ତନେଜା ଏବଂ ତାଙ୍କ ପତ୍ନୀ ଡାକ୍ତର ଇନ୍ଦିରା ତନେଜା ପ୍ରାୟ ୪୮ ବର୍ଷ ଧରି ଆମେରିକାରେ ଚାକିରି କରିବା ପରେ ଅବସର ନେଇଥିଲେ। ଏହାପରେ ଡାକ୍ତର ଦମ୍ପତି ୨୦୧୫ରେ ଭାରତକୁ ଫେରି ଆସିଥିଲେ।
ଡାକ୍ତର ଦମ୍ପତି ଡିଜିଟାଲ ଗିରଫ
ଡାକ୍ତର ଦମ୍ପତି ୨୦୧୫ ମସିହାରୁ ଚାରିଟେବୁଲ ସର୍ଭିସ ସହ ଜଡ଼ିତ ଥିଲେ। କିନ୍ତୁ ସେମାନେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଏମିତି ଏକ ଠକେଇର ଶିକାର ହେବେ। ସାଇବର ଠକମାନେ ବୃଦ୍ଧଦମ୍ପତିଙ୍କ ସମସ୍ତ ଅର୍ଜିତ ଟଙ୍କା ଲୁଟି ନେଇ ଯାଇଛନ୍ତି। ଡିସେମ୍ବର ୨୪ତାରିଖରେ ଡାକ୍ତର ଦମ୍ପତି ସାଇବର ଠକମାନଙ୍କ ଠାରୁ ଏକ ଫୋନକଲ ପାଇଥିଲେ । ଏଥିରେ ସେମାନେ ବୃଦ୍ଧବୃଦ୍ଧାଙ୍କୁ ମିଥ୍ୟା ମାମଲାରେ ଫସେଇ ଦେବା ସହିତ ଗିରଫ ୱାରେଣ୍ଟ ପାଇଁ ଧମକ ଦେଇଥିଲେ। ଡାକ୍ତର ଦମ୍ପତି ଏତେ ଭୟଭୀତ ହୋଇଯାଇଥିଲେ ଯେ ସେମାନେ ସାଇବର ଠକଙ୍କ ଫାଶରେ ପଡ଼ିଯାଇଥିଲେ।କିଛିସମୟ ମଧ୍ୟରେ ଆଠଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଥିଲେ। ଏହି ଟଙ୍କା ଡକ୍ଟର ଇନ୍ଦିରା ତନେଜାଙ୍କ ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା।
ଡକ୍ଟର ଇନ୍ଦିରା ତନେଜାଙ୍କ କହିବା ଅନୁଯାୟୀ, ସାଇବର ଠକମାନେ ତାଙ୍କୁ ବିଭିନ୍ନ ପରିମାଣ, କେତେବେଳେ ୨ କୋଟି ଟଙ୍କା, ଆଉ କେତେବେଳେ ୨ କୋଟି ୧୦ ଲକ୍ଷ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ। ଏମିତି କି ତାଙ୍କୁ ଗିରଫ ୱାରେଣ୍ଟ ଏବଂ ମିଥ୍ୟା ମାମଲା ଯେମିତି କି ପିଏମଏଲଏ ଏବଂ ମନି ଲଣ୍ଡରିଂ ଆଇନର ଉଦାହରଣ ଦେଇ ଧମକ ଦେଇଥିଲେ। ଡିଜିଟାଲ୍ ଗିରଫ ସମୟରେ ଯେତେବେଳେ ତାଙ୍କୁ ବାହାରକୁ ଯିବାକୁ କିମ୍ବା କଲ୍ କରିବାକୁ ପଡୁଥିଲା, ସାଇବର ଅପରାଧୀମାନେ ତାଙ୍କ ସ୍ୱାମୀ ଡକ୍ଟର ଓମ୍ ତନେଜାଙ୍କୁ ଭିଡିଓ କଲ୍ କରି ତାଙ୍କ କାର୍ଯ୍ୟ ଉପରେ ନଜର ରଖୁଥିଲେ ଏବଂ ନିଶ୍ଚିତ କରୁଥିଲେ ଯେ ସେ ଠକେଇ ବିଷୟରେ କାହାକୁ କହୁ ନାହାଁନ୍ତି ତ। କୌଣସି ଏକ କାମରେ ଆମେ ପୁଲିସ ଷ୍ଟେସନ ଯାଇଥିଲୁ। ଭିଡିଓ କଲରେ ଥିବା ଠକମାନେ ପୁଲିସ ଅଧିକାରୀଙ୍କ ସହିତ ଅଶ୍ଳୀଳ ଭାଷାରେ କଥା ହୋଇଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କଠାରୁ ଇତିମଧ୍ୟରେ ଠକ ୧୪କୋଟି ୧୮ଲକ୍ଷ ଟଙ୍କା ହଡ଼ପ କରି ନିଆଯାଇଛି। ଏହି ଘଟଣାରେ ଡାକ୍ତର ଦମ୍ପତି ସ୍ତବ୍ଧ ହୋଇଯାଇଛନ୍ତି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ୱ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ସାଇବର ୟୁନିଟ୍ ଆଇଏଫଏସଓକୁ ହସ୍ତାନ୍ତର କରିଛି।
ସୌଜନ୍ୟ ସମ୍ବାଦ




