Delhi Internet Shutdown: ଇଣ୍ଟର୍ନେଟ୍ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
ଇଣ୍ଟର୍ନେଟ୍ସେବା ବନ୍ଦ ଘଟଣାରେ ସୁପ୍ରିମ୍କୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାଖଲ କରିବାକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ସତ୍ୟପାଠର ଆରମ୍ଭରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଏକ ନିୟମିତ ପ୍ରକ୍ରିୟା ବୋଲି ସରକାର କହିଛନ୍ତି।

ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ସେବା ବନ୍ଦ ଘଟଣାରେ ସୁପ୍ରିମ୍କୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାଖଲ କରିବାକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ସତ୍ୟପାଠର ଆରମ୍ଭରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଏକ ନିୟମିତ ପ୍ରକ୍ରିୟା ବୋଲି ସରକାର କହିଛନ୍ତି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ଅନ୍ୟ ଅଧିକାରୀମାନେ ସତ୍ୟପାଠରେ କ୍ଷମା ପ୍ରାର୍ଥନା କରିଥିବା ଖବର ପ୍ରକାଶ ପାଇବା ପରେ ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଅଦାଲତ ଅବମାନନା ନୋଟିସ୍ର ଉତ୍ତର ଦେବା ସମୟରେ ସତ୍ୟପାଠର ଆରମ୍ଭରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଏ। ଏହାପରେ ଘଟଣା ସମ୍ପର୍କିତ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରାଯାଏ। ପରବର୍ତ୍ତୀ ସତ୍ୟପାଠରେ ଇଣ୍ଟର୍ନେଟ୍ ବନ୍ଦ ନିଷ୍ପତ୍ତି ଆଇନ ଅନୁଯାୟୀ ନିଆଯାଇଥିବା ଦର୍ଶାଯାଇଛି। ଗୃହ ସଚିବ ଗୋବିନ୍ଦ ମୋହନ ବୁଧବାର ବିଳମ୍ବିତ ରାତିରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ସାଧାରଣ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅକ୍ଟୋବର ୯ ରାତି ୧୦ଟାରୁ ଅକ୍ଟୋବର ୧୦ ରାତି ୧୦ଟା ପର୍ଯ୍ୟନ୍ତ ରାଇସିନା ହିଲ୍ସର ଚାରି କିଲୋମିଟର ପରିଧି ମଧ୍ୟରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ବନ୍ଦ କରିବା ଆବଶ୍ୟକ ଥିଲା। ଦିଲ୍ଲୀ ପୁଲିସର ପ୍ରସ୍ତାବକୁ ପରିସ୍ଥିତି ଦୃଷ୍ଟିରୁ ଯଥାର୍ଥ ବୋଲି ବିବେଚନା କରାଯାଇଥିଲା।
ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଥିବା ଅଭିଯୋଗ
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୧ରେ ସୁପ୍ରିମ୍କୋର୍ଟ କେନ୍ଦ୍ର ଗୃହ ସଚିବ, ଦିଲ୍ଲୀ ପୁଲିସ କମିସନର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି) ଅଧ୍ୟକ୍ଷଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ। କୋର୍ଟଙ୍କ ପୂର୍ବ ଆଦେଶର ଉଲ୍ଲଂଘନ କରି ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ଗୃହ ସଚିବଙ୍କ ସତ୍ୟପାଠ ଅନୁଯାୟୀ, କେବଳ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଥିଲା। ୱାଇ-ଫାଇ ଓ ବ୍ରଡ୍ବ୍ୟାଣ୍ଡ୍ ସେବା ଉପରେ କଟକଣା ଲାଗୁ ହୋଇନଥିଲା। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ସମୟ ପାଇଁ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଇଣ୍ଟର୍ନେଟ୍ ବନ୍ଦ କରାଯାଇପାରିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଏଥିସହ ଆବଶ୍ୟକ ପରିସ୍ଥିତିରେ ଆଇନ ଅନୁଯାୟୀ ଇଣ୍ଟର୍ନେଟ୍ ସେବା ବନ୍ଦ କରିବାକୁ ଅନୁମତି ଦେବା ପାଇଁ ସୁପ୍ରିମ୍କୋର୍ଟଙ୍କ ପୂର୍ବ ଆଦେଶରେ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ




