Donald Trump: ଆମେରିକା ସହ ସାରା ବିଶ୍ୱର ହୃଦୟକୁ ଭାଙ୍ଗି ଦେଲେ ଟ୍ରମ୍ପ: ଦେଶବାସୀ ଅଧିକ ଦ୍ୱନ୍ଦ୍ୱରେ
ମଧ୍ୟପ୍ରାଚ୍ୟରେ ମାସେରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ଆମେରିକୀୟ ଲୋକମାନେ ଆଶା କରୁଥିଲେ ଯେ, ଟ୍ରମ୍ପ ସେମାନଙ୍କର ଦ୍ୱନ୍ଦ୍ୱ ଦୂର କରିବେ।

ୱାସିଂଟନ: ମଧ୍ୟପ୍ରାଚ୍ୟରେ ମାସେରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ଆମେରିକୀୟ ଲୋକମାନେ ଆଶା କରୁଥିଲେ ଯେ, ଟ୍ରମ୍ପ ସେମାନଙ୍କର ଦ୍ୱନ୍ଦ୍ୱ ଦୂର କରିବେ। ଟ୍ରମ୍ପ ସଂସଦର ଅନୁମୋଦନ ବିନା ଇରାନରେ ଯୁଦ୍ଧ ଆରମ୍ଭ କରିଥିଲେ। ଲକ୍ଷ୍ୟ କ””ଣ ତାହା ତାଙ୍କୁ ଜଣା ନଥିଳା। ଯଦି ଲକ୍ଷ୍ୟ ହାସଲ ହୋଇଛି ତେବେ ଯୁଦ୍ଧ କାହିଁକି ଚାଲିଛି? ଏଭଳି ଅନେକ ପ୍ରଶ୍ନ ତାଙ୍କ ପାଇଁ ଅପେକ୍ଷା କରିଥିଲା। ତେବେ ପ୍ରାୟ ୧୯ ମିନିଟର ଏହି ଭାଷଣରେ ଉତ୍ତର କମ୍ ଏବଂ ବିବୃତି ଅଧିକ ଥିଲା ଯାହା ଦେଶବାସୀ ତଥା ବିଶ୍ବବାସୀଙ୍କ ଦ୍ୱନ୍ଦ୍ୱକୁ ବୃଦ୍ଧି କରିଛି। ଏଭଳି ଭାଷଣ ଦେଇ ଟ୍ରମ୍ପ ଆମେରିକା ସହ ସାରା ବିଶ୍ୱର ହୃଦୟକୁ ଭାଙ୍ଗି ଦେଇଛନ୍ତି। ଯେତେବେଳେ ଆମେରିକା, ଇସ୍ରାଏଲ ସହିତ ମିଶି ଗତ ବର୍ଷ ଇରାନ ଉପରେ ଆକ୍ରମଣ କରିଥିଲେ,ଟ୍ରମ୍ପ୍ କହିଥିଲେ ଯେ, ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି। ତଥାପି, ଏବେ ଟ୍ରମ୍ପ୍ କହୁଛନ୍ତି ଯେ, ଇରାନ ଏକ ପରମାଣୁ ବୋମା ବିକଶିତ କରିବା ଦ୍ୱାରରେ ଥିଲା। ଟ୍ରମ୍ପ୍ ଦାବି କରୁଛନ୍ତି, ଏହା ଏବେ ନଷ୍ଟ ହୋଇଯାଇଛି। ତେବେ, ବର୍ତ୍ତମାନର ଟ୍ରମ୍ପ୍ ସତ୍ୟ କହୁଛନ୍ତି ନା ଗୋଟିଏ ବର୍ଷ ପୂର୍ବେ ସତ କହିଥିଲେ ସେ ନେଇ ଭ୍ରମ ସୃଷ୍ଟି ହୋଇଛି।
ବିବିସି ରିପୋର୍ଟ କରିଛି, ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଇଭୋ ଡାଲଡର କହିଛନ୍ତି ଯେ ଟ୍ରମ୍ପଙ୍କ ଭାଷଣ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇନାହାନ୍ତି, ଯେଉଁଥିରେ ଟ୍ରମ୍ପ ଦାବି କରିଥିବା ପରି, ଇରାନର ପରମାଣୁ କ୍ଷମତା, ନୌସେନା ଏବଂ କ୍ଷେପଣାସ୍ତ୍ର ନଷ୍ଟ ହୋଇଥିବା ଆଦି ରହିଛି। ଯଦି ଥରାନର ସବୁ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଛି, ତେବେ ଆମେରିକା କାହିଁକି ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ମଧ୍ ପ୍ରଶ୍ନ ଉଠୁଛି। ଡାଲଡର କହିଛନ୍ତି, ମୁଁ ଭାବୁଛି ଆମେରିକୀୟ ଜନସାଧାରଣଙ୍କର ମଧ୍ୟ ସମାନ ସନ୍ଦେହ ଅଛି।
ସେ କହିଛନ୍ତି,ଟ୍ରମ୍ପ ତାଙ୍କ ଭାଷଣରେ ନାଟୋ ସହଯୋଗୀଙ୍କୁ ଖୋଲାଖୋଲି ସମାଲୋଚନା କରିନଥିଲେ, ସେମାନଙ୍କୁ ଟାର୍ଗେଟ କରିନଥିଲେ କିମ୍ବା ସହଯୋଗୀତାରୁ ଓହରିଯିବାର ଧମକକୁ ପୁନରାବୃତ୍ତି କରିନଥିଲେ। ହୁଏତ ପରେ ସେ ସୋସିଆଲ ମିଡିଆରେ ଏପରି କରିବାର ସମ୍ଭାବନା ରହିଛି।
ଆମେରିକୀୟ ଜନସାଧାରଣଙ୍କ ମନରେ ଥିବା ସବୁଠାରୁ ବଡ଼ ପ୍ରଶ୍ନର ଉତ୍ତର ଟ୍ରମ୍ପ କୌଣସି ନୂତନ ଉତ୍ତର ଦେଇ ନାହାନ୍ତି। ତାହା ହେଉଛି ଯୁଦ୍ଧ କେବେ ଶେଷ ହେବ ? ସେ କହିଛନ୍ତି, ମୁଁ ଖୁସି ଯେ ଆମର ପ୍ରମୁଖ ରଣନୈତିକ ଉଦ୍ଦେଶ୍ୟଗୁଡ଼ିକ ସମାପ୍ତ ହେବାକୁ ଯାଉଛି। ସେ ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନକୁ “ପ୍ରସ୍ତର ଯୁଗକୁ ଫେରାଇ ଆଣିବା” ପାଇଁ ତାଙ୍କର ପ୍ରତିଶ୍ରୁତିକୁ ଦୋହରାଇବା ବ୍ୟତୀତ ଯୁଦ୍ଧ ଶେଷ ଯୋଜନା କିମ୍ବା ଲକ୍ଷ୍ୟ ବିଷୟରେ କୌଣସି ବିବରଣୀ ପ୍ରଦାନ କରିବାକୁ ମନା କରିଦେଇଛନ୍ତି।
ପ୍ରଶ୍ନ ହେଉଛି ଆମେରିକା କ’ଣ ହାସଲ କଲେ ଯୁଦ୍ଧ ବନ୍ଦ ବରିବ। ଏହାର ଶେଷ କ’ଣ ହେବ? ଆମେରିକୀୟ ଜନସାଧାରଣ ଟ୍ରମ୍ପଙ୍କଠାରୁ ଏହି ଉତ୍ତର ଦାବି କରୁଛନ୍ତି, କିନ୍ତୁ ସେ କୌଣସି ଉତ୍ତର ଦେଇନାହାନ୍ତି। ସେ କ’ଣ ଇରାନର ସମୃଦ୍ଧ କିମ୍ବା ବିଶୋଧିତ ୟୁରାନିୟମ ଜବତ କରିବା ପାଇଁ ସ୍ଥଳସେନା ପଠାଇବାକୁ ଯୋଜନା କରୁଛନ୍ତି, ନା ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବାରେ ଇରାନର କ୍ଷମତା ହ୍ରାସ କରିବାକୁ ଯୋଜନା କରୁଛନ୍ତି ତାହା ପ୍ରଶ୍ନ ଘେରରେ ରହିଛି। ସେ ଭାଷଣରେ କୂଟନୈତିକ ଆଲୋଚନା ସମ୍ପର୍କରେ, ସେମାନେ କୌଣସି ସକାରାତ୍ମକ ସଙ୍କେତ ଦେଇନାହାନ୍ତି। ବରଂକେବଳ ଇରାନର ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଉତ୍ତେଜନା ବୃଦ୍ଧି କରିବାକୁ କେବଳ ସେମାନଙ୍କର ଧମକକୁ ପୁନରାବୃତ୍ତି କରିଛନ୍ତି। ଯଦି ଟ୍ରମ୍ପ ଏବଂ ତାଙ୍କ ସେନା ଏପରି କରନ୍ତି, ତେବେ ଏହା ଯୁଦ୍ଧକୁ ଆହୁରି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିବ। ଗୋଟିଏ ପଟେ, ଟ୍ରମ୍ପ ଦାବି କରୁଛନ୍ତି ଯେ ନୂତନ ଇରାନୀ ନେତୃତ୍ୱ କମ୍ ମୌଳବାଦୀ ଏବଂ ଅଧିକ ଯୁକ୍ତିଯୁକ୍ତ, ଅନ୍ୟପଟେ, ସେ କହିଛନ୍ତି ଯେ, ଯଦି ଶୀଘ୍ର ଏକ ଚୁକ୍ତି ନହୁଏ, ତେବେ ଆମେରିକା ପ୍ରମୁଖ ଲକ୍ଷ୍ୟଗୁଡ଼ିକୁ ଟାର୍ଗେଟ କରିଇରାନର ଶକ୍ତି କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବ।ଏହି ସମୟରେ, ୟୁକେରେ, ପୂର୍ବତନ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ବରିଷ୍ଠ ପରାମର୍ଶଦାତା ମେଲିସା ଟୌଫାନିଆନ ବିବିସିକୁ କହିଛନ୍ତି ଯେ, ଟ୍ରମ୍ପଙ୍କ ଭାଷଣ ପରେ ଆମେରିକୀୟ ଜନସାଧାରଣ ଇରାନ ଯୁଦ୍ଧ ବିଷୟରେ “ଅଧିକ ଦ୍ୱନ୍ଦ୍ୱରେ” ପଡ଼ିଛନ୍ତି। ମୁଁ ଭାବୁନାହିଁ ଯେ ଆଜିର ଭାଷଣ ଦେଖୁଥିବା ଜଣେ ବି ଆମେରିକୀୟ ଅଛନ୍ତି ଯିଏ ଅନୁଭବ କରୁଛନ୍ତି ଯେ ଟ୍ରମ୍ପଙ୍କର ଏକ ସ୍ପଷ୍ଟ ଯୋଜନା ଅବା ଏକ ସ୍ପଷ୍ଟ ସମୟସୀମା ଅଛି।
ସୌଜନ୍ୟ ସମ୍ବାଦ




