ଦେଶ ବିଦେଶ

Donald Trump: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ: ତେହେରାନର ବାର୍ତ୍ତାକୁ ଅପେକ୍ଷା କରିଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ ମଧ୍ୟ ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି। ଇରାନ ସରକାର ଫୋନ୍ କରି କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ...

ଵାସିଂଟନ୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ ମଧ୍ୟ ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି। ଇରାନ ସରକାର ଫୋନ୍ କରି କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ସେମାନଙ୍କ ଆଡ଼ୁ କ’ଣ ବାର୍ତ୍ତା ଆସୁଛି ତାକୁ ଅପେକ୍ଷା କରିଛନ୍ତି। ଇରାନ ବିକ୍ଷୋଭ ବିରୋଧରେ ପୁଲିସ ଓ ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇବା ଏବଂ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି।

ଆମେରିକାର ରାଷ୍ଟ୍ରପତି ବାରମ୍ବାର ଧମକ ଦେଇଛନ୍ତି ଯେ ଯଦି ତାଙ୍କ ପ୍ରଶାସନ ଜାଣିବାକୁ ପାଇଲେ ଇସଲାମିକ୍ ରିପବ୍ଲିକ୍ ସରକାର ବିକ୍ଷୋଭକାରୀଙ୍କ ବିରୋଧରେ ହିଂସାତ୍ମକ ବଳ ପ୍ରୟୋଗ କରୁଛି ତେବେ ତେହେରାନକୁ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଏକ ଲାଲ୍ ରେଖା ଯାହା ଟ୍ରମ୍ପ କହିଛନ୍ତି, ସେ ବିଶ୍ୱାସ କରନ୍ତି ଯେ ଇରାନ ‘ଅତିକ୍ରମ କରିବା ଆରମ୍ଭ କରିଛି’।

କିନ୍ତୁ ଟ୍ରମ୍ପ ତେହେରାନ ଆଡ଼ୁ କିଛି ବାର୍ତ୍ତା ଆସିବା ପାଇଁ ଅପେକ୍ଷା କରିଥିବାରୁ ନିଜ ସେନାକୁ ଅନ୍ତତଃ ପକ୍ଷେ ବର୍ତ୍ତମାନ ପାଇଁ ଷ୍ଟାଣ୍ଡବାଇ ମୋଡ୍‌ରେ ରଖିଥିବା ପରି ମନେହୁଏ, କାରଣ ଇରାନ ଅଧିକାରୀମାନେ ହ୍ୱାଇଟ୍ ହାଉସ୍ ସହିତ ଆଲୋଚନା କରିବାକୁ ଚାହୁଛନ୍ତି ବୋଲି ସୂଚାଇ ସାରିଛନ୍ତି। ଅପରପକ୍ଷେ ଟ୍ରମ୍ପ ତେହେରାନ ସହ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି, ଯାହା ଏକ ଚାପ କୌଶଳ। ଚୀନ୍, ସଂଯୁକ୍ତ ଆରବ ଏମିରେଟ୍ସ, ତୁର୍କୀ, ବ୍ରାଜିଲ୍ ଓ ରୁଷ୍‌ ତେହେରାନ ସହିତ ବ୍ୟବସାୟ କରୁଥିବା ଦେଶ ମଧ୍ୟରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଶୁଳ୍କ ଘୋଷଣା ବିଷୟରେ କିଛି ମନ୍ତବ୍ୟ ଦେବାକୁ ସେମାନେ ମନା କରିଦେଇଛି।

ଇତିମଧ୍ୟରେ, ଉପରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ସଚିବ ମାର୍କୋ ରୁବିଓ ଓ ହ୍ୱାଇଟ୍ ହାଉସ୍ ଜାତୀୟ ସୁରକ୍ଷା ପରିଷଦର ପ୍ରମୁଖ ଅଧିକାରୀମାନେ ଶୁକ୍ରବାର ସାମରିକ ଆକ୍ରମଣ ବଦଳରେ କୂଟନୈତିକ ଆଭିମୁଖ୍ୟଠାରୁ ଆରମ୍ଭ କରି ଏକ ବିକଳ୍ପ ଯୋଜନା ପ୍ରସ୍ତୁତ କରିବା ପାଇଁ ବୈଠକ କରିଥିଲେ। ରବିବାର ସନ୍ଧ୍ୟାରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇରାନ ଅଧିକାରୀଙ୍କ ସହ ଏକ ବୈଠକ ଆୟୋଜନ କରାଯାଉଛି, କିନ୍ତୁ ବୈଠକ ପୂର୍ବରୁ ଯାହା ଘଟୁଛି ସେଥିପାଇଁ ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିପାରେ। ଟ୍ରମ୍ପ କହିଛନ୍ତି, ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଟ୍ରମ୍ପ ଓ ତାଙ୍କ ଜାତୀୟ ସୁରକ୍ଷା ଦଳ ସମ୍ଭାବ୍ୟ ବିକଳ୍ପଗୁଡ଼ିକର ସମୀକ୍ଷା ଆରମ୍ଭ କରିସାରିଛନ୍ତି ଏବଂ ସେ ଏହି ସପ୍ତାହରେ ତାଙ୍କ ଦଳ ସହିତ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button