ଓଡିଶାମହାନଗର

Don’t move the file : ବିନା ଲାଞ୍ଚରେ ଆଗକୁ ଘୁଞ୍ଚୁନି ଫାଇଲ୍‌

ଗତ ରାତିରୁ କଟକ ସର୍କଲ୍‌ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘର, ଦପ୍ତର, ପୈତୃକ ବାସଭବନ ସମେତ ତିନିଟି ଠିକଣାରେ ଚାଲିଥିବା ଚଢ଼ଉରୁ ସର୍ବକାଳୀନ ରେକର୍ଡ ୪.୨୮ କୋଟି....

ଭୁବନେଶ୍ବର: ଗତ ରାତିରୁକଟକ ସର୍କଲ୍‌ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘର, ଦପ୍ତର, ପୈତୃକ ବାସଭବନ ସମେତ ତିନିଟି ଠିକଣାରେ ଚାଲିଥିବା ଚଢ଼ଉରୁ ସର୍ବକାଳୀନ ରେକର୍ଡ ୪.୨୮ କୋଟି ଟଙ୍କା ନଗଦ ଜବତ ହେଲାଣି। ଆହୁରି ମିଳିବ ବୋଲି ଭିଜିଲାନ୍ସ ଅଧିକାରୀ କହୁଛନ୍ତି। ଗୋଟିଏ ବଡ଼ମାଛ ନିକଟରୁ ଏକା ଝାମ୍ପରେ ଏତେ ନଗଦ ମିଳିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ। ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବେପାରୀଙ୍କୁ ରାତିରେ ଶାନ୍ତିରେ ଶୋଇବାକୁ ଦେବାକୁ ଖଣି ଉପନିର୍ଦ୍ଦେଶକ ଦେବ ମହାନ୍ତି ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନସ୍‌ ଡିଭିଜନ୍‌ର ସ୍ବତନ୍ତ୍ର ଟିମ୍‌ ପଞ୍ଝାରେ ପଡ଼ିଲେ।

ସଂଗୃହୀତ ତଥ୍ୟ ଅନୁସାରେ, ଗତ ୨୦୧୬ ମସିହାରୁ ଏ ପର୍ଯ୍ୟନ୍ତ ଗତ ୧୦ ବର୍ଷ ଭିତରେ ଭିଜିଲାନ୍ସ ଯେଉଁ ୧୧ କୁବେର ବାବୁଙ୍କ ଘରୁ ସର୍ବାଧିକ ନଗଦ ଟଙ୍କା ଜବତ କରିଛି, ତାହା ସମୁଦାୟ ୨୨ କୋଟି ୯ଲକ୍ଷ ୩୨ ହଜାର୧୧୯ ଟଙ୍କା। ୧୧ଟି ମାମଲାରୁ ୨୦୨୨ରୁ ୨୦୨୫, ୩ବର୍ଷ ମଧ୍ୟରେ ୯ଟି ମାମଲାରେ କେବଳ ୧୬,୭୦,୬୧,୧୬୯ଟଙ୍କା ଜବତ ହୋଇଛି। ୨୦୨୨ ଏପ୍ରିଲ୍‌ ୭ରେ ଗଞ୍ଜାମଜିଲ୍ଲା ଭଞ୍ଜନଗର ମଧ୍ୟମ ସେଚବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ନଗଦ ଦ୍ବିତୀୟ ସର୍ବାଧିକ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ଟଙ୍କା ଓ ୨୦୨୩ ଜୁନ୍‌ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ତୃତୀୟ ସର୍ବାଧିକ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ଟଙ୍କା ଜବତ କରାଯାଇଥିଲା। ସେହିପରି ୨୦୨୫ରେ ତିନି ଥରରୁ ୨ଥର ୨ କୋଟିରୁ ଊର୍ଦ୍ଧ୍ବ ନଗଦ ରାଶି ଜବତ ହୋଇଛି। ଗତ ମେ’୩୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ୨ କୋଟି ୫୬ ଲକ୍ଷ ୨୯ ହଜାର ୨୯୯ ଟଙ୍କା, ଫେବ୍ରୁଆରିରେ ମାଲକାନଗିରି ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ୨.୦୮କୋଟି ଟଙ୍କା ଏବଂ ଜୁଲାଇ ୨୫ରେ କୋରାପୁଟ ଜିଲ୍ଲା ଜୟପୁର ଡେପୁଟି ରେଞ୍ଜର୍‌ଙ୍କ ଘରୁ ନଗଦ୧.୪୩କୋଟି ଟଙ୍କା ଜବତ କରାଯାଇଥିଲା। ୨୦୨୩ ମାର୍ଚ୍ଚ ୩ରେ ଖଣି ନିର୍ଦ୍ଦେଶାଳୟ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ୧.୬୪କୋଟି, ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରୁ ୧ କୋଟି ୪୦ ଲକ୍ଷ ୧୮ ହଜାର ୦୭୦ଟଙ୍କା, ଫେବ୍ରୁଆରି ୧୬ରେ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ଟଙ୍କା ଓ ଡିସେମ୍ବର ୨୧ରେ ଇଡ୍‌କୋ ଯୁଗ୍ମ ପ୍ରବନ୍ଧକ ଗୟା ସନ୍ତରାଙ୍କ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ଟଙ୍କା ଜବତ ହୋଇଥିଲା। ୨୦୧୬ ଫେବ୍ରୁଆରି ୨୪ରେ କଟକ ଜିଲ୍ଲା ଆଠଗଡ଼ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ୯୫୦ ଟଙ୍କା ଜବତ ହୋଇଥିଲା।

ପୁଳାପୁଳା ଟଙ୍କା ଜବତ ପରେ ବାବୁମାନଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ସହ ସରକାରୀ ବିଭାଗରେ ଚାଲିଥିବା ଅନେକ ଚିତ୍ର ସ୍ପଷ୍ଟ ହୋଇଛି। ବିନା ଲାଞ୍ଚରେ ଫାଇଲ୍‌ ଆଗକୁ ଯାଇପାରୁନି। ଟଙ୍କା ଦେଲେ ନ ହେବା କାମ କ୍ଷଣିକରେ ହୋଇଯାଉଛି। ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୌରସଂସ୍ଥା କାର୍ଯ୍ୟାଳୟ ଯାଏଁ ସବୁଠି ମାଳମାଳ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ ଛାଇଯାଇଛନ୍ତି। ଯାହାକି ଚିନ୍ତାଜନକ।
କେବଳ ଏହି ୧୧ଜଣ କୁବେର ବାବୁ ନୁହନ୍ତି; ୧୦ ବର୍ଷରେ ଭିଜିଲାନ୍ସ ଶହ ଶହ କୁବେର ଲାଞ୍ଚୁଆ ଅଧିକାରୀଙ୍କୁ ଧରିଛି। ହେଲେ ସେମାନଙ୍କଠାରୁ ନଗଦ ଜବତ ପରିମାଣ ଅଧକୋଟି କିମ୍ବା କୋଟିଏ ତଳକୁ ରହିଥିଲା। ଏହାଛଡ଼ା ଏବେ ବି ଅନେକ କୋଟିପତି ଲାଞ୍ଚୁଆ ଅଧିକାରୀ ଡେଣା ମେଲାଇ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ବୁଲୁଛନ୍ତି। ସବୁ ତଥ୍ୟ ଥାଇ ଅନେକ କ୍ଷେତ୍ରରେ ଭିଜିଲାନ୍ସ ସେମାନଙ୍କ ଗୁମର ଖୋଲିବାକୁ ଭୟ କରୁଛି। ତେବେ କାହିଁକି ଭିଜିଲାନ୍ସର ଏତେ ଡର? ତଥ୍ୟ ଥାଇ ଧରିବାକୁ କୁନ୍ଥକୁନ୍ଥ ନା ଭିଜିଲାନ୍ସ କେବଳ ଉପରୁ ଯାହାକୁ ମାଡ଼ି ବସିବାକୁ ନିର୍ଦ୍ଦେଶ ଆସୁଛି, ତାଙ୍କୁ ଧରୁଛି ଏବଂ ଗେଲାପୁଅଙ୍କୁ ମାଫ୍‌।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button