ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧରେ ଡ୍ରୋନ୍ର ବଢ଼ୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ଡ୍ରୋନ୍ କ୍ଷମତା ବଢ଼ାଇବାକୁ ବଡ଼ ଯୋଜନା କରିଛି। ଆସନ୍ତା ୫ ବର୍ଷରେ ସ୍ଥଳସେନା, ନୌସେନା ଓ ବାୟୁସେନା ମିଳିତ ଭାବେ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରୋନ୍ କିଣିବେ। ଏଥିରେ ଦୀର୍ଘଦୂରଗାମୀ ଆକ୍ରମଣକାରୀ ଡ୍ରୋନ୍, ଗୁପ୍ତ ଉଡ଼ାଣ କ୍ଷମତାସମ୍ପନ୍ନ ଡ୍ରୋନ୍, ନିରୀକ୍ଷଣ ଡ୍ରୋନ୍ ଏବଂ ଏକାସାଙ୍ଗରେ ଅନେକ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାର ବ୍ୟବସ୍ଥା ରହିଛି।
ଗତବର୍ଷ ଭାରତ-ପାକିସ୍ତାନ ସଂଘର୍ଷ ସମୟରେ ଡ୍ରୋନ୍ର ବ୍ୟବହାର ଏହାର ସାମରିକ ଗୁରୁତ୍ୱକୁ ସ୍ପଷ୍ଟ କରିଥିଲା। ଏହା ପରେ ଭାରତୀୟ ସେନା ଏହି କ୍ଷେତ୍ରରେ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ତେବେ ବିପୁଳ ଅର୍ଥ ବ୍ୟୟ କରି ଡ୍ରୋନ୍ କିଣିବା ସହିତ ସେଗୁଡ଼ିକର ଉତ୍ପାଦନ, ଯନ୍ତ୍ରାଂଶ ଯୋଗାଣ, ପରିଚାଳନା ଓ ଯୁଦ୍ଧକ୍ଷେତ୍ରରେ ସମନ୍ୱିତ ବ୍ୟବହାର ପାଇଁ ଭାରତକୁ ଆହୁରି ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଜେଟ୍ ଇଞ୍ଜିନ୍ଯୁକ୍ତ ଆକ୍ରମଣକାରୀ ଡ୍ରୋନ୍ ଉପରେ ଗୁରୁତ୍ୱ
ଭାରତୀୟ ସେନା ପ୍ରାୟ ୫୪୦ଟି ଜେଟ୍ ଇଞ୍ଜିନ୍ଯୁକ୍ତ ଆକ୍ରମଣକାରୀ ଡ୍ରୋନ୍ କିଣିବା ଯୋଜନା କରିଛି। ଏହି ଡ୍ରୋନ୍ଗୁଡ଼ିକ ଅଧିକ ବେଗରେ ଉଡ଼ି ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ଧକ୍କା ଦେଇ ବିସ୍ଫୋରଣ କରିପାରିବେ। ଏଗୁଡ଼ିକୁ ‘କାମିକାଜେ ଡ୍ରୋନ୍’ କୁହାଯାଏ। ପାରମ୍ପରିକ କ୍ଷେପଣାସ୍ତ୍ର ତୁଳନାରେ ଏଭଳି ଡ୍ରୋନ୍ ନିର୍ମାଣ ଖର୍ଚ୍ଚ କମ୍ ହୋଇପାରେ। ତେଣୁ ଏକାଧିକ ଡ୍ରୋନ୍କୁ ଏକସଙ୍ଗେ ବ୍ୟବହାର କରି ଶତ୍ରୁପକ୍ଷର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିବା ସମ୍ଭବ ହେବ। ବାୟୁସେନା ୧୦୦ରୁ ଅଧିକ ‘ଘାତକ’ ଷ୍ଟିଲ୍ଥ୍ ବୋମାବର୍ଷୀ ଡ୍ରୋନ୍ କିଣିବା ଯୋଜନା ମଧ୍ୟ ରଖିଛି। ଏହାର ଆନୁମାନିକ ମୂଲ୍ୟ ୬୦ ହଜାର କୋଟି ଟଙ୍କାରୁ ଅଧିକ। ଏହି ଡ୍ରୋନ୍ଗୁଡ଼ିକ ମାନବଚାଳିତ ଯୁଦ୍ଧବିମାନ ସହ ମିଶି କାର୍ଯ୍ୟ କରିପାରିବେ। ଉଚ୍ଚ ଆକାଶମଣ୍ଡଳରେ ଦୀର୍ଘ ସମୟ ରହିପାରୁଥିବା ଡ୍ରୋନ୍ ଏବଂ ଦୂରରୁ ଲକ୍ଷ୍ୟ ଉପରେ ଆକ୍ରମଣ କରିପାରୁଥିବା ଡ୍ରୋନ୍ କିଣିବା ଯୋଜନା ମଧ୍ୟ ରହିଛି।
ସୌଜନ୍ୟ ସମ୍ବାଦ