ଜାତୀୟ

ED action : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡି କାର୍ଯ୍ୟାନୁଷ୍ଠାନ

କୋଇଲା ମାଫିଆ ନେଟ୍‌ୱର୍କ ସହ ଜଡିତ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଶୁକ୍ରବାର ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛନ୍ତି।

ରାଞ୍ଚି: କୋଇଲା ମାଫିଆ ନେଟ୍‌ୱର୍କ ସହ ଜଡିତ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଶୁକ୍ରବାର ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛନ୍ତି। କୋଇଲା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଶୁକ୍ରବାର ସକାଳେ ଝାଡଖଣ୍ଡର ଧାନବାଦର ୧୮ଟି ସ୍ଥାନରେ ବ୍ୟାପକ ଚଢ଼ଉ କରିଥିଲା। ଉଭୟ ରାଜ୍ୟରେ ଚଢ଼ଉ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ଜବତ ହୋଇଥିବା ଖବର ମିଳିଛି।

ଇଡି ଟିମ୍ ଏକାସାଙ୍ଗରେ ବିସିସିଏଲ୍ ପାଇଁ ଆଉଟସୋର୍ସିଂ କାର୍ଯ୍ୟ କରୁଥିବା ଦେବପ୍ରଭା କମ୍ପାନି ଓ ଏହାର ମାଲିକ ଏଲ୍‌ବି ସିଂହ ଏବଂ ତାଙ୍କ ଭାଇ କୁମ୍ଭନାଥ ସିଂହଙ୍କ ଘର ଉପରେ ଚଢ଼ଉ କରିଥିଲା। ଏବେ ବି ଚଢ଼ଉ ଜାରି ରହିଛି ଏବଂ ଏଜେନ୍ସି ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଫିସିଆଲ ବିବୃତି ଜାରି କରିନାହିଁ। ସୂଚନା ଅନୁଯାୟୀ, ଇଡିର ତଦନ୍ତ କଳା କୋଇଲା ବ୍ୟବସାୟ, ଅନିୟମିତ ଚୁକ୍ତିନାମା ଓ ବେଆଇନ ଆର୍ଥିକ କାରବାର ଉପରେ କେନ୍ଦ୍ରିତ ହୋଇଛି। ଇଡି ସୂତ୍ରରୁ ପ୍ରକାଶ ଯେ ବିଭିନ୍ନ ବିସିସିଏଲ ଟେଣ୍ଡରରେ ଅନିୟମିତତା ଓ ଅସଙ୍ଗତି ପାଇଁ ୧୮ଟି ସ୍ଥାନରେ ଚଢ଼ଉ ହେଉଛି। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଧାନବାଦରେ କାର୍ଯ୍ୟ କରୁଥିବା ଅନିଲ ଗୋୟଲ ଓ ସଞ୍ଜୟ ଖେମକାଙ୍କ ସମେତ ଅନ୍ୟ ଅନେକ କୋଇଲା ବ୍ୟବସାୟୀଙ୍କ ବାସଭବନ ଓ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ।

କୋଇଲା ବ୍ୟବସାୟୀ ବିନୋଦ ମାହାତୋ ଓ ସନ୍ନି କେଶରୀଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ମଧ୍ୟ ଚଢ଼ଉ କରାଯାଉଛି। ଇଡି ଟିମ୍ ଆର୍ଥିକ କାରବାର ସହ ଜଡିତ ଦସ୍ତାବିଜ ଓ ରେକର୍ଡଗୁଡିକ ଯାଞ୍ଚ କରୁଛି। ଇଡି ଅନେକ ଦସ୍ତାବିଜ, ଡିଜିଟାଲ ରେକର୍ଡ ଓ ଆର୍ଥିକ କାରବାର ସହ ଜଡିତ କାଗଜପତ୍ର ଜବତ କରିଥିବା କୁହାଯାଉଛି। ସକାଳ ପ୍ରାୟ ୬ଟାରେ ଇଡି ଟିମ୍ ଏଲ୍‌ବି ସିଂହଙ୍କ ବାସଭବନରେ ପହଞ୍ଚିବା ପରେ ସେ ତାଙ୍କ ପୋଷା କୁକୁରମାନଙ୍କୁ ସେମାନଙ୍କ ଉପରକୁ ଛାଡ଼ି ଦେଇଥିଲେ ଏବଂ କବାଟ ଖୋଲିନଥିଲେ। ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ୨ ଘଣ୍ଟା ବିଳମ୍ବ ହୋଇଥିଲା।  ସୂଚନାଯୋଗ୍ୟ, ପ୍ରାୟ ଦଶବର୍ଷ ପୂର୍ବେ ବିସିସିଏଲ୍ ଟେଣ୍ଡର ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା, ଯେଉଁଥିରେ ସେ ସିବିଆଇ ଟିମ୍ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦୁର୍ଗାପୁର, ପୁରୁଲିଆ, ହାଓଡ଼ା ଓ କୋଲକାତାର ୨୪ଟି ସ୍ଥାନରେ ଇଡିର କୋଲକାତା ୟୁନିଟ୍ ଚଢ଼ଉ କରୁଛି।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button