Editorial: ନାଚାର ଟ୍ରମ୍ପ
ଆମେରିକା ଭାରତ ଉପରେ ୧୮ ଶତାଂଶ ହାରରେ ଟାରିଫ୍ ଲାଗୁ କରିବା ବେଳେ ଭାରତ ଆମେରିକା ଉପରେ ଶୂନ୍ୟ ହାରରେ ଟାରିଫ୍ ଲାଗୁ କରିବା ଏକ ଅସମତୁଲ ଚୁକ୍ତିର ପରିଚାୟକ ତଥା ଭାରତୀୟ ସ୍ବାର୍ଥବିରୋଧୀ ନୁହେଁ କି?

ଆମେରିକା ଭାରତ ଉପରେ ୧୮ ଶତାଂଶ ହାରରେ ଟାରିଫ୍ ଲାଗୁ କରିବା ବେଳେ ଭାରତ ଆମେରିକା ଉପରେ ଶୂନ୍ୟ ହାରରେ ଟାରିଫ୍ ଲାଗୁ କରିବା ଏକ ଅସମତୁଲ ଚୁକ୍ତିର ପରିଚାୟକ ତଥା ଭାରତୀୟ ସ୍ବାର୍ଥବିରୋଧୀ ନୁହେଁ କି? ଏପରି ଏକ ଧାରଣା ସୃଷ୍ଟି ହେବାରେ କୌଣସି ଅସଂଗତି ନ ଥିଲେ ହେଁ, ଟିକିଏ ତଳେଇ କରି ଦେଖିଲେ ଏଭଳି ଆଶଙ୍କା ଅମୂଳକ ମନେ ହୋଇଥାଏ। ପ୍ରଥମ ହେଲା, ଟାରିଫ୍ ବା ଆମଦାନି ଶୁଳ୍କ ପ୍ରାୟତଃ ଆମଦାନିକାରୀ ଦେଶର ଗ୍ରାହକମାନଙ୍କୁ ବହନ କରିବାକୁ ପଡ଼ିଥାଏ। ଆମେରିକାରୁ ଆମଦାନି ହେଉଥିବା ଦ୍ରବ୍ୟମାନ ଉପରେ ଶୂନ୍ୟ ଟାରିଫ୍ ଲାଗୁ ହେଲେ, ଭାରତୀୟ ଗ୍ରାହକମାନଙ୍କ ପାଇଁ ସେଇ ଦ୍ରବ୍ୟମାନ ମହଙ୍ଗା ହେବ ନାହିଁ।
ଅବଶେଷରେ ପରିସ୍ଥିତିର ଚାପ ଆମେରିକାର ଦୁଷ୍ଟବୁଦ୍ଧିସଂପନ୍ନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଉପରେ ଟାରିଫ୍ କୋହଳ କରି ଏକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ବାଧ୍ୟ କରିଛି। ସେ ଏପ୍ଷ୍ଟାଇନ୍ ଫାଇଲ୍ସ ଦ୍ବାରା ଉନ୍ମୋଚିତ ତାଙ୍କର ଅତୀତର ଯୌନ ବ୍ୟଭିଚାରରୁ ଆରମ୍ଭ କରି ତାଙ୍କର ‘ଆଇସ୍’ ଆକ୍ରମଣ ଯୋଗୁଁ ନିଜ ଦେଶରେ ଘଟୁଥିବା ଆମେରିକୀୟ ନାଗରିକମାନଙ୍କର ପ୍ରାଣହାନି ପର୍ଯ୍ୟନ୍ତ ଘଟଣାମାନଙ୍କ ଯୋଗୁଁ ସେଠାରେ ହରାଇ ଚାଲିଥିବା ଜନ ସମର୍ଥନ ଦ୍ବାରା ଛାନିଆ ହୋଇ ପଡ଼ିଥିବା ବେଳେ ଆମେରିକାକୁ ଆଡ଼େଇ ଦେଇ ଏବେ ଭାରତ ଓ ‘ଇଉରୋପିଆନ୍ ୟୁନିଅନ୍’ (‘ଇୟୁ’) ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ‘ସମସ୍ତ ବାଣିଜ୍ୟ ଚୁକ୍ତିମାନଙ୍କର ଜନନୀ’ ଦ୍ବାରା ଏକଘରକିଆ ହୋଇପଡ଼ିବା ଭୟରେ କାଳବିଳମ୍ବ ନ କରି ଭାରତ ସହିତ ଆଉ ନ ଖେଳି ଏକ ଚୁକ୍ତି ସଂପାଦନ କରି ପକାଇବାକୁ ଉଚିତ ମନେ କରିଛନ୍ତି।
ଏହାର ଫଳସ୍ବରୂପ ଟ୍ରମ୍ପ ଭାରତ ଉପରେ ପକାଇଥିବା ରୁଷୀୟ ତୈଳ କ୍ରୟ ବାହାନାରେ ଅତିରିକ୍ତ ୨୫ ଶତାଂଶ ଟାରିଫ୍ ହଟାଇ ଦେବା ସଙ୍ଗେ ସଙ୍ଗେ ପୂର୍ବରୁ ଲାଗୁ କରିଥିବା ୨୫ ଶତାଂଶ ଟାରିଫ୍ରେ ହ୍ରାସ ଘଟାଇ ତାହାକୁ ୧୮ ଶତାଂଶ କରି ଦେଇଛନ୍ତି। ଏଠାରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏହି ହାର ହେଉଛି ଅନ୍ୟ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ପ୍ରତି ଟ୍ରମ୍ପ ଲାଗୁ କରିଥିବା ଟାରିଫ୍ ହାରଠାରୁ ସାମାନ୍ୟ କମ୍- (ପାକିସ୍ତାନ- ୧୯%, ବାଂଲାଦେଶ- ୨୦%, ଶ୍ରୀଲଙ୍କା- ୨୦%, ଭିଏତନାମ- ୨୦%, ଇଣ୍ଡୋନେସିଆ, କମ୍ବୋଡ଼ିଆ, ଥାଇଲାଣ୍ଡ, ମାଲେସିଆ, ଫିଲିପିନ୍ସ- ୧୯%) ହୋଇଥିବା ବେଳେ ଚୀନ୍ ପ୍ରତି ଲାଗୁ ହେଉଥିବା ୪୭.୫ ଶତାଂଶ ହାରଠାରୁ ବେଶ୍ କମ୍ ହୋଇଥାଏ। ଅବଶ୍ୟ ଜାପାନ୍ ଓ ଦକ୍ଷିଣ କୋରିଆ ଭଳି ବିକଶିତ ଦେଶମାନଙ୍କ ପ୍ରତି ଲାଗୁ ୧୫ ଶତାଂଶ ଟାରିଫ୍ ହାରଠାରୁ ଏହା ସାମାନ୍ୟ ଅଧିକ ହୋଇଥିଲେ ହେଁ, ଆମେରିକୀୟ ବଜାରରେ ସେମାନେ ପ୍ରାୟ ଭାରତୀୟ ରପ୍ତାନିକାରୀମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ନଥାନ୍ତି।
ଭାରତରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବା ପରେ ପରେ ଟ୍ରମ୍ପଙ୍କର ଏଇ ଟାରିଫ୍ ହ୍ରାସ ଘୋଷଣା ମଧ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ; କାରଣ ଟ୍ରମ୍ପ-ଟାରିଫ୍ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତାର ମୁକାବିଲା ଥିଲା ଏଇ ବଜେଟ୍ରେ ଅନ୍ତର୍ଭୁକ୍ତ ପ୍ରସ୍ତାବମାନଙ୍କର ଅନ୍ୟତମ ଲକ୍ଷ୍ୟ। ଏବେ ଆମେରିକୀୟ ଟାରିଫ୍ ହ୍ରାସ କେତେକାଂଶରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ବୋଝ ଲାଘବ କରିବ। ଆମେରିକା ହେଉଛି ଭାରତୀୟ ରପ୍ତାନିର ବୃହତ୍ତମ ବୈଦେଶିକ ବଜାର। ଟ୍ରମ୍ପ ଲାଗୁ କରିଥିବା ୫୦ ଶତାଂଶ ହାରରେ ଟାରିଫ୍ ସତ୍ତ୍ବେ ପୂର୍ବ ମାସ ତୁଳନାରେ ଡିସେମ୍ବରରେ ଆମେରିକାକୁ ଭାରତୀୟ ରପ୍ତାନିରେ ବୃଦ୍ଧି ଘଟିବା ଦେଖାଯାଇଥିଲା। ନଭେମ୍ବରରେ ତାହାର ଆକାର ୬.୯୮ ବିଲିଅନ୍ ଡଲାର ଥିବାବେଳେ ଡିସେମ୍ବରରେ ସେଥିରେ ସାମାନ୍ୟ ବୃଦ୍ଧି ଘଟି ତାହା ହୋଇଥିଲା ୭.୦୧ ବିଲିଅନ୍ ଡଲାର୍। କିନ୍ତୁ ଏଥିସତ୍ତ୍ବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ ଅତ୍ୟୁଚ୍ଚ ୫୦ ଶତାଂଶ ଟାରିଫ୍ ଯୋଗୁଁ ଆମେରିକା ବଜାରରେ ଭାରତୀୟ ରପ୍ତାନିକାରୀମାନଙ୍କୁ ଏକ ତୀକ୍ଷ୍ଣ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିଲା।
ଭାରତୀୟ ରପ୍ତାନିକାରୀମାନେ ଏହି ପ୍ରତିକୂଳ ସ୍ରୋତରେ ସନ୍ତରଣ କରି ମଧ୍ୟ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ସେମାନଙ୍କର ମୋଟ ରପ୍ତାନିରେ ପ୍ରାୟ ୧୦ ଶତାଂଶ ବୃଦ୍ଧି ହାସଲ କରି ତାହାକୁ ପ୍ରାୟ ୬୬ ବିଲିଅନ୍ ଡଲାର୍ରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଇ ସମୟରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟର ଅାକାର ହୋଇଥିଲା ୧୦୫.୩୧ ବିଲିଅନ୍ ଡଲାର୍। ଏଥିରେ ଭାରତ ଅର୍ଜନ କରିଥିବା ବଳକା ଆୟ (ରପ୍ତାନି ବିଯୁକ୍ତ ଆମଦାନି) ଥିଲା ୨୬.୪୫ ବିଲିଅନ୍ ଡଲାର୍। ଉଚ୍ଚ ଟାରିଫ୍ ସତ୍ତ୍ବେ ଏହା ପୂର୍ବ ବର୍ଷର ଏଇ ସମୟର ୯୪.୯୭ ବିଲିଅନ୍ ଡଲାର୍ ମୋଟ ଦ୍ବିପାକ୍ଷିକ ବାଣିଜ୍ୟ ଓ ଭାରତକୁ ମିଳିଥିବା ୨୫.୦୯ ବିଲିଅନ୍ ଡଲାର୍ ବଳକା ଆୟଠାରୁ ଅଧିକ ଥିଲା।
ଏଥିପୂର୍ବରୁ ଗତ ନଭେମ୍ବରରେ ଆମେରିକା କେତେଗୁଡ଼ିଏ ଭାରତୀୟ କୃଷିଜାତ ଓ ଖାଦ୍ୟ ସଂପର୍କିତ ଦ୍ରବ୍ୟମାନଙ୍କୁ ପାରସ୍ପରିକ (ରେସିପ୍ରୋକାଲ୍) ଟାରିଫ୍ରୁ ବହିର୍ଭୁକ୍ତ କରିଥିଲା। ସେଥିରେ ଚା’, କଫି, କଟୀବନ୍ଧୀୟ ଫଳଫୁଲୁରି, ମସଲା, ପାଚିଲା କଦଳୀ, ଟମାଟୋ, ଗୋ-ମାଂସ ଓ କେତେକ ସାର ଆଦି ଅନ୍ତର୍ଭୁକ୍ତ ଥିଲେ। ସେଗୁଡ଼ିକ ଉପରେ କେବଳ ପୂର୍ବଭଳି ‘ମୋଷ୍ଟ ଫେଭର୍ଡ ନେସନ୍’ (‘ଏମ୍ଏଫ୍ଏନ୍’) ହାରରେ ଟାରିଫ୍ ଲାଗୁ ହେଉଥିଲା। ଏଥିସହିତ ଇଲେକ୍ଟ୍ରୋନିକ୍ସ, ଶକ୍ତିଦ୍ରବ୍ୟ ଓ ଔଷଧପତ୍ର ଆଦି ଭଳି ଭାରତୀୟ ରପ୍ତାନିର ପ୍ରାୟ ୩୦ ଶତାଂଶ ହୋଇଥିବା ଦ୍ରବ୍ୟମାନଙ୍କ ଉପରେ ଟାରିଫ୍ ଲାଗୁ ହେଉ ନ ଥିଲା। ଅପର ପକ୍ଷେ କପଡ଼ା, ବସ୍ତ୍ର, ମୂଲ୍ୟବାନ ପଥର, ଅଳଙ୍କାର, ସାମୁଦ୍ରିକ ଖାଦ୍ୟଦ୍ରବ୍ୟ ଆଦି ଭଳି ଶ୍ରମସଘନ ଦ୍ରବ୍ୟମାନ ଗତ ଅଗଷ୍ଟ ଠାରୁ ଟ୍ରମ୍ପ ଲାଗୁ କରିଥିବା ୫୦ ଶତାଂଶ ହାରରେ ଟାରିଫ୍ ବୋଝ ବହନ କରିବାରେ ଲାଗିଥିଲେ। ସେ ସମସ୍ତ ଦ୍ରବ୍ୟମାନଙ୍କର ଉତ୍ପାଦନକାରୀ ଓ ରପ୍ତାନିକାରୀମାନଙ୍କ ପାଇଁ ବର୍ତ୍ତମାନ ଏହି ଟାରିଫ୍ରେ ଘଟିଥିବା ହ୍ରାସ ଅନେକ ପରିମାରଣରେ ଆଶ୍ବସ୍ତି ସୃଷ୍ଟି କରିବା ନିଶ୍ଚିତ।
ଏଠାରେ ସ୍ବାଭାବିକ ଭାବରେ ଏକ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆମେରିକା ଭାରତ ଉପରେ ୧୮ ଶତାଂଶ ହାରରେ ଟାରିଫ୍ ଲାଗୁ କରିବା ବେଳେ ଭାରତ ଆମେରିକା ଉପରେ ଶୂନ୍ୟ ହାରରେ ଟାରିଫ୍ ଲାଗୁ କରିବା ଏକ ଅସମତୁଲ ଚୁକ୍ତିର ପରିଚାୟକ ତଥା ଭାରତୀୟ ସ୍ବାର୍ଥବିରୋଧୀ ନୁହେଁ କି? ଏପରି ଏକ ଧାରଣା ସୃଷ୍ଟି ହେବାରେ କୌଣସି ଅସଂଗତି ନ ଥିଲେ ହେଁ, ଟିକିଏ ତଳେଇ କରି ଦେଖିଲେ ଏଭଳି ଆଶଙ୍କା ଅମୂଳକ ମନେ ହୋଇଥାଏ। ପ୍ରଥମ ହେଲା, ଟାରିଫ୍ ବା ଆମଦାନି ଶୁଳ୍କ ପ୍ରାୟତଃ ଆମଦାନିକାରୀ ଦେଶର ଗ୍ରାହକମାନଙ୍କୁ ବହନ କରିବାକୁ ପଡ଼ିଥାଏ। ଆମେରିକାରୁ ଆମଦାନି ହେଉଥିବା ଦ୍ରବ୍ୟମାନ ଉପରେ ଶୂନ୍ୟ ଟାରିଫ୍ ଲାଗୁ ହେଲେ, ଭାରତୀୟ ଗ୍ରାହକମାନଙ୍କ ପାଇଁ ସେଇ ଦ୍ରବ୍ୟମାନ ମହଙ୍ଗା ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଆମେ ଆମେରିକାରୁ ମୁଖ୍ୟତଃ ଉତ୍ପାଦକ ଦ୍ରବ୍ୟମାନ ଆମଦାନି କରିଥାଉ, ଯାହା ଏଠାରେ ଅନ୍ତିମ ଦ୍ରବ୍ୟ ଉତ୍ପାଦନର ଉପାଦାନ ରୂପେ ବ୍ୟବହୃତ ହୋଇଥାଏ। ତେଣୁ ସେଭଳି ଦ୍ରବ୍ୟମାନଙ୍କ ଉପରେ ଶୂନ୍ୟ ଟାରିଫ୍ ଯୋଗୁଁ ଭାରତୀୟ ମାନୁଫାକ୍ଚରିଙ୍ଗ ଶିଳ୍ପ ଲାଭବାନ ହେବ ଓ ତାହାର ପ୍ରତିଯୋଗିତା କ୍ଷମତାରେ ଉନ୍ନତି ଘଟିବ। ଦ୍ବିତୀୟରେ ଭାରତ ବ୍ରିଟେନ୍, ‘ଇୟୁ’ ଆଦିଙ୍କୁ ମଧ୍ୟ ଶୂନ୍ୟ ଟାରିଫ୍ ସୁଯୋଗ ପ୍ରଦାନ କରିଥିବାରୁ ଆମେରିକାକୁ ଅନୁରୂପ ସୁଯୋଗ ନ ଦେବା ଅଯୌକ୍ତିକ ହୁଅନ୍ତା। ମୋଟ ଉପରେ ଆମେରିକା ସହିତ ଏଇ ବାଣିଜ୍ୟ ଚୁକ୍ତି ଏକ ଆଦର୍ଶ ଚୁକ୍ତି ନ ହୋଇଥିଲେ ହେଁ, ଏହା ଯେ ବର୍ତ୍ତମାନ ସମୟରେ ଭାରତୀୟ ଅର୍ଥନୀତି ପାଇଁ ଏକ ସମତୁଲ ଆନ୍ତର୍ଜାତିକ ପ୍ରତିଯୋଗିତା କ୍ଷେତ୍ର ପ୍ରସ୍ତୁତ କରି ତା’ର ଅଭିବୃଦ୍ଧିକୁ ଦ୍ରୁତତର କରିବାରେ ସହାୟକ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
ସୌଜନ୍ୟ ସମ୍ବାଦ


