Editorial: ନୂଆ କରମର୍ଦ୍ଦନ
ଉଚ୍ଚକୋଟୀର ବୈଜ୍ଞାନିକ ଗବେଷଣା ପତ୍ର ପ୍ରସ୍ତୁତିରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ, ଅର୍ଥାତ୍ ଭାରତୀୟ ବୈଜ୍ଞାନିକ ପ୍ରତିଭା ଈର୍ଷଣୀୟ ସ୍ତରର! ତେଣୁ ସାଂପ୍ରତିକ ଆବଶ୍ୟକତା ହେଉଛି ‘ଆର୍ ଏଣ୍ଡ୍ ଡି’ କ୍ଷେତ୍ରକୁ ପ୍ରାଣବନ୍ତ କରିବା....

ଉଚ୍ଚକୋଟୀର ବୈଜ୍ଞାନିକ ଗବେଷଣା ପତ୍ର ପ୍ରସ୍ତୁତିରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ, ଅର୍ଥାତ୍ ଭାରତୀୟ ବୈଜ୍ଞାନିକ ପ୍ରତିଭା ଈର୍ଷଣୀୟ ସ୍ତରର! ତେଣୁ ସାଂପ୍ରତିକ ଆବଶ୍ୟକତା ହେଉଛି ‘ଆର୍ ଏଣ୍ଡ୍ ଡି’ କ୍ଷେତ୍ରକୁ ପ୍ରାଣବନ୍ତ କରିବା, ଯଦ୍ଦ୍ବାରା ଭାରତ ଅନେକ ବିଷୟରେ ଆତ୍ମନିର୍ଭର ହେବା ସହିତ ସେହି ନିଅଣ୍ଟିଆ ଦମ୍ଭର ଭରଣା କରନ୍ତା, ଯେଉଁ ନିଅଣ୍ଟ ହେତୁ ଆମେରିକାର ଦେହବଳିଆ ଉପଦ୍ରବ ସମକ୍ଷରେ ଭାରତ ଅସହାୟ ଭାବେ ନିରବ ରହିବାକୁ ବାଧ୍ୟ ହୋଇ ସମାଲୋଚନାର ଶରବ୍ୟ ହେଉଛି। ଏଭଳି ସ୍ଥିତିରେ ଏହା ମଧ୍ୟ ଉଚିତ ହୁଅନ୍ତା, ଯଦି ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଉଚ୍ଚାଟ ସୃଷ୍ଟି କରିବା ପରିବର୍ତ୍ତେ ‘ଆର ଏଣ୍ଡ ଡି’ କ୍ଷେତ୍ରେର ଅଧିକ ପୁଂଜି ନିବେଶ ଲାଗି ଚାପ ସୃଷ୍ଟି କରନ୍ତେ ବା ଉପଯୁକ୍ତ ବାତାବରଣ ସମ୍ଭବ କରିବା ଦିଗରେ ସହଯୋଗ କରନ୍ତେ।
ପୃଥିବୀ ସାରା ‘ଇଣ୍ଟରନେସନାଲ ରିଲେସନ୍ସ’ ବା ‘ଆନ୍ତର୍ଜାତିକ ସଂପର୍କ’ ବିଷୟବସ୍ତୁର ଛାତ୍ରଛାତ୍ରୀ, ଗବେଷକ ଓ ବିଦ୍ବାନ ମାନଙ୍କ ସକାଶେ ସହସା ଏକ ଅତ୍ୟନ୍ତ କୌତୂହଳପ୍ରଦ ସମୟ ଉପସ୍ଥିତ ହୋଇଛି, ଯହିଁରେ ଦ୍ବିତୀୟ ମହାଯୁଦ୍ଧ ଉପରାନ୍ତ କାଳରେ ସୃଷ୍ଟ ଏବଂ ଏକ ନିର୍ଦ୍ଦିଷ୍ଟ ଧାରାରେ ବିବର୍ତ୍ତିତ ହୋଇ ଆସିଥିବା ‘ପୃଥିବୀ-ଶୃଙ୍ଖଳା’ରେ ଭୂଚଳନ ସୁଲଭ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଛି। ଗଲା ଶତାବ୍ଦୀର ନବମ ଦଶକରେ ବର୍ଲିନ ପ୍ରାଚୀରର ପତନ ଓ ସୋଭିଏତ ସଂଘର ବିଘଟନ ପରେ ଧାରଣା ବଦ୍ଧମୂଳ ହୋଇଥିଲା ଯେ ଆପାତତଃ ବାମପନ୍ଥୀ ଶାସନ ବ୍ୟବସ୍ଥା ହୀନବଳ ହୋଇ ଯାଇଛି ଏବଂ ‘ଆନ୍ତର୍ଜାତିକ ସଂପର୍କ’ର ‘ରିସେଟ୍’ ବା ‘ପୁନର୍ବିନ୍ୟାସ’ କ୍ଷଣରେ ପୁଂଜିବାଦ ଦ୍ବାରା ପରିଚାଳିତ ବଜାର-କୈନ୍ଦ୍ରିକ ଅର୍ଥନୀତି ଓ ଉଦାରବାଦୀ ଗଣତନ୍ତ୍ର ସକାଶେ ରାଜପଥ ପ୍ରଶସ୍ତ ହୋଇଛି; ଯହିଁରେ ଅନିର୍ବଚନୀୟ ନେତୃତ୍ବ ପ୍ରଦାନକାରୀ ରାଷ୍ଟ୍ର ହେବ ଯୁକ୍ତରାଷ୍ଟ୍ର ଆମେରିକା! କିନ୍ତୁ, ତିନି ଦଶନ୍ଧି ପୂରୁ ନ ପୂରୁଣୁ ଆମେରିକାର କେତେକ ଆତ୍ମଘାତୀ ଆଚରଣରୁ ପୁଣି ପ୍ରତୀତ ହେଲାଣି ଯେ ପୃଥିବୀ ହୁଏତ ଖୁବ୍ ଶୀଘ୍ର ପାର୍ଶ୍ବ ପରିବର୍ତ୍ତନ କରିବ! କହିବା ବାହୁଲ୍ୟ ଯେ ସମଗ୍ର ପୃଥିବୀ ସକାଶେ ଏହା ଏକ ତରଳ ଅନିଶ୍ଚିତତାର ବେଳ। ଏଭଳି ସ୍ଥଳେ ଭାରତର ସ୍ଥିତି ଏବଂ ଭବିଷ୍ୟତକୁ ନେଇ ଏକ କ୍ଷୁଦ୍ର ଆକଳନ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମ କଥା ହେଲା, ଇରାନ-ଆମେରିକା ଯୁଦ୍ଧ ପରବର୍ତ୍ତୀ ଦୃଶ୍ୟପଟ ପ୍ରମାଣ କରିଛି ଯେ ମଧ୍ୟ-ପ୍ରାଚ୍ୟସ୍ଥ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର ଏଣିକି ଆଉ ସୁରକ୍ଷିତ ବା ଭରସାଯୋଗ୍ୟ ହୋଇ ରହି ନ ପାରେ! କାରଣ, ଏହି ଯୁଦ୍ଧର ଅବସାନ ଘଟିଲେ ମଧ୍ୟ ଶଂସିତ ଅଞ୍ଚଳକୁ ସ୍ଥାୟୀ ଶାନ୍ତି ପ୍ରତ୍ୟାବର୍ତ୍ତନ କରି ନ ପାରେ! ଅନେକ ପର୍ଯ୍ୟବେକ୍ଷକଙ୍କ ଅନୁମାନ ଯେ ଏହି ତିକ୍ତ ଅଭିଜ୍ଞତା ପରେ ଇରାନ କଳେବଳେକୌଶଳେ ପରମାଣୁ ବୋମା ନିର୍ମାଣର ସାମର୍ଥ୍ୟ ହାସଲ କରିବ; କାରଣ ତାହା ହିଁ ହେବ ତାକୁ ଭବିଷ୍ୟତରେ କୌଣସି ବାହ୍ୟ ଆକ୍ରମଣ ଆଶଙ୍କାରୁ ମୁକ୍ତ ରଖିବାର ଗ୍ୟାରେଣ୍ଟି। କାରଣ ଦେଖାଯାଇଛି ଯେ ଆମେରିକା କୌଣସି ପରମାଣୁ ଅସ୍ତ୍ରଧାରୀ ରାଷ୍ଟ୍ର ଉପରେ ଆକ୍ରମଣ କରିନାହିଁ; ଏପରି କି ଏହି କାରଣରୁ ଉତ୍ତର କୋରିଆ ଭଳି ଏକ ଗୋଠ ଖଣ୍ଡିଆ ରାଷ୍ଟ୍ର ତା’ର ମାଂସପେଶୀକୁ ଆମେରିକା ବିରୋଧରେ ଫୁଲାଇ ଆସୁଥିଲେ ହେଁ ଆମେରିକା ତାକୁ ନଜରଅନ୍ଦାଜ କରିଥାଏ। ଏଭଳି ପରିସ୍ଥିତିରେ, ଇସ୍ରାଏଲ ଓ ଇରାନ ମଧ୍ୟରେ ରହି ଆସିଥିବା ଶତ୍ରୁତା ପରିପ୍ରେକ୍ଷୀରେ, ମଧ୍ୟ-ପ୍ରାଚ୍ୟର ସ୍ଥିତି ଦୀର୍ଘ କାଳ ଧରି ଉତ୍ତେଜନା ପ୍ରବଣ ହୋଇ ରହିପାରେ। କେବଳ ସେତିକି ନୁହେଁ, ଏହି ଯୁଦ୍ଧରେ ଗଭୀର ଭାବେ କ୍ଷତବିକ୍ଷତ ହୋଇଥିଲେ ହେଁ ପୃଥିବୀର ତଣ୍ଟିକୁ ଚିପି ଧରିବାର ବାଗଟି ଇରାନ ଆବିଷ୍କାର କରି ସାରିଛି! ଏହା ହୃଦ୍ବୋଧ ହେଲାଣି ଯେ ହର୍ମୁଜ ଜଳ ଡମ୍ବରୁ (‘େଷ୍ଟ୍ରଟ୍’)ର କୃଶ କଟୀ ଦେଶ ମଧ୍ୟ ଦେଇ ଜାହାଜ ଚଳାଚଳକୁ (ପୃଥିବୀର ପ୍ରାୟ ୨୦% ଅେଶାଧିତ ତୈଳ ଏହି ପଥ ଦେଇ ପରିବାହିତ ହୋଇଥାଏ) ଅବରୋଧ କରି ଇରାନ ସମଗ୍ର ପୃଥିବୀକୁ ତୀବ୍ର ଶକ୍ତି ସଂକଟ ମଧ୍ୟକୁ ନିକ୍ଷେପ କରି ଦେଇପାରେ! ଏଭଳି ସ୍ଥଳେ ରାଷ୍ଟ୍ରଗୁଡ଼ିକ ବିକଳ୍ପ ଶକ୍ତି ଉତ୍ସ ମନସ୍କ ହେବା ସ୍ବାଭାବିକ, ଯେମିତି ଆଣବିକ ଶକ୍ତି ଉତ୍ପାଦନ ସକାଶେ ଜାପାନ ଓ ଜର୍ମାନି ପୁନର୍ବାର ଆଗଭର ହେଲେଣି! ପ୍ରକାଶ ଥାଉ କି ଫୁକୁସିମା ଦୁର୍ଘଟଣା ପରେ ଉଭୟ ଜାପାନ ଓ ଜର୍ମାନି ନିରାପତ୍ତା, ରକ୍ଷଣାବେକ୍ଷଣର ବିପୁଳ ବ୍ୟୟ ଏବଂ ପୁନଃ ନବୀକରଣକ୍ଷମ ଶକ୍ତିର ପ୍ରୋତ୍ସାହନ ସକାଶେ ଆଣବିକ ଶକ୍ତି ପ୍ରକଳ୍ପଗୁଡ଼ିକୁ ବନ୍ଦ କରି ଦେଉଥିଲେ; ଏପରି କି ୨୦୨୩ ମସିହାରେ ଜର୍ମାନିର ସମସ୍ତ ଆଣବିକ ଶକ୍ତି ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। ସେମିତି ବିଜୁଳି ଶକ୍ତି ମଧ୍ୟ ଏକ ବିକଳ୍ପ ଉତ୍ସ ରୂେପ ଆବିର୍ଭୂତ ହୋଇଛି; ଯହିଁରେ ବିଜୁଳିର ଭଣ୍ଡାର ଭାବେ ଉଚ୍ଚ ଦକ୍ଷତା ସଂପନ୍ନ ବ୍ୟାଟେରି ଓ ସେଭଳି ବ୍ୟାଟେରି ନିର୍ମାଣର ପ୍ରଯୁକ୍ତି ଅତ୍ୟନ୍ତ ଆକର୍ଷଣୀୟ ହୋଇ ଉଠିଛି। କହିବା ବାହୁଲ୍ୟ ଯେ ଏହି କ୍ଷେତ୍ରରେ ଚୀନ ହେଉଛି ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ ଏବଂ ଏଭଳି ବ୍ୟାଟେରି ନିର୍ମାଣ ସକାଶେ କଞ୍ଚା ମାଲ ରୂପେ ଲୋଡ଼ା ଯାଉଥିବା ‘କ୍ରିଟିକାଲ ମିନେରାଲ୍ସ’ର ଯୋଗାଣ କ୍ଷେତ୍ରରେ ଅବିସଂବାଦିତ ଏକାଧିପତି! ସୁତରାଂ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଚୀନ ଆଡ଼କୁ ଢଳିବାର ଉପକ୍ରମ କରିବା ସ୍ବାଭାବିକ, ଯାହାର ଲକ୍ଷଣ ମଧ୍ୟ ଦିଶିଲାଣି (କାନାଡା, ଫ୍ରାନସ, ସ୍ପେନ, ଜର୍ମାନି, ହଙ୍ଗେରି, ଇଟାଲୀ ଇତ୍ୟାଦି), ଯେଉଁ କାରଣରୁ ଅଚିରେ ଚୀନକୁ କେନ୍ଦ୍ର କରି ଅନେକ ରାଷ୍ଟ୍ରଙ୍କ ସୌର ମଣ୍ଡଳଟିଏ ଆବିର୍ଭୂତ ହେବାର ସମ୍ଭାବନା ଉଜ୍ଜ୍ବଳ।
କହିବା ବାହୁଲ୍ୟ ଯେ ଚୀନ ଭଳି କୌଣସି ସୁଦୃଶ୍ୟ ପ୍ରଭାବ ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଟ୍ରଂପଙ୍କ ଉପଦ୍ରବ ସମକ୍ଷରେ ଭାରତ ଦମ୍ଭହୀନ ଭଳି ଦିଶିଥାଏ। ପ୍ରଶ୍ନ ଉଠିଥାଏ ଯେ ଜନସାଂଖ୍ୟିକ ସୁବିଧା ସତ୍ତ୍ବେ ଦକ୍ଷତାରେ ବିକାଶ ଘଟାଇ ଭାରତ କାହିଁକି ଚୀନ ଭଳି ପୃଥିବୀର ଆଉ ଏକ ବୃହତ୍ତମ ନିର୍ମାଣ କେନ୍ଦ୍ରରେ ପରିଣତ ହୋଇପାରିଲା ନାହିଁ, ଯାହା ଭାରତକୁ ଏଭଳି ସମୟରେ ଦମ୍ଭ ପ୍ରଦାନ କରିଥାଆନ୍ତା? ଏହାର ଏକାଧିକ ଉତ୍ତର ମଧ୍ୟରୁ ଗୋଟିଏ ହେଲା କ୍ଷମତାସୀନ ସରକାରଗୁଡ଼ିକର ଇଚ୍ଛାଶକ୍ତି, ନିଷ୍ଠା ଓ ଦୂରଦର୍ଶିତାର ଅଭାବ! ଭାରତ ପୃଥିବୀର ବୃହତ୍ତମ କୋଇଲା ଭଣ୍ଡାର ହୋଇଥିଲେ ହେଁ କୋଇଲାର ‘ଗ୍ୟାସିଫିକେସନ’ ବା ‘ବାଷ୍ପୀକରଣ’ ଜରିଆରେ ପରିଚ୍ଛନ୍ନ ଶକ୍ତି ଉତ୍ସ ଭାବେ ପ୍ରାକୃତିକ ଗ୍ୟାସ ସୃଷ୍ଟିର ଉଦ୍ୟମ ଆରମ୍ଭ ହୋଇଛି ଏଇ ମାତ୍ର ଦୁଇ ବର୍ଷ ତଳେ, ଅର୍ଥାତ୍ ୨୦୨୪ ମସିହାରୁ, ଯହିଁରେ ୨୦୩୦ ମସିହା ସୁଦ୍ଧା ୧ ନିୟୁତ ଟନ କୋଇଲାର ବାଷ୍ପୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ସମଗ୍ର ପୃଥିବୀର ଥୋରିଅମ ଭଣ୍ଡାରର ୨୫% ଭାରତରେ ଉପଲବ୍ଧ; ଯେଉଁ ବିକୀରଣକ୍ଷମ ଖଣିଜରୁ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟରେ ଗଲା ଶତାବ୍ଦୀର ପଞ୍ଚମ ଦଶକରେ ‘ଭାବା ଆଣବିକ ଗବେଷଣା କେନ୍ଦ୍ର’ ବା ‘ବାର୍କ’ ଆତ୍ମପ୍ରକାଶ ଲାଭ କରିଥିଲା; କିନ୍ତୁ, ବିପୁଳ ଥୋରିଅମ ଉପଲବ୍ଧତାର ସୁଯୋଗକୁ ଭାରତ ଏକ ଆୟୁଧରେ ପରିଣତ କରିପାରିନାହିଁ। ଏଠାରେ ଏ ସବୁ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା, ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହିତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଲାଗି ଯୋଗାଣର ସୂତ୍ର ହେବାରେ ଭାରତ ନିକଟରେ କେତେକ ପ୍ରାଚୁର୍ଯ୍ୟ ଥିଲେ ହେଁ ତା’ର ଉପଯୋଗ ନେଇ ଚୀନ ତୁଲ୍ୟ ସକ୍ରିୟତା ପ୍ରଦର୍ଶିତ ହୋଇନାହିଁ। ଏହାର ଏକ ପ୍ରମୁଖ କାରଣ ହେଉଛି ଚଳଚଞ୍ଚଳତାଶୂନ୍ୟ ଗବେଷଣା ଓ ବିକାଶ ବା ‘ଆର୍ ଏଣ୍ଡ ଡି’ କ୍ଷେତ୍ର; ଯହିଁରେ ବ୍ୟୟ ଅଟକଳର ପରିମାଣ ହେଉଛି ମୋଟ ‘ଜି.ଡି.ପି.’ (ପ୍ରାୟ ୪ ଟ୍ରିଲିଅନ ଡଲାର)ର ମାତ୍ର ୦.୬୭ ପ୍ରତିଶତ। ପ୍ରକାଶ ଥାଉ କି ଚୀନରେ ଏହି ପରିମାଣ ହେଉଛି ଜି.ଡି.ପିର ପ୍ରାୟ ୩.୫%, ଯେଉଁଠି ଜି.ଡି.ପି. ର ଆକାର ହେଉଛି ପ୍ରାୟ ୨୦ ଟ୍ରିଲିଅନ ଡଲାର। ଏଭଳି ସ୍ଥିତିର ଦୁଃଖଦ ପ୍ରତିଫଳନ ଘଟିଥାଏ ପ୍ରାୟ ଚାରି ଦଶନ୍ଧି ଧରି ଚାଲି ଆସିଥିବା ‘କାବେରୀ’ ପ୍ରକଳ୍ପର ବିଫଳତାରେ, ଯାହା ଏ ଯାବତ୍ ନିଜସ୍ବ ଉଦ୍ୟମରେ ଲଢୁଆ ଯୁଦ୍ଧ ବିମାନର ଇଂଜିନଟିଏ ସୁଦ୍ଧା ନିର୍ମାଣ କରିବାରେ ସମର୍ଥ ହୋଇନାହିଁ; ଅଥଚ ଚୀନ ସଂପୂର୍ଣ୍ଣ ନିଜସ୍ବ ଜ୍ଞାନ-କୌଶଳରେ ଷଷ୍ଠ ପିଢ଼ିର ଲଢୁଆ ବିମାନ ନିର୍ମାଣ କରି ସାରିଲାଣି। ଏଭଳି ସ୍ଥଳେ ଅସଂଗତିଟି ହେଲା, ଉଚ୍ଚକୋଟୀର ବୈଜ୍ଞାନିକ ଗବେଷଣା ପତ୍ର ପ୍ରସ୍ତୁତିରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ, ଅର୍ଥାତ୍ ଭାରତୀୟ ବୈଜ୍ଞାନିକ ପ୍ରତିଭା ଈର୍ଷଣୀୟ ସ୍ତରର! ତେଣୁ ସାଂପ୍ରତିକ ଆବଶ୍ୟକତା ହେଉଛି ‘ଆର୍ ଏଣ୍ଡ୍ ଡି’ କ୍ଷେତ୍ରକୁ ପ୍ରାଣବନ୍ତ କରିବା, ଯଦ୍ଦ୍ବାରା ଭାରତ ଅନେକ ବିଷୟରେ ଆତ୍ମନିର୍ଭର ହେବା ସହିତ ସେହି ନିଅଣ୍ଟିଆ ଦମ୍ଭର ଭରଣା କରନ୍ତା, ଯେଉଁ ନିଅଣ୍ଟ ହେତୁ ଆମେରିକାର ଦେହବଳିଆ ଉପଦ୍ରବ ସମକ୍ଷରେ ଭାରତ ଅସହାୟ ଭାବେ ନିରବ ରହିବାକୁ ବାଧ୍ୟ ହୋଇ ସମାଲୋଚନାର ଶରବ୍ୟ ହେଉଛି। ଏଭଳି ସ୍ଥିତିରେ ଏହା ମଧ୍ୟ ଉଚିତ ହୁଅନ୍ତା, ଯଦି ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଉଚ୍ଚାଟ ସୃଷ୍ଟି କରିବା ପରିବର୍ତ୍ତେ ‘ଆର ଏଣ୍ଡ ଡି’ କ୍ଷେତ୍ରେର ଅଧିକ ପୁଂଜି ନିବେଶ ଲାଗି ଚାପ ସୃଷ୍ଟି କରନ୍ତେ ବା ଉପଯୁକ୍ତ ବାତାବରଣ ସମ୍ଭବ କରିବା ଦିଗରେ ସହଯୋଗ କରନ୍ତେ।
ଏଥିରେ ଦ୍ବିଧା ନାହିଁ ଯେ ଡୋନାଲ୍ଡ ଟ୍ରଂପଙ୍କ ‘ମାଗା’ (ମେକ ଆମେରିକା ଗ୍ରେଟ ଏଗେନ) ବ୍ରାଣ୍ଡ୍ର ରାଜନୀତି, କୂଟନୀତି, ରଣନୀତି ଓ ବ୍ୟବସାୟ ନୀତି ହେତୁ, ଶତ୍ରୁ-ମିତ୍ର ନିର୍ବିଶେଷରେ, କୌଣସି ରାଷ୍ଟ୍ରଙ୍କ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଆଉ ପୂର୍ବ ଭଳି ଭରସାଯୋଗ୍ୟ ହୋଇ ରହିନାହିଁ; କେବଳ ସେତିକି ନୁହେଁ, ଟ୍ରଂପଙ୍କ ବିଚାରଧାରା ବା ଦର୍ଶନରେ ଦୀକ୍ଷିତ ଅସଂଖ୍ୟ ଅନୁସରଣକାରୀ ଓ ଉତ୍ତରାଧିକାରୀ ଟ୍ରଂପଙ୍କ ପ୍ରତିରୂପ ଭାବେ ଆମେରିକାର ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି ମଧ୍ୟ! ତେଣୁ ଅନେକ ରାଷ୍ଟ୍ର, ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ, ଆମେରିକା ଦ୍ବାରା ପ୍ରତାରିତ ହୋଇ ଚୀନ ସହିତ କରମର୍ଦ୍ଦନ କରିବାକୁ ଉଦ୍ଗ୍ରୀବ ହେଉଛନ୍ତି। ଏହା ସତ ଯେ ଶ୍ବେତାଙ୍ଗ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସକାଶେ ଆମେରିକା ସର୍ବଦା ଏକ ସ୍ବାଭାବିକ ପସନ୍ଦ ହୁଅନ୍ତା। କିନ୍ତୁ ଟ୍ରଂପଙ୍କ ଆମେରିକା ଦ୍ବାରା ପ୍ରତାରିତ ସେମାନେ ଏବେ ଚୀନର ସାମୀପ୍ୟରୁ ସଂପର୍କର ଉଷ୍ମତା ଖୋଜୁଛନ୍ତି! କିନ୍ତୁ କଥା ହେଲା ସେମାନଙ୍କ ସହିତ କର ମର୍ଦ୍ଦନ ସକାଶେ ଲୌହ ପରଦା ଅନ୍ତରାଳରୁ ଲମ୍ବି ଆସୁଥିବା ଚୀନର ହାତ ମଧ୍ୟ ବିଶେଷ ଭରସାଯୋଗ୍ୟ ହୋଇ ନ ପାରେ!
ସୌଜନ୍ୟ ସମ୍ବାଦ




