Editorial: ମହାନ ନା ବାମନ?
ଯେଉଁ ସମୟରେ ଭାରତ-‘ଇୟୁ’ ମଧ୍ୟରେ ଏଇ ଅବାଧ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି, ସେଇ ସମୟ ମଧ୍ୟ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ଆମେରିକା ରାଷ୍ଟ୍ରପତିଙ୍କର ଟାରିଫ୍ ସ୍ବେଚ୍ଛାଚାର ଏବେ ସାରା ପୃଥିବୀକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଭାରତ ପ୍ରତି ତାହା ସର୍ବାଧିକ ଶତ୍ରୁତାମୂଳକ ହୋଇଛି।

ଯେଉଁ ସମୟରେ ଭାରତ-‘ଇୟୁ’ ମଧ୍ୟରେ ଏଇ ଅବାଧ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି, ସେଇ ସମୟ ମଧ୍ୟ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ଆମେରିକା ରାଷ୍ଟ୍ରପତିଙ୍କର ଟାରିଫ୍ ସ୍ବେଚ୍ଛାଚାର ଏବେ ସାରା ପୃଥିବୀକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଭାରତ ପ୍ରତି ତାହା ସର୍ବାଧିକ ଶତ୍ରୁତାମୂଳକ ହୋଇଛି। ଏଇ ସମୟରେ ‘ଇୟୁ’ ସହିତ ଭାରତର ଅବାଧ ବାଣିଜ୍ୟ ରାଜିନାମା (‘ଏଫ୍ଟିଏ’) ସ୍ବାକ୍ଷରିତ ହେବା ଆମେରିକାର ରାଷ୍ଟ୍ରପତିଙ୍କୁ ଭୀଷଣ କ୍ରୋଧାନ୍ବିତ କରୁଥିବ।
ପ୍ରାୟ ଦୁଇ ଦଶନ୍ଧି ଧରି ଉଭୟ ପକ୍ଷ ମଧ୍ୟରେ ଅନିୟମିତ ଭାବରେ କଥାବାର୍ତ୍ତା ଚାଲିବା ପରେ ଶେଷରେ ବର୍ତ୍ତମାନ ୨୭ଟି ଦେଶ ସଦସ୍ୟ ଥିବା ଇଉରୋପୀୟ ରାଷ୍ଟ୍ରସଂଘ (‘ଇଉରୋପିଆନ୍ ୟୁନିଅନ୍’- ‘ଇୟୁ’) ଓ ଭାରତ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ତଥା ଯୁଗାନ୍ତକାରୀ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇ କେବଳ ଏଇ ଦୁଇ ଭୌଗୋଳିକ ଅଞ୍ଚଳରେ ନୁହେଁ, ସାରା ପୃଥିବୀର ଅର୍ଥନୈତିକ ଓ ବାଣିଜ୍ୟିକ ପରିସରରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଇ ଅବସରରେ ‘ଇୟୁ’ର ମୁଖ୍ୟ ଉର୍ସୁଲା ଭନ୍ ଡର୍ ଲେୟେନ୍ ପ୍ରଦାନ କରିଥିବା ମନ୍ତବ୍ୟରୁ ଏଇ ଚୁକ୍ତି ବହନ କରୁଥିବା ସୁଦୂରପ୍ରସାରୀ ମହତ୍ତ୍ବ ସ୍ପଷ୍ଟ ହୋଇଥାଏ। ଇଉରୋପ୍ ଓ ଭାରତ ଆଜି ଇତିହାସ ରଚନା କରିଛନ୍ତି ବୋଲି କହିବା ପରେ ସୁଶ୍ରୀ ଭନ୍ ଡର୍ ଲେୟେନ୍ କହିଛନ୍ତି: ‘‘ଆମେ ଆଜି ଯେଉଁ ବାଣିଜ୍ୟ ଚୁକ୍ତି ସଂପାଦନ କରିଛୁ, ତାହା ହେଉଛି ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ।’’ ଏହା ଦ୍ବାରା ପୃଥିବୀର ଦୁଇ ଶହ କୋଟି ଅଧିବାସୀଙ୍କୁ ନେଇ ଏକ ଅବାଧ ବାଣିଜ୍ୟ ଅଞ୍ଚଳ ସୃଷ୍ଟି ହେଲା ବୋଲି ସେ ସଗର୍ବରେ ଘୋଷଣା କରିଛନ୍ତି। ଏଥିସହିତ ଉର୍ସୁଲା ମଧ୍ୟ ସୂଚାଇ ଦେବାକୁ ଭୁଲିନାହାନ୍ତି ଯେ ଏହା ହେଉଛି ଆରମ୍ଭ ମାତ୍ର।
ଅବଶ୍ୟ ମନେ ରଖିବାକୁ ହେବ ଯେ ଏହି ଚୁକ୍ତି ବାସ୍ତବରେ କାର୍ଯ୍ୟକାରୀ ହେବା ପାଇଁ ଆଉ କିଛି ସମୟ ଲୋଡ଼ା ହେବ। କାରଣ ଏଥିପାଇଁ ଉଭୟ ପକ୍ଷରେ କେତେଗୁଡ଼ିଏ ଔପଚାରିକତା ସଂପୂର୍ଣ୍ଣ ହେବା ଆବଶ୍ୟକ। ଉଦାହରଣ ସ୍ବରୂପ ଏହାକୁ ‘ଇୟୁ’ର ସମସ୍ତ ସଦସ୍ୟ ଦେଶମାନଙ୍କର ଭାଷାରେ ଅନୁବାଦ କରାଯାଇ ‘ଇଉରୋପିଆନ୍ କାଉନ୍ସିଲ୍’ରେ ଉପସ୍ଥାପିତ କରାଯିବା ପରେ ସେଠାରେ ତାହା ଗୃହୀତ ହେବ। ଏହା ପରେ ଇଉରୋପିଆନ୍ ପାର୍ଲିଆମେଣ୍ଟରେ ମଧ୍ୟ ଏହି ଚୁକ୍ତି ଗୃହୀତ ହେବା ବିଧି। ଭାରତୀୟ ପାର୍ଲିଆମେଣ୍ଟ ମଧ୍ୟ ଚୁକ୍ତିଟିକୁ ସ୍ବୀକୃତି ପ୍ରଦାନ କରିବା ପରେ ତାହା କାର୍ଯ୍ୟ କରିବାକୁ ଆରମ୍ଭ କରିବ।
ଉଭୟ ଭାରତ ଓ ‘ଇୟୁ’ ମଧ୍ୟ ସାମୟିକ ଶ୍ରମିକ, ଛାତ୍ର, ଗବେଷକ ଓ ଉଚ୍ଚ ଦକ୍ଷତାସଂପନ୍ନ ପେସାଦାର କର୍ମୀମାନଙ୍କର ଉଭୟ ଅଞ୍ଚଳ ମଧ୍ୟରେ ଗମନାଗମନ ସୁଗମ କରିବା ନିମିତ୍ତ ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ଏଥିସହିତ ଉଭୟଙ୍କ ମଧ୍ୟରେ ଏକ ନିରାପତ୍ତା ଓ ପ୍ରତିରକ୍ଷା ଚୁକ୍ତି ମଧ୍ୟ ବଳବତ୍ତର ହେବ। ଭାରତ ବର୍ତ୍ତମାନ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ସମଗ୍ର ‘ଇୟୁ’କୁ ବିଚାରକୁ ନେଲେ ତାହା ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତି ରୂପେ ବିବେଚିତ ହୋଇଥାଏ। ପ୍ରକାଶିତ ସୂଚନା ଅନୁସାରେ ଇସ୍ପାତ ଓ ମଟରଗାଡ଼ିକୁ ବାଦ୍ ଦେଲେ ବାକି ସମସ୍ତ ଭାରତୀୟ ପଣ୍ୟଦ୍ରବ୍ୟମାନଙ୍କ ମଧ୍ୟରୁ ପ୍ରାୟ ୯୪ ଶତାଂଶ ଦ୍ରବ୍ୟମାନଙ୍କ ଉପରେ ‘ଇୟୁ’ ଶୂନ୍ୟ-ଶୁଳ୍କ ଲାଗୁ କରିବ। ଅବଶିଷ୍ଟ ୬ ଶତାଂଶ ଦ୍ରବ୍ୟମାନଙ୍କ ଉପରେ ଆମଦାନି ଶୁଳ୍କରେ ହ୍ରାସ ଘଟିବା ସଙ୍ଗେ ସଙ୍ଗେ କୋଟା-ଭିତ୍ତିକ ଶୁଳ୍କ ରିହାତି ଉପଲବ୍ଧ ହେବ, ଯାହା ମଟରଗାଡ଼ି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।
ଆଶା କରାଯାଉଛି ଆସନ୍ତା ବର୍ଷ ଆରମ୍ଭ ସମୟକୁ ଚୁକ୍ତି କାର୍ଯ୍ୟକାରୀ ହେବାକୁ ଆରମ୍ଭ କରିବାର ପ୍ରଥମ ଦିନରେ ହିଁ ‘ଇୟୁ’ ୯୦ ଶତାଂଶ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରୁ ଆମଦାନି ଶୁଳ୍କର ସଂପୂର୍ଣ୍ଣ ଉଚ୍ଛେଦ ସାଧନ କରିଦେବ। ପ୍ରାୟ ତିନି ଶତାଂଶ ଭାରତୀୟ ଦ୍ରବ୍ୟ ଉପରୁ ସାତ ବର୍ଷ ମଧ୍ୟରେ କ୍ରମେ ସଂପୂର୍ଣ୍ଣ ରୂପେ ଶୁଳ୍କ ହଟାଇ ଦିଆଯିବ। ଭାରତ ମଧ୍ୟ ପ୍ରାୟ ୯୭.୫ ଶତାଂଶ ‘ଇୟୁ’ ଦ୍ରବ୍ୟମାନଙ୍କ ଉପରୁ ଆମଦାନି ଶୁଳ୍କ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯେଉଁଥିରୁ ପ୍ରାୟ ୩.୭ ଶତାଂଶ ହେଉଛି କୋଟା-ଭିତ୍ତିକ। ଯେଉଁ ପ୍ରମୁଖ ଭାରତୀୟ କ୍ଷେତ୍ରମାନ ଏହି ଚୁକ୍ତି ବଳରେ ‘ଇୟୁ’ରେ ନିଃଶୁଳ୍କ ପ୍ରବେଶ ଅଧିକାର ପାଇବାକୁ ଯାଉଛନ୍ତି, େସଥିରେ ଅନ୍ତର୍ଭୁକ୍ତ ଅଛନ୍ତି ବସ୍ତ୍ର, ପୋଷାକ, ସାମୁଦ୍ରିକ ଦ୍ରବ୍ୟ, ରାସାୟନିକ ଦ୍ରବ୍ୟ, ପ୍ଲାଷ୍ଟିକ୍, ରବର୍, ଚମଡ଼ା ଓ ଜୋତା, ଧାତୁ, ମୂଲ୍ୟବାନ ପଥର ଓ ଅଳଙ୍କାର, ଆସବାବପତ୍ର, ଖେଳନା ଏବଂ ଖେଳକସରତ ଦ୍ରବ୍ୟ ଆଦି।
ଏଥିପୂର୍ବରୁ ‘ଇୟୁ’ ଓ ଭିଏତ୍ନାମ ମଧ୍ୟରେ ସ୍ବାକ୍ଷରିତ ହୋଇ କାର୍ଯ୍ୟ କରୁଥିବା ଅବାଧ ବାଣିଜ୍ୟ ଚୁକ୍ତି ଭଳି ରାଜିନାମାର ଅନୁଭୂତିରୁ ଦେଖାଯାଇଛି ଯେ ଏହା ସଂପୃକ୍ତ ଦେଶକୁ ଏକ ଆସେଂବ୍ଲି ଓ ସର୍ଭିସିଙ୍ଗ୍ ଗନ୍ତବ୍ୟସ୍ଥଳୀ ରୂପେ କାର୍ଯ୍ୟ କରିବା ଅବସ୍ଥାରୁ ଏକ ଯନ୍ତ୍ରାଂଶ ଉତ୍ପାଦନକାରୀ, ଟେକ୍ନୋଲୋଜି ଉଦ୍ଭାବନକାରୀ, ଗୁଣାତ୍ମକ ମାନ ସ୍ଥାପନକାରୀ ଦେଶରେ ପରିଣତ କରିଦେଇପାରେ। ଏଥିଯୋଗୁଁ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳରେ ସେ ଦେଶର ପ୍ରବେଶ ସହଜ ହେବା ସହିତ ସେଥିରେ ତା’ର ସ୍ଥାନ ମଜଭୁତ ହୋଇଥାଏ। ଏହି ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଅନତିବିଳମ୍ବେ ଭାରତ ‘ଇୟୁ’ ବଜାର ପାଇଁ ଇଲେକ୍ଟ୍ରୋନିକ୍ସ, ମଟରଗାଡ଼ି ଯନ୍ତ୍ରାଂଶ, ଔଷଧପତ୍ର, ଡିଜିଟାଲ୍ ସେବା ଆଦିର ଏକ ପ୍ରମୁଖ ପ୍ରତିଯୋଗିତାକ୍ଷମ ଯୋଗାଣକାରୀରେ ପରିଣତ ହୋଇଯିବାର ଦୃଢ଼ ସମ୍ଭାବନା ଦେଖାଯାଉଛି।
ଯେଉଁ ସମୟରେ ଭାରତ-‘ଇୟୁ’ ମଧ୍ୟରେ ଏଇ ଅବାଧ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି, ସେଇ ସମୟ ମଧ୍ୟ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ଆମେରିକା ରାଷ୍ଟ୍ରପତିଙ୍କର ଟାରିଫ୍ ସ୍ବେଚ୍ଛାଚାର ଏବେ ସାରା ପୃଥିବୀକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଭାରତ ପ୍ରତି ତାହା ସର୍ବାଧିକ ଶତ୍ରୁତାମୂଳକ ହୋଇଛି। ଏଇ ସମୟରେ ‘ଇୟୁ’ ସହିତ ଭାରତର ଅବାଧ ବାଣିଜ୍ୟ ରାଜିନାମା (‘ଏଫ୍ଟିଏ’) ସ୍ବାକ୍ଷରିତ ହେବା ଆମେରିକାର ରାଷ୍ଟ୍ରପତିଙ୍କୁ ଭୀଷଣ କ୍ରୋଧାନ୍ବିତ କରୁଥିବ। ଆମେରିକା ଓ ଭାରତ ମଧ୍ୟରେ ଏକ ଅନୁରୂପ ଚୁକ୍ତି ସ୍ବାକ୍ଷରିତ ହେବା ପାଇଁ କଥାବାର୍ତ୍ତା ଅସମାପ୍ତ ଥିବାବେଳେ ‘ଇୟୁ’ କିପରି ଭାରତ ସହିତ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ଉଚିତ ମନେ କଲା ବୋଲି ଆମେରିକାର ଭାରତ-ବିରୋଧୀ ଟ୍ରେେଜରି ସେକ୍ରେଟାରି ସ୍କଟ୍ ବେସେଣ୍ଟ୍ ପ୍ରଶ୍ନ କରିଛନ୍ତି। ବିଶେଷ କରି ୟୁକ୍ରେନ୍ ଯୁଦ୍ଧକୁ କେନ୍ଦ୍ରକରି ଭାରତ ରୁଷିଆ ଠାରୁ ତୈଳ କ୍ରୟ କରୁଥିବା କାରଣ ଦର୍ଶାଇ ଟ୍ରମ୍ପ ଯେତେବେଳେ ଭାରତ ଉପରେ ଅତିରିକ୍ତ ୨୫ ଶତାଂଶ ଟାରିଫ୍ ଲାଗୁ କରିଛନ୍ତି, ସେତେବେଳେ ସେଇ ଇଉରୋପ କିପରି ଏକ ବିପରୀତ ଆଭିମୁଖ୍ୟ ଗ୍ରହଣ କରି ଭାରତ ସହିତ ଅବାଧ ବାଣିଜ୍ୟ ଚଳାଇବାକୁ ଯୋଜନା କରିଛି ବୋଲି ବେସେଣ୍ଟ୍ ବିଷୋଦ୍ଗାର କରିଛନ୍ତି। ସେ କହିଛନ୍ତି ଯେ ଭାରତ ରୁଷିଆ ଠାରୁ କ୍ରୟ କରୁଥିବା ତୈଳକୁ ବିଶୋଧନ କଲା ପରେ ‘ଇୟୁ’ ଭାରତ ଠାରୁ ସେଇ ବିଶୋଧିତ ପଦାର୍ଥମାନ କ୍ରୟ କରୁଛି ଓ ଏହା ଦ୍ବାରା ନିଜ ବିରୋଧରେ ଯୁଦ୍ଧ କରିବା ପାଇଁ ଶତ୍ରୁକୁ ସମ୍ବଳ ଯୋଗାଇ ଚାଲିଛି।
ବେସେଣ୍ଟ୍ ଓ ଟ୍ରମ୍ପ ନିଶ୍ଚିତ ରୂପେ ହୃଦୟଙ୍ଗମ କରୁଥିବେ ଯେ ଉଭୟ ‘ଇୟୁ’ ଓ ଭାରତ ବର୍ତ୍ତମାନ ଆମେରିକା ନାମକ ଅନିଶ୍ଚିତତାପୂର୍ଣ୍ଣ ବିପଦ ଠାରୁ ଦୂରେଇ ଯିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ନିଶ୍ଚିତ ରୂପେ ଆଶଙ୍କା କରୁଥିବେ ଯେ ପୃଥିବୀର ମୋଟ ‘ଜିଡିପି’ର ଏକ-ଚତୁର୍ଥାଂଶ ଉତ୍ପାଦନ କରୁଥିବା ଏକ ଅବାଧ ବାଣିଜ୍ୟ ଗୋଷ୍ଠୀର ଆବିର୍ଭାବ ଘଟିଲେ କ୍ରମେ ଆମେରିକାର ପ୍ରଭୁତ୍ବ ଲୋପ ପାଇଯିବ- ଆମେରିକା ‘ଆଉଥରେ ମହାନ’ (‘ମାଗା’) ହେବା ପରିବର୍ତ୍ତେ ଏକ ବାମନରେ ପରିଣତ ହୋଇଯିବ। ତେଣୁ ତାଙ୍କର ଏହି ରୋଷ। ଭାରତ ଓ ‘ଇୟୁ’ କିନ୍ତୁ ଏହା ଦ୍ବାରା ଦବିଯିବା ଉଚିତ ନୁହେଁ।
ସୌଜନ୍ୟ ସମ୍ବାଦ



