ସମ୍ପାଦକୀୟ

Editorial: ଯାତ୍ରା ସଙ୍ଗୀତ

ଭାରତରେ ଜାତୀୟ ଶ୍ରମ ଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ଅନୁପାତ ନୀଚା ରହିବାକୁ ଆମର ମାନବ ସମ୍ବଳର ଅପଚୟ ତଥା ଆମର ଏକ ବିଶେଷ ଅର୍ଥନୈତିକ ଦୁର୍ବଳତା ରୂପେ ବିଚାର କରାଯାଇଥାଏ।

ଭାରତରେ ଜାତୀୟ ଶ୍ରମ ଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ଅନୁପାତ ନୀଚା ରହିବାକୁ ଆମର ମାନବ ସମ୍ବଳର ଅପଚୟ ତଥା ଆମର ଏକ ବିଶେଷ ଅର୍ଥନୈତିକ ଦୁର୍ବଳତା ରୂପେ ବିଚାର କରାଯାଇଥାଏ। ଏହାର ବିଭିନ୍ନ କାରଣମାନଙ୍କ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ମହିଳାମାନଙ୍କ ପାଇଁ କର୍ମକ୍ଷେତ୍ରକୁ ଯାତାୟାତ ପଥରେ ରହିଥିବା ପ୍ରତିବନ୍ଧକମାନ। ସାର୍ବଜନୀନ ଯାନରେ ସେମାନେ ସମ୍ମୁଖୀନ ହେଉଥିବା ଅଶ୍ଳୀଳ ପରିବେଶ ଯେ ହେଉଛି ଏଭଳି ଏକ ଗୁରୁତର ପ୍ରତିବନ୍ଧକ, ତାହା ପ୍ରତ୍ୟେକ ଭୁକ୍ତଭୋଗୀ ମହିଳା ଯାତ୍ରୀ ସ୍ବୀକାର କରିବେ। ସାଧାରଣତଃ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନେ ଏଭଳି ସମସ୍ୟା ସମ୍ବନ୍ଧରେ ସଚେତନ ଥିବା ଆଶା କରାଯାଏନା, କାରଣ କୌଣସି ସାର୍ବଜନୀନ ଯାନରେ ସେମାନଙ୍କର କେବେହେଲେ ପାଦ ପଡ଼ି ନ ଥାଏ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ସମାଲୋଚକମାନଙ୍କର ଅଭାବ ନାହିଁ। ଚରମ ରାଜନୈତିକ ସୁବିଧାବାଦରୁ ଆରମ୍ଭ କରି ମାନସିକ ଭାରସାମ୍ୟ ଅଭାବ ପର୍ଯ୍ୟନ୍ତକୁ ତାଙ୍କର ସମାଲୋଚକମାନେ ତାଙ୍କ ବିରୁଦ୍ଧରେ ନିୟମିତ ଭାବରେ ଆକ୍ରମଣର ଅସ୍ତ୍ର ରୂପେ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସତ୍ତ୍ବେ ସ୍ବାଧୀନ ଭାରତର ଇତିହାସରେ ଖୁବ୍ କମ୍ ରାଜନେତା ଅଛନ୍ତି ଯେଉଁମାନଙ୍କର ଅବଦାନର ଗଭୀରତା ନୀତୀଶ କୁମାରଙ୍କ ସହିତ ତୁଳନୀୟ ହୋଇଥାଏ।
ଏହା ବର୍ତ୍ତମାନ ସର୍ବଜନ ସ୍ବୀକୃତ ଯେ ନୀତୀଶ ଅସମ୍ଭବକୁ ସମ୍ଭବ କରି ତାଙ୍କ ରାଜ୍ୟକୁ କବଳିତ କରିଥିବା ଲାଲୁ ଯାଦବସୃଷ୍ଟ ଅରାଜକତା-ଜଙ୍ଗଲରାଜରେ ଯେଉଁଭଳି ଅନ୍ତ ଘଟାଇଲେ, ତାହାର ପଟାନ୍ତର ନାହିଁ, ଯେଉଁଥିପାଇଁ ତାଙ୍କର ରାଜ୍ୟବାସୀ ଶ୍ରଦ୍ଧାରେ ତାଙ୍କୁ ‘ସୁଶାସନ ବାବୁ’ ବୋଲି ସମ୍ବୋଧନ କରିଥାନ୍ତି। ନୀତୀଶଙ୍କର ଦ୍ବିତୀୟ ଅବଦାନ ହେଉଛି ତାଙ୍କ ରାଜ୍ୟର ମହିଳାମାନଙ୍କର ଜୀବନକୁ ଦୁର୍ବିଷହ ଅବସ୍ଥାରୁ ମୁକ୍ତ କରିବା ନିମିତ୍ତ ସେ ନେଇଥିବା ଏକ ସାହସିକ କିମ୍ବା ଦୁଃସାହସିକ ପଦକ୍ଷେପ। ଏହା ‌େହଉଛି ସେ ତାଙ୍କ ରାଜ୍ୟରେ କାର୍ଯ୍ୟକାରୀ କରିଥିବା ନିଶା ନିବାରଣ।
କୌଣସି ରାଜନେତା ମଦ୍ୟପାନ ନିଷିଦ୍ଧ କରିବା ନିମିତ୍ତ ନିଷ୍ପତ୍ତି ନେବା ବିଭିନ୍ନ କାରଣରୁ ସାହସ ଆବଶ୍ୟକ କରିଥିବା ବେଳେ, ବିହାର ପରି ରାଜ୍ୟ କ୍ଷେତ୍ରରେ ସେଥିପାଇଁ ଆବଶ୍ୟକ ହୋଇଥାଏ- ଦୁଃସାହସ। କାରଣ, ବିହାର ହେଉଛି ଦେଶର ଦରିଦ୍ରତମ, ସମ୍ବଳ ଅଭାବୀ ରାଜ୍ୟ ଏବଂ ମଦ କାରବାର ହେଉଛି ସରକାରଙ୍କ ପାଇଁ ଏକ ନିଶ୍ଚିତ ଆୟର ଉତ୍ସ। ନୀତୀଶ କୁମାର କିନ୍ତୁ ଏଥିସତ୍ତ୍ବେ ସେଠାରେ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରି ଏଇ କାମଧେନୁକୁ ତ୍ୟାଗ କରିବାକୁ ନିଷ୍ପତ୍ତି ନେବାର ମୁଖ୍ୟ କାରଣ ହେଲା ମହିଳାମାନଙ୍କୁ ପରିବାର ଭିତରେ ଓ ବାହାରେ ମଦ୍ୟପମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ଅତ୍ୟାଚାରରୁ ମୁକ୍ତିଦାନ କରିବା। (ଓଡ଼ିଶା ସରକାର କିପରି ଏଇ କାମଧେନୁକୁ ନ ହରାଇବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ସତ୍ତ୍ବେ ଏଠାରେ ନିଶା ନିବାରଣ କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା ଦେଇ ଚାଲିଛନ୍ତି, ତାହା ଆମେ ଦେଖୁଛୁ।) ବିହାରର କୃତଜ୍ଞ ମହିଳାମାନେ ପ୍ରତିଦାନରେ ନିଜର ସମୂହ ମତଦାନ ମାଧ୍ୟମରେ ନୀତୀଶ ଦୀର୍ଘ କାଳ ଧରି କ୍ଷମତାସୀନ ରହିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।

ସେଇ ନୀତୀଶ କୁମାର ବର୍ତ୍ତମାନ ସେଠାରେ ମହିଳାମାନଙ୍କର ସ୍ବାର୍ଥ ଓ ସମ୍ମାନ ରକ୍ଷା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି, ଯାହା ମହିଳାମାନେ ସମ୍ମୁଖୀନ ହେଉଥିବା ଏକ ନିତିଦିନିଆ ସମସ୍ୟା ଦୂର କରିବା ପାଇଁ ଉଦ୍ଦିଷ୍ଟ ହୋଇଥିବା ସହିତ ସେମାନେ ଅଙ୍ଗେ ନିଭାଉଥିବା ସମସ୍ୟାମାନଙ୍କ ପ୍ରତି ନୀତୀଶଙ୍କର ସୂକ୍ଷ୍ମ ସମ୍ବେଦନଶୀଳତାର ପରିଚାୟକ ହୋଇଥାଏ। ଅଧିକ ବାକ୍ୟ ବ୍ୟୟ ନ କରି କହିଲେ, ନୀତୀଶ ସରକାର ବିହାରରେ ବସ୍, ଅଟୋରିକ୍‌ସା, ଟ୍ରେନ୍ ଆଦି ସାବର୍ଜନୀନ ପରିବହନ ଯାନମାନଙ୍କରେ ଅଶ୍ଳୀଳ ଦ୍ବୈତାର୍ଥବୋଧକ ସଙ୍ଗୀତ ବାଦନକୁ ନିଷିଦ୍ଧ କରିଦେଇଛନ୍ତି। କାରଣ ରୂପେ ଦର୍ଶାଯାଇଛି ଯେ ଏହି ନିଷେଧାଦେଶ ସାର୍ବଜନୀନ ସ୍ଥଳୀମାନଙ୍କରେ ମହିଳାମାନଙ୍କର ସମ୍ମାନ ଓ ନିରାପତ୍ତା ନିଶ୍ଚିତ କରିବା ନିମିତ୍ତ ଉଦ୍ଦିଷ୍ଟ ଏବଂ ମନୋରଞ୍ଜନ ସମ୍ମାନର ସହିତ ମିଳିତ ଭାବରେ ଯାତ୍ରା କରିବା ପାଇଁ ନାଗରିକମାନଙ୍କର ଅଧିକାରକୁ ବ୍ୟାହତ କରିପାରିବ ନାହିଁ।
ଯେମିତି ସର୍ବଦା ଘଟିଥାଏ, ତଥାକଥିତ ଉଦାରବାଦୀମାନେ ବ୍ୟକ୍ତି ସ୍ବାଧୀନତାର ଦ୍ବାହି ଦେଇ ଏହାକୁ ଏକ ରକ୍ଷଣଶୀଳ, ଏକାଧିପତ୍ୟବାଦୀ ପଦକ୍ଷେପ ରୂପେ ଚିତ୍ରଣ କରି ଏଇ ନିଷେଧାଦେଶ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ମହିଳା ଯାତ୍ରୀମାନଙ୍କର ଦୃଷ୍ଟିକୋଣରୁ ଦେଖିଲେ, ସେମାନେ ଯେଉଁଭଳି ଅଶ୍ଳୀଳ ସଙ୍ଗୀତ ବାଦନ ଯୋଗୁଁ ସର୍ବସମ୍ମୁଖରେ ଚରମ ଲଜ୍ଜା ଓ ଅପମାନର ସମ୍ମୁଖୀନ ହୋଇଥାନ୍ତି, ସେଇ ପରିପ୍ରେକ୍ଷୀରେ ନୀତୀଶଙ୍କ ଏଇ ନିଷେଧାଦେଶ ବରଂ ଏକ ବିଳମ୍ବିତ ପଦକ୍ଷେପ ଭଳି ମନେ ହୋଇଥାଏ। ଏଭଳି ଅଶ୍ଳୀଳ, ଦ୍ବୈତାର୍ଥବୋଧକ ସଙ୍ଗୀତ ସେମାନଙ୍କ ପୁରୁଷ ସହଯାତ୍ରୀମାନଙ୍କ ଦୃଷ୍ଟିରେ ମହିଳାମାନଙ୍କୁ କେବଳ ଉପହସିତ କରି ନ ଥାଏ, ସେମାନଙ୍କୁ ଦୃଶ୍ୟମାନ, ଅସହାୟ, ଉପଭୋଗ୍ୟ ବସ୍ତୁରେ ପରିଣତ କରି ଦେଇଥାଏ। ଏକ ସାର୍ବଜନୀନ ଯାନ ହେଉଛି ଏକ ସହଭାଗିତାମୂଳକ ନାଗରିକ ସ୍ଥଳୀ। ଏହି ସାର୍ବଜନୀନ ସ୍ଥଳୀ ଯଦି ଜନସଂଖ୍ୟାର ଅର୍ଦ୍ଧେକଙ୍କ ପାଇଁ ଅସ୍ବସ୍ତିକର ଓ ଅସୁରକ୍ଷିତ ହୋଇପଡ଼େ, ତେବେ ରାଷ୍ଟ୍ର ଏଥିପ୍ରତି ଉଦାସୀନ ରହିପାରିବ ନାହିଁ; ତାହା ରାଷ୍ଟ୍ର ପକ୍ଷରେ କର୍ତ୍ତବ୍ୟରେ ଅବହେଳା ରୂ‌େପ ବିବେଚିତ ହେବ।
ଏହା ସତ ଯେ ଅଶ୍ଳୀଳତା ହେଉଛି ଏପରି ଏକ ଆପେକ୍ଷିକ ଧାରଣା ଯେ ତାହାର କୌଣସି କଠୋର ସଂଜ୍ଞା ନିରୂପଣ କରିବା ସହଜ ହୋଇ ନ ଥାଏ। ନିର୍ଦ୍ଦିଷ୍ଟ ସାମାଜିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହା ଭିନ୍ନଭିନ୍ନ ରୂପ ପରିଗ୍ରହଣ କରିଥାଏ। କିନ୍ତୁ ଏହା ମଧ୍ୟ ସତ ଯେ ବାସ୍ତବରେ କୌଣସି ଅଶ୍ଳୀଳ ଆଚରଣକୁ ଚିହ୍ନଟ କରିବା ଆଦୌ କଷ୍ଟକର ହୋଇ ନ ଥାଏ। ଉଦାହରଣ ସ୍ବରୂପ ଏକ ବସ୍ ଭିତରେ ଯେତେବେଳେ ଏଭଳି ଅଶ୍ଳୀଳ ସଙ୍ଗୀତର ଶବ୍ଦମାନ କାନରେ ପଡ଼ିବାକୁ ଆରମ୍ଭ କରନ୍ତି, ସେତେବେଳେ ଆରମ୍ଭ ହୋଇ ଯାଉଥିବା କେତେକ ପୁରୁଷ ଯାତ୍ରୀମାନଙ୍କର ଅଟ୍ଟହାସ୍ୟ, କଟାକ୍ଷ, କୁହାଟ, ସୁସୁରି ଆଦିର ସମ୍ମୁଖୀନ କାହାରି ମନରେ ସନ୍ଦେହର ଅବକାଶ ନ ଥାଏ ଯେ ସଂପୃକ୍ତ ସଙ୍ଗୀତଟି ହେଉଛି ଅଶ୍ଳୀଳ। କେବଳ ମହିଳା ଯାତ୍ରୀମାନେ ନୁହନ୍ତି, ଅନେକ ସଭ୍ୟ ପୁରୁଷ ଯାତ୍ରୀମାନେ ମଧ୍ୟ ଏଭଳି ଅଶ୍ଳୀଳତା ଦ୍ବାରା ଘୋର ଅସ୍ବସ୍ତି ଅନୁଭବ କରୁଥିଲେ ମଧ୍ୟ ନିରୁପାୟ ହୋଇ ତାହାକୁ ସହ୍ୟ କରିଥାନ୍ତି।
ଏଇ ସମସ୍ୟା ମଧ୍ୟ କେବଳ ଏକ ନୈତିକ ସମସ୍ୟା ନୁହେଁ, ଏହା ମଧ୍ୟ ସମାଜରେ ରହିଥିବା ଅର୍ଥନୈତିକ ବୈଷମ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ସାଧାରଣତଃ ସମାଜର ସ୍ବଚ୍ଛଳ ଶ୍ରେଣୀର ସଦସ୍ୟମାନେ ନିଜର ବ୍ୟକ୍ତିଗତ ଯାନ କିମ୍ବା ଘରୋଇ ଟ୍ୟାକ୍‌ସି ଆଦିରେ ଯାତାୟାତ କରିଥାନ୍ତି, ଯେଉଁମାନଙ୍କର କାନରେ ଏଇ ଅଶ୍ଳୀଳ ସଙ୍ଗୀତର ତରଙ୍ଗ ପ୍ରବେଶ କରି ନ ଥାଏ। କେବଳ ଯେଉଁମାନଙ୍କୁ ଅାର୍ଥିକ ଅସ୍ବଚ୍ଛଳତା ଯୋଗୁଁ ସାର୍ବଜନୀନ ଯାନରେ ଯିବାଆସିବା କରିବାକୁ ପଡ଼ିଥାଏ – ଛାତ୍ରଛାତ୍ରୀ, ଘରୋଇ ସହାୟିକା, ଅଫିସ କର୍ମଚାରୀ ଆଦି – ସେଇମାନଙ୍କୁ ହିଁ ଏଭଳି ନିର୍ଯାତନା ଭୋଗ କରିବାକୁ ପଡ଼ିଥାଏ।
ଭାରତରେ ଜାତୀୟ ଶ୍ରମ ଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ଅନୁପାତ ନୀଚା ରହିବାକୁ ଆମର ମାନବ ସମ୍ବଳର ଅପଚୟ ତଥା ଆମର ଏକ ବିଶେଷ ଅର୍ଥନୈତିକ ଦୁର୍ବଳତା ରୂପେ ବିଚାର କରାଯାଇଥାଏ। ଏହାର ବିଭିନ୍ନ କାରଣମାନଙ୍କ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ମହିଳାମାନଙ୍କ ପାଇଁ କର୍ମକ୍ଷେତ୍ରକୁ ଯାତାୟାତ ପଥରେ ରହିଥିବା ପ୍ରତିବନ୍ଧକମାନ। ସାର୍ବଜନୀନ ଯାନରେ ସେମାନେ ସମ୍ମୁଖୀନ ହେଉଥିବା ଅଶ୍ଳୀଳ ପରିବେଶ ଯେ ହେଉଛି ଏଭଳି ଏକ ଗୁରୁତର ପ୍ରତିବନ୍ଧକ, ତାହା ପ୍ରତ୍ୟେକ ଭୁକ୍ତଭୋଗୀ ମହିଳା ଯାତ୍ରୀ ସ୍ବୀକାର କରିବେ। ସାଧାରଣତଃ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନେ ଏଭଳି ସମସ୍ୟା ସମ୍ବନ୍ଧରେ ସଚେତନ ଥିବା ଆଶା କରାଯାଏନା, କାରଣ କୌଣସି ସାର୍ବଜନୀନ ଯାନରେ ସେମାନଙ୍କର କେବେହେଲେ ପାଦ ପଡ଼ି ନ ଥାଏ। ନୀତୀଶ କୁମାର ତେଣୁ ହେଉଛନ୍ତି ଏକ ବିରଳ ରାଜନେତା ଯିଏ ମହିଳାମାନେ ସମ୍ମୁଖୀନ ହେଉଥିବା ଏଇ ସମସ୍ୟାକୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଭଳି ସମସ୍ୟା ଥିବା ଅନ୍ୟ ରାଜ୍ୟର ସରକାରମାନେ ତାଙ୍କୁ ଅନୁକରଣ କରି‌େବ‌ ବୋଲି ଆଶା କରାଯାଏ। ଅଶ୍ଳୀଳତାମୁକ୍ତ ଯାତ୍ରାକାଳୀନ ସଙ୍ଗୀତ ହେଉଛି ଏକ ସଭ୍ୟ ସମାଜର ପରିଚୟ ତଥା ବିଶେଷ କରି ମହିଳା ଯାତ୍ରୀମାନଙ୍କର ମୌଳିକ ଅଧିକାର।

ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button