ସମ୍ପାଦକୀୟ

Editorial: ସାହିତ୍ୟର ସୁଆଙ୍ଗ

ଚିନ୍ତାଜନକ ଭାବରେ ଆମେରିକା ହେଉଛି ପୃଥିବୀର ସର୍ବାଧିକ ଧନଶାଳୀ ଓ ତେଣୁ ସର୍ବାଧିକ ପରିମାଣର ଶକ୍ତି ବ୍ୟବହାରକାରୀ ଦେଶ। ସେ ଦେଶର ରାଷ୍ଟ୍ରପତି ଯଦି ଅକ୍ଷୟ ଶକ୍ତି ବ୍ୟବହାରକୁ ବିରୋଧ କରି ମଇଳା ଶକ୍ତିର ଉତ୍ସ ତୈଳ ଓ କୋଇଲା....

ଚିନ୍ତାଜନକ ଭାବରେ ଆମେରିକା ହେଉଛି ପୃଥିବୀର ସର୍ବାଧିକ ଧନଶାଳୀ ଓ ତେଣୁ ସର୍ବାଧିକ ପରିମାଣର ଶକ୍ତି ବ୍ୟବହାରକାରୀ ଦେଶ। ସେ ଦେଶର ରାଷ୍ଟ୍ରପତି ଯଦି ଅକ୍ଷୟ ଶକ୍ତି ବ୍ୟବହାରକୁ ବିରୋଧ କରି ମଇଳା ଶକ୍ତିର ଉତ୍ସ ତୈଳ ଓ କୋଇଲା ବ୍ୟବହାରକୁ ପ୍ରୋତ୍ସାହିତ କରନ୍ତି (ତାଙ୍କର ‘‘ଡ୍ରିଲ୍ ବେବି, ଡ୍ରିଲ୍’’ ଆହ୍ବାନ ହେଉଛି ଏହାର ସଶବ୍ଦ ପ୍ରମାଣ), ତେବେ ଏହା ଦ୍ବାରା କେବଳ ସେ କିମ୍ବା ତାଙ୍କ ଦେଶବାସୀ କ୍ଷତିଗ୍ରସ୍ତ ହେବେ ନାହିଁ, ସାରା ପୃଥିବୀବାସୀ କ୍ଷତିଗ୍ରସ୍ତ ହେବେ, କାରଣ ପୃଥିବୀର ପରିବେଶ କୌଣସି ରାଜନୈତିକ ସୀମାରେଖାକୁ ମାନି ଚଳି ନ ଥାଏ।

ସାହିତ୍ୟ ତ ଆଇନା ଭଳି ସମସାମୟିକ ସମାଜର ପ୍ରତିଫଳନ କରିଥାଏ; କିନ୍ତୁ ସାହିତ୍ୟ ମଧ୍ୟ କଦବା କେମିତି ଯେ ଏକ ଦୀର୍ଘ ଅନ୍ତର ପରେ ବାସ୍ତବ ଦୁନିଆରେ ଏକ ସୁଆଙ୍ଗ ବେଶରେ ପ୍ରତ୍ୟାବର୍ତ୍ତନ କରିଥାଏ, ତାହା ଏବେ ପ୍ରତିପାଦିତ କରିଛନ୍ତି ବିଭିନ୍ନ କାରଣରୁ ନିରବଚ୍ଛିନ୍ନ ଭାବରେ ଗଣମାଧ୍ୟମର କେନ୍ଦ୍ର ସ୍ଥଳ ଦଖଲ କରି ରହିଚାଲିଥିବା ଆମେରିକାର ବହୁଚର୍ଚ୍ଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବା ଡାକ ନାମ ଡନ୍। ସ୍ପେନୀୟ ଔପନ୍ୟାସିକ ମିଗେଲ୍ ସର୍ଭାଣ୍ଟିସ୍ ଯେତେବେଳେ ୧୬୦୫ରେ ପ୍ରକାଶିତ ତାଙ୍କର କାଳଜୟୀ ଉପନ୍ୟାସ ‘ଡନ୍ କହୋଟି’ (ସାଧାରଣତଃ ‘ଡନ୍ କ୍ବିକ୍ସୋଟ୍’ ରୂପେ ଉଚ୍ଚାରିତ ହୋଇଥାଏ)ର ନାୟକ ଡନ୍ କହୋଟି ଚରିତ୍ରର ପରିକଳ୍ପନା କରିଥିଲେ, ସେତେବେଳେ ସେ କେବେହେଲେ ଆଶା କରି ନ ଥିବେ ଯେ ତା’ର ଚାରି ଶହ ବର୍ଷରୁ ଅଧିକ କାଳ ପରେ ଆଟ୍‌ଲାଣ୍ଟିକ୍ ମହାସାଗରର ଆରପଟେ ସେଇ ଡନ୍ ନାମଧାରୀ ଆଉ ଏକ ଚରିତ୍ରର ଆବିର୍ଭାବ ଘଟିବ ଯାହାର ଆଚରଣ ତାଙ୍କ କାହାଣୀର ଅର୍ଦ୍ଧପାଳଗ ଡନ୍‌ର ଆଚରଣ ସହିତ ଏପରି ମେଳ ଖାଇଯିବ, ଯାହା ସାରା ପୃଥିବୀକୁ ହତଚକିତ କରିଦେବ। ସର୍ଭାଣ୍ଟିସ୍‌ଙ୍କ ଡନ୍ ପରି ରାଷ୍ଟ୍ରପତି ଡନ୍ ମଧ୍ୟ ଏକ ସମାନ ଶତ୍ରୁ ବିରୁଦ୍ଧରେ ଲଢ଼େଇରେ ମାତି ଯାଇଛନ୍ତି- ପବନ କଳ।
କିଂବଦନ୍ତିରେ ପରିଣତ ହୋଇଥିବା ସର୍ଭାଣ୍ଟିସ୍‌ଙ୍କ କାହାଣୀର ଏକ ଉଦ୍ଭଟ ଦୃଶ୍ୟରେ ଦିଗ୍‌ବଳୟ ଧାରରେ ଦଣ୍ଡାୟମାନ ପବନ କଳମାନଙ୍କୁ ଦେଖି ଦିଗ୍‌ବିଜୟ ଅଭିଯାନରେ ବାହାରି ପଡ଼ିଥିବା ଡନ୍ ସେମାନଙ୍କୁ ଲମ୍ବା ଲମ୍ବା ହାତ ଥିବା ବିରାଟକାୟ ରାକ୍ଷସ ବୋଲି ଭ୍ରମରେ ପଡ଼ିଛି, ଯେଉଁମାନେ ମାନବ ସମାଜକୁ ଧ୍ବଂସ କରିବାକୁ ବଦ୍ଧପରିକର ବୋଲି ତା’ର ହୃଦ୍‌ବୋଧ ହୋଇଛି। ମାନବ ସମାଜକୁ ରକ୍ଷା କରିବା ପାଇଁ ସେଇ ରାକ୍ଷସମାନଙ୍କ ସହିତ ଲଢ଼େଇ କରିବାକୁ ଉଦ୍ୟତ ଡନ୍‌କୁ ତା’ର ସହଚର ସାଞ୍ଚୋ ପାଞ୍ଜା ଯେତେବେଳେ ଏଇ ମୁର୍ଖାମୀରୁ ନିବୃତ୍ତ କରିବା ପାଇଁ ପ୍ରକୃତରେ ସେଗୁଡ଼ିକ ରାକ୍ଷସ ନୁହନ୍ତି, ସେଗୁଡ଼ିକ ହେଉଛନ୍ତି ପବନ କଳ ବୋଲି ତାକୁ କହିଛି, ସାଞ୍ଚୋ ଭୟଭୀତ ହୋଇ ଏପରି କହୁଛି ବୋଲି ବିଶ୍ବାସ କରି ଡନ୍ ତା’ର କଥା ନ ମାନି ସେଇ ତଥାକଥିତ ରାକ୍ଷସଙ୍କ ଉପରେ ଆକ୍ରମଣ କରିବାକୁ ଆଗେଇ ଯାଇଛି। ଘୋଡ଼ା ରୋସିନାଣ୍ଟି ପିଠିରେ ବସି ପୂର୍ଣ୍ଣ ବେଗରେ ଧାବମାନ ଅବସ୍ଥାରେ ଡନ୍ ଯେତେବେଳେ ପବନ କଳର ଘୂରୁଥିବା ବିଶାଳ ପଙ୍ଖାକୁ ବର୍ଚ୍ଛା ଦ୍ବାରା ବିଦ୍ଧ କରିଛି, ‌େସତେବେଳେ ଡନ୍‌ର ବର୍ଚ୍ଛାଟି ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି ଓ ଉଭୟ ଯୋଦ୍ଧା ଓ ଘୋଡ଼ା ଛିଟ୍‌କି କରି ଖଣ୍ଡେ ଦୂରରେ ପଡ଼ି ଖଣ୍ଡିଆଖାବରା ହୋଇଛନ୍ତି। ଏହା ପରେ ମଧ୍ୟ ଉଦ୍‌ଭ୍ରାନ୍ତ ଡନ୍ ନିଜର ଭୁଲ୍ ସ୍ବୀକାର କରିବା ପରିବର୍ତ୍ତେ କହିଛି ଯେ ଏକ ଯାଦୁକର ଶେଷ ମୁହୂର୍ତ୍ତରେ ସେ ରାକ୍ଷସମାନଙ୍କୁ ପବନ କଳରେ ପରିଣତ କରିଦେବାରୁ ତାଙ୍କର ଏଭଳି ଦଶା ଘଟିଲା।

ଡୋନାଲ୍‌ଡ ଟ୍ରମ୍ପଙ୍କର ପବନ କଳ ବିରୁଦ୍ଧରେ ଯୁଦ୍ଧ ଏକ ଅନୁରୂପ ଉଦ୍ଭଟ ଚିନ୍ତାଧାରାକୁ ଅନୁସରଣ କରିଥାଏ। ସେ ପରିବେଶ ସୁରକ୍ଷାକାରୀ ଅକ୍ଷୟ ଶକ୍ତିର ଏକ ମୁଖ୍ୟ ଉତ୍ପାଦକ ପବନ କଳକୁ ସର୍ବଦା ଏକ ରାକ୍ଷସ ପରି କଦାକାର, ସଶବ୍ଦ, କ୍ୟାନ୍‌ସର ସୃଷ୍ଟିକାରୀ ବିପଜ୍ଜନକ ଯନ୍ତ୍ର ରୂପେ ବର୍ଣ୍ଣନା କରି ଆସିଛନ୍ତି, ଯିଏ ପକ୍ଷୀମାନଙ୍କର ସଂହାର ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଧ୍ବଂସ ସାଧନ କରିଥାଏ। କହୋଟି ପରି ଟ୍ରମ୍ପ ମଧ୍ୟ ପବନ କଳ ସମ୍ବନ୍ଧରେ ନିଜର ଏଇ ମତାନ୍ଧ ଭ୍ରମରେ ସଂଶୋଧନ ଘଟାଇବା ନିମିତ୍ତ ଆଦୌ ପ୍ରସ୍ତୁତ ନୁହନ୍ତି। ଜଳବାୟୁ ପରିବର୍ତ୍ତନ, ବିଶ୍ବ ତାପନ, ଅକ୍ଷୟ ଶକ୍ତିର ଉପଯୋଗିତା ଆଦି ସଂପର୍କିତ ସମସ୍ତ ବିଜ୍ଞାନଭିତ୍ତିକ ତଥ୍ୟକୁ ସେ ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ଚକ୍ରାନ୍ତ କହି ନାକଚ କରି ଦେଉଛନ୍ତି, ସତେ ଯେମିତି ଏ ସବୁକୁ ଆବିଷ୍କାର କରିଥିବା ବୈଜ୍ଞାନିକମାନେ ହେଉଛନ୍ତି ଡନ୍ କହୋଟିର ଉନ୍ମାଦ ମସ୍ତିଷ୍କପ୍ରସୂତ ସେଇ ଦୁଷ୍ଟ ଯାଦୁକରମାନେ! ଏହାର ସଦ୍ୟତମ ପ୍ରମାଣ ସ୍ବରୂପ ଏଇମାତ୍ର ଜାନୁଆରି ୯ ତାରିଖ ଦିନ ହ୍ବାଇଟ୍ ହାଉସ୍ ଠାରେ ଦଳେ ତୈଳ କଂପାନି ପରିଚାଳକମାନଙ୍କୁ ଭେଟିବା ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ପବନ କଳମାନଙ୍କ ପ୍ରତି ତାଙ୍କର ତୀବ୍ର ବିଦ୍ବେଷ ପ୍ରକାଶ କରିବା ଦେଖାଯାଇଥିଲା। ସେ ସେଇ ପରିବେଶ ପ୍ରଦୂଷଣକାରୀ ତୈଳ ପରିଚାଳକମାନଙ୍କୁ ସଗର୍ବରେ ଜ‌ଣାଇଥିଲେ ଯେ ସେ ରାଷ୍ଟ୍ରପତି ରୂପେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଆମେରିକାରେ ଗୋଟିଏ ହେଲେ ପବନ କଳ ପ୍ରତିଷ୍ଠା ନିମିତ୍ତ ଅନୁମୋଦନ ପ୍ରଦାନ କରିନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ପ୍ରଦାନ କରିବାକୁ ଯାଉନାହାନ୍ତି।
ବାକି ପୃଥିବୀ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମ ସମ୍ବନ୍ଧରେ ସଚେତନ ହୋଇ ତୈଳ, କୋଇଲା ଆଦି ଜୀବାଶ୍ମ ଇନ୍ଧନ ବ୍ୟବହାର ପରିତ୍ୟାଗ କରି ଅକ୍ଷୟ ଶକ୍ତିକୁ ଆପଣାଇବାକୁ ଲାଗିଥିବା ବେଳେ ଟ୍ରମ୍ପ ଠିକ୍ ତା’ର ବିପରୀତ ଆଚରଣ ପ୍ରଦର୍ଶନ କରିବା ସର୍ଭାଣ୍ଟିସ୍‌ଙ୍କର କାହାଣୀରେ ଅନ୍ତର୍ନିହିତ ଦ୍ବନ୍ଦ୍ବର ପୁନରାବୃତ୍ତି ପରି ମନେ ହୋଇଥାଏ। ସେଇ କାହାଣୀରେ ପବନ କଳ ହେଉଛି ମଧ୍ୟଯୁଗୀୟ କଳ୍ପନାବିଳାସର ଦୁନିଆରେ ଅନୁପ୍ରବେଶ କରୁଥିବା ଆଧୁନିକ ଦୁନିଆର ପ୍ରତିନିଧି: ଆଧୁନିକ ପ୍ରବିଧି ଦ୍ବାରା ପ୍ରାଚୀନ ପରମ୍ପରାର ବିସ୍ଥାପନ। ଡନ୍ କହୋଟି କିନ୍ତୁ ଏଇ ପରିବର୍ତ୍ତନକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ। ତାହା ହିଁ ହେଉଛି ତା’ର ଦୁର୍ଭାଗ୍ୟ। ଡନ୍ ଟ୍ରମ୍ପ ସେଇଭଳି ଅକ୍ଷୟ ଶକ୍ତିର ଅନିବାର୍ଯ୍ୟ ଆଗମନ ଦ୍ବାରା ଘଟିବାକୁ ଯାଉଥିବା ପାରମ୍ପରିକ ପ୍ରଦୂଷଣକାରୀ ଶକ୍ତି ଶିଳ୍ପର ବିସ୍ଥାପନକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କର ଏହି ଆଭିମୁଖ୍ୟର ଏକ ଚରମ ପ୍ରଦର୍ଶନ ସ୍ବରୂପ ଟ୍ରମ୍ପ ଏବେ ସଦ୍ୟ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂପର୍କିତ ରାଜିନାମା ‘ୟୁଏନ୍ଏଫ୍‌ସିସି’ରୁ ଆମେରିକା ଓହରିଯିବା ଘୋଷଣା କରି ସମସ୍ତଙ୍କୁ ହତଭମ୍ଭ କରି ଦେଇଛନ୍ତି।
ଏହା ହେଉଛି ସର୍ଭାଣ୍ଟିସ୍‌ଙ୍କର କାହାଣୀରେ ଡନ୍ କହୋଟି ପବନ କଳ ଉପରେ ଚଳାଇଥିବା ଆକ୍ରମଣ ଭଳି। ସର୍ଭାଣ୍ଟିସ୍‌ ତାଙ୍କ କାହାଣୀରେ ଏଇ ଦୃଶ୍ୟର ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ନ ଥିଲା କେବଳ ଡନ୍ କହୋଟିଙ୍କ ପରି ଏକ ଉଦ୍‌ଭ୍ରାନ୍ତ ସାମନ୍ତଙ୍କୁ ବ୍ୟଙ୍ଗ କରିବା; ବରଂ ଏହା ଅସଲରେ ଥିଲା କାଳ୍ପନିକକୁ ବାସ୍ତବ ରୂପେ ବିଶ୍ବାସ କରିବାର ବିପଦ ସମ୍ବନ୍ଧରେ ଚିନ୍ତନ କରିବାକୁ ଏକ ଆହ୍ବାନ। ବାସ୍ତବତାକୁ ଅସ୍ବୀକାର କରିବାର ପରିଣାମ କିଭଳି ସାଂଘାତିକ ହୋଇପାରେ ତାହାର ସ୍ବାକ୍ଷର ବହନ କରିଥାଏ ପବନ କଳ ଦ୍ବାରା ଭୂ-ଲୁଣ୍ଠିତ ହୋଇଥିବା ଡନ୍ କହୋଟିର କ୍ଷତାକ୍ତ ଶରୀର। ଜଳବାୟୁ ପରିବର୍ତ୍ତନକୁ ଅସ୍ବୀକାର କଲେ ଏବଂ ଅକ୍ଷୟ ଶକ୍ତିର ବ୍ୟବହାରର ଆବଶ୍ୟକତା ରୂପକ ବାସ୍ତବତାକୁ ବିରୋଧ କଲେ ଯେଉଁ ଶରୀର କ୍ଷତାକ୍ତ ହେବ, ତାହା କିନ୍ତୁ କେବଳ ଡୋନାଲ୍‌ଡ ଟ୍ରମ୍ପଙ୍କର ନୁହେଁ, ତାହା ହେଉଛି ସମଗ୍ର ମାନବ ଜାତିର।
ସାଞ୍ଚୋ ପାଞ୍ଜା ତା’ର ସାଧ୍ୟମତେ ଡନ୍ କହୋଟିକୁ ବାସ୍ତବତା ସମ୍ବନ୍ଧରେ ଅବଗତ କରିବାକୁ ଚେଷ୍ଟା କରିଥିବା ଭଳି ଜଳବାୟୁ ବୈଜ୍ଞାନିକମାନଙ୍କ ଠାରୁ ପରିବେଶବିତ୍‌ମାନଙ୍କ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ବିପଦ ଓ ଏହାକୁ ଟାଳିବା ନିମିତ୍ତ ବାୟୁ ଶକ୍ତି ପରି ଅକ୍ଷୟ ଶକ୍ତି ବ୍ୟବହାରର ଜରୁରି ଆବଶ୍ୟକତା ସଂପର୍କରେ ଡୋନାଲ୍‌ଡ ଟ୍ରମ୍ପଙ୍କ ସମେତ ପୃଥିବୀର ସମସ୍ତ ଦେଶର ନେତୃବର୍ଗଙ୍କୁ ଅବଗତ କରିବାରେ ଲାଗିଛନ୍ତି। ଚିନ୍ତାଜନକ ଭାବରେ ଆମେରିକା ହେଉଛି ପୃଥିବୀର ସର୍ବାଧିକ ଧନଶାଳୀ ଓ ତେଣୁ ସର୍ବାଧିକ ପରିମାଣର ଶକ୍ତି ବ୍ୟବହାରକାରୀ ଦେଶ। ସେ ଦେଶର ରାଷ୍ଟ୍ରପତି ଯଦି ଅକ୍ଷୟ ଶକ୍ତି ବ୍ୟବହାରକୁ ବିରୋଧ କରି ମଇଳା ଶକ୍ତିର ଉତ୍ସ ତୈଳ ଓ କୋଇଲା ବ୍ୟବହାରକୁ ପ୍ରୋତ୍ସାହିତ କରନ୍ତି (ତାଙ୍କର ‘‘ଡ୍ରିଲ୍ ବେବି, ଡ୍ରିଲ୍’’ ଆହ୍ବାନ ହେଉଛି ଏହାର ସଶବ୍ଦ ପ୍ରମାଣ), ତେବେ ଏହା ଦ୍ବାରା କେବଳ ସେ କିମ୍ବା ତାଙ୍କ ଦେଶବାସୀ କ୍ଷତିଗ୍ରସ୍ତ ହେବେ ନାହିଁ, ସାରା ପୃଥିବୀବାସୀ କ୍ଷତିଗ୍ରସ୍ତ ହେବେ, କାରଣ ପୃଥିବୀର ପରିବେଶ କୌଣସି ରାଜନୈତିକ ସୀମାରେଖାକୁ ମାନି ଚଳି ନ ଥାଏ।
ସର୍ଭାଣ୍ଟିସ୍‌ଙ୍କର ସାହିତ୍ୟରେ ନାୟକ ଡନ୍ ଆବଶ୍ୟ ଶେଷରେ ନିଜର ଭୁଲ୍ ବୁଝିପାରିଛି; କିନ୍ତୁ ବର୍ତ୍ତମାନ ତାହା ଯେଉଁ ସୁଆଙ୍ଗ ରୂପରେ ପ୍ରତ୍ୟାବର୍ତ୍ତନ କରିଛି, ସେଥିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଆଜିର ଡନ୍‌ଙ୍କର ସେଭଳି ଜ୍ଞାନ ଉଦୟ ହେବାର କୌଣସି ସମ୍ଭାବନା ଦେଖା ଯାଉନାହିଁ। ଏଣୁ ଏଥିଯୋଗୁଁ ଭବିଷ୍ୟତରେ କ’ଣ ଘଟିବ, ତାହା କେବଳ ସମୟ ହିଁ କହିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button